ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମୟ ଆସୁଛି ଓଡ଼ିଶାର ନିଜସ୍ୱ ବ୍ରାଣ୍ଡକୁ ଜାତୀୟ ତଥା ଆନ୍ତର୍ଜାତୀୟ ବ୍ରାଣ୍ଡ ଭାବରେ ଗଣାଯିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଓଡିଶା ଏକ ଶିଳ୍ପ ସମୃଦ୍ଧ ରାଜ୍ୟ ଭାବେ ଆଗେଇ ଚାଲିଛି। ଦେଶ ବିଦେଶର ବଡ଼ ବଡ଼ ଶିଳ୍ପସଂସ୍ଥା ଓ ଶିଳ୍ପପତିମାନେ ଓଡ଼ିଶାରେ ପୁଞ୍ଜିନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ଆମ ସରକାର ମଧ୍ୟ ସେମାନଙ୍କୁ ରାଜ୍ୟରେ ଶିଳ୍ପସଂସ୍ଥା ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେଉଛି। ସେ ଦିନ ଆଉ ଅଧିକ ସମୟ ନୁହେଁ, ଯେଉଁଦିନ ଓଡ଼ିଶାର ନିଜସ୍ୱ ବ୍ରାଣ୍ଡକୁ ଜାତୀୟ ତଥା ଆନ୍ତର୍ଜାତୀୟ ବ୍ରାଣ୍ଡ ଭାବରେ ଗଣାଯିବ। ଶୁକବ୍ରାର ସମ୍ବାଦଗ୍ରୁପର ବ୍ରାଣ୍ଡ ଅଫ୍ ଓଡିଶା , ପ୍ରାଇଡ ଅଫ ଇଣ୍ଡିଆର ଷଷ୍ଠ ସଂସ୍କରଣ ଉତ୍ସବରେ ଭର୍ଚୁଆଲରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଭିଡିଓ ବାର୍ତ୍ତାରେ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୩୬ ରେ ଓଡ଼ିଶା ପ୍ରତିଷ୍ଠା ହେବାର ଶତବାର୍ଷିକୀ ପାଳନ କରିବ। ସେହି ସମୟ ସୁଦ୍ଧା  ଓଡିଶାକୁ ଏକ ଶିଳ୍ପସଂଖ୍ୟାରେ ସମୃଦ୍ଧ ରାଜ୍ୟ,  ଏକ ସଶକ୍ତିକରଣ ରାଜ୍ୟ କରିବା ପାଇଁ ତାଙ୍କ ସରକାରଙ୍କର ଦୂରଦୃଷ୍ଟି ରହିଛି। ଓଡ଼ିଶା ଏବେ ପୁଞ୍ଜି ବିନିଯୋଗ ଲାଗି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଓଡିଶାରେ ପୁଞ୍ଜିନିବେଶ କରିବା ପାଇଁ ଦେଶବିଦେଶ କମ୍ପାନୀ ଗୁଡିକ ସେମାନଙ୍କ ଆଗ୍ରହ ପ୍ରକାଶ କରିଛନ୍ତି । ମେକ ଇନ ଓଡିଶା-୩.୦ରେ ଓଡିଶାରେ ୧୦ଲକ୍ଷ କୋଟିର ପୁଞ୍ଜିନିବେଶ କରିବାର ସୁଯୋଗ ସୃଷ୍ଟି ହୋଇଛି । ଏହାଦ୍ବାରା ୧୦ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ।

“ମୁଁ ବିଶ୍ୱାସ କରେ ଆମର ସମୟ ଆସିଛି। ଆମେ ଗତି ଧରିଛୁ । ଆମେ ଆମର ପୁରୁଣାକାଳିଆ ନୀତିଗୁଡିକୁ ପରିବର୍ତନ କରି ନୂତନ ଆବଶ୍ୟକତା ଅନୁଯାୟୀ ଶିଳ୍ପନୀତି ପ୍ରଣୟନ କରିଛୁ। ଯାହା ଯୁବ ଉଦ୍ୟୋଗୀଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିବାରେ ସଫଳ ହୋଇଛି। ଆମେ ମଧ୍ୟ ଆମର ମହିଳା ମାନଙ୍କ ଉପରେ ବିନିଯୋଗ କରୁଛୁ ଏବଂ ଆମର ସେଲ୍ଫ ହେଲ୍