ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାମ୍‍ସଙ୍ଗ ଟିଭି ଫ୍ରେମ୍‌ରେ ଓଡ଼ିଶାର ପଟ୍ଟଚିତ୍ର, ଟୁଇଟ୍‍ କରି ଖୁସି ବ୍ୟକ୍ତ କଲେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ

ପୁରୀ : ସାମସଙ୍ଗ ଭଳି ଏକ ରାଷ୍ଟ୍ରାୟାତ୍ତ କମ୍ପାନୀ ଓଡ଼ିଶାର ପଟ୍ଟଚିତ୍ର କଳାକୁ ତା’ର ଟିଭି ଫ୍ରେମ୍‍ରେ ସ୍ଥାନୀତ କରିଛି। ଐତିହ୍ୟ ଗ୍ରାମ ପୁରୀ ରଘୁରାଜପୁରର ପଟ୍ଟଚିତ୍ର ଶିଳ୍ପୀ ଅଭିମନ୍ୟୁ ବାରିକୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ପ୍ରସ୍ତୁତ ପଟ୍ଟଚିତ୍ରକୁ ସାମ୍‍ସଙ୍ଗ ଟିଭି ଫ୍ରେମରେ ଦେଖିବାକୁ ମିଳିବ। ଯାହାକି ପୁରୀ ତଥା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ମାନସ କୁମାର ମଙ୍ଗରାଜ। ସେ ଟୁଇଟ୍‍ କରି ରଘୁରାଜପୁରର ସମସ୍ତ ଶିଳ୍ପୀଙ୍କୁ ଧନ୍ୟବାଦ ଦେବା ସହ ଓଡ଼ିଶାର କଳା, ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ସେମାନଙ୍କ ଅବଦାନକୁ ପ୍ରଶଂସା କରିଛନ୍ତ। ରଘୁରାଜପୁର ଭାରତର ଏକମାତ୍ର ଗାଁ, ଯେଉଁଠି ପ୍ରତ୍ୟେକ ପରିବାର ପଟ୍ଟଚିତ୍ର, କାଠ ଖେଳନା, ପଥର ଖୋଦେଇ ଆଦି ବିଭିନ୍ନ ପ୍ରକାର ହସ୍ତଶିଳ୍ପ କାର୍ଯ୍ୟରେ ନିଜକୁ ନିୟୋଜିତ କରିଆସୁଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପେଣ୍ଟିଂରେ ବ୍ୟବହୃତ ସବୁ ରଙ୍ଗ ପ୍ରାକୃତିକ ବୋଲି ଟୁଇଟ୍‍ କରି ଖୁସିବ୍ୟକ୍ତ କରିଛନ୍ତି ରାଜ୍ୟସଭା ସଦସ୍ୟ ଶ୍ରୀ ମଙ୍ଗରାଜ।

ପଟ୍ଟଚିତ୍ର ପାଇଁ ପୃଥିବୀ ପ୍ରସିଦ୍ଧ ଶିଳ୍ପୀଗ୍ରାମ ରଘୁରାଜପୁର। ଗାଁର ପ୍ରତ୍ୟେକ ପରିବାର ବର୍ଷତମାମ୍‍ ପଟ୍ଟଚିତ୍ର ସାଙ୍ଗକୁ ଅନ୍ୟାନ୍ୟ ହସ୍ତଶିଳ୍ପ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି। ଏହି ଗାଁର ଅଭିମନ୍ୟୁ ବାରିକୀଙ୍କ ପରିବାରର ୧୯ଜଣ ସଦସ୍ୟ ପଟ୍ଟଚିତ୍ର କଳାକୁ ଆପଣାଇଛନ୍ତି। ଏବେ ଏହି ପରିବାର ସଦସ୍ୟଙ୍କ ଦ୍ୱାରା ପ୍ରସ୍ତୁତ ପଟ୍ଟଚିତ୍ର କଳା ସାମ୍‍ସଙ୍ଗ ଟିଭି ଫ୍ରେମ୍‍ରେ ସ୍ଥାନ ପାଇଛି। ଏ ସମ୍ପର୍କରେ ଅଭିମନ୍ୟୁ କହିଛନ୍ତି, କିଛି ମାସ ପୂର୍ବରୁ ବମ୍ବେରୁ ଜଣେ ବ୍ୟକ୍ତି ତାଙ୍କ ଘରକୁ ଆସିଥିଲେ। ସେମାନଙ୍କ ଦ୍ୱାରା ପ୍ରସ୍ତୁତ ପଟ୍ଟଚିତ୍ରକୁ ଦେଖି ବେଶ୍‍ ପ୍ରଶଂସା କରିଥିଲେ। ଫେରିବାର କିଛିଦିନ ପରେ ତାଙ୍କୁ ଫୋନ କରିଥିଲେ। ସାମ୍‍ସଙ୍ଗ ପକ୍ଷରୁ ନିଯୁକ୍ତ ଫ୍ଲୋଟିଂ କାନ୍‍ଭାସରୁ କହୁଛନ୍ତି ବୋଲି ପରିଚୟ ଦେଇ କଥା ହେବା ସହ କେତେକ ପଟ୍ଟଚିତ୍ରର ଫଟୋ ମଗାଇ ଥିଲେ। ଏହା ସାମ୍‍ସଙ୍ଗ ଟିଭି ଫ୍ରେମ୍‍ରେ ସ୍ଥାନୀତ କରାଯିବ ବୋଲି କହିଥିଲେ।


ଏଥିରେ ଅଭିମନ୍ୟୁଙ୍କ ବାପା କାଳୁଚରଣ ସହମତି ପ୍ରକାଶ କରିଥିଲେ। ପରେ କୃଷ୍ଣଲୀଳା, ରାମଲୀଳା, କୃଷ୍ଣଙ୍କ ରାସଲୀଳାର କେତେକ ଫଟୋ ବମ୍ବେ ମେଲ୍‍ କରିଥିଲେ। ଆଗକୁ କମ୍ପାନୀ ତାଙ୍କ ସହିତ ଯୋଡି ହୋଇରହିବ ଏବଂ ତାଙ୍କୁ ପାରିଶ୍ରମିକ ମିଳିବ ବୋଲି କହିଥିଲେ। ଓଡ଼ିଶାର ପଟ୍ଟଚିତ୍ର କଳା ସାମ୍‍ସଙ୍ଗ ଭଳି ଏକ ରାଷ୍ଟ୍ରାୟତ୍ତ କମ୍ପାନୀ ଟିଭି ଫ୍ରେମ୍‍ରେ ସ୍ଥାନ ପାଇବା ବଡ଼ କଥା ବୋଲି କହିଛନ୍ତି ଅଭିମନ୍ୟୁ। ଏହାଦ୍ୱାରା ଓଡ଼ିଶାର ହସ୍ତଶିଳ୍ପର ଆହୁରି ବିକାଶ ହୋଇପାରିବ। ଆମ କଳା, ସଂସ୍କୃତି ଦେଶ ବିଦେଶରେ ପହଞ୍ଚିପାରିବ। ତେଣୁ ଏହା ନିଶ୍ଚିତ ପ୍ରତ୍ୟେକ ପଟ୍ଟଚିତ୍ର ଶିଳ୍ପୀଙ୍କ ପାଇଁ ଗର୍ବର କଥା ବୋଲି କହିଛନ୍ତି ଅଭିମନ୍ୟୁ।

ରଘୁରାଜପୁରର ଶିଳ୍ପୀମାନେ କେବଳ ପଟ୍ଟଚିତ୍ର ନୁହେଁ, ଗୋବର କଣ୍ଢେଇ, କାଠ ଖଣ୍ଢେଇ ସହିତ ପଥର ଏବଂ ତାଳପତ୍ରରେ ବିଭିନ୍ନ ପ୍ରକାର ଆକର୍ଷଣୀୟ ହସ୍ତଶିଳ୍ପ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ସବୁଠୁ ବଡ଼ କଥା ହେଉଛି ଏମାନେ କୌଣସି ରାସାୟନିକ ରଙ୍ଗ ବ୍ୟବହାର କରନ୍ତି ନାହିଁ। ପ୍ରତ୍ୟେକ ପରିବାର ପ୍ରାକୃତିକ ରଙ୍ଗ ଯେପରି କି ଶଙ୍ଖରୁ ଧଳା, ହେଙ୍ଗୁଳରୁ ନାଲି, ହରିତାଳରୁ ହଳଦିଆ, ଗେରୁ ମାଟିରୁ ଗେରୁଆ, ଦୀପକଳାରୁ କଳା, ଖଣ୍ଡନୀଳ ପଥରରୁ ନୀଳ ରଙ୍ଗ ବ୍ୟବହାର କରିଥାନ୍ତି। କଇଁଥ ଗଛର ଅଠା ସବୁ ରଙ୍ଗରେ ମିଶାଯାଏ। ଫଳରେ ରଙ୍ଗକୁ ଏହା ଧରି ରଖିଥାଏ ବୋଲି କହିଛନ୍ତି ଯୁବଶିଳ୍ପୀ ଅଭିମନ୍ୟୁ।

Leave A Reply

Your email address will not be published.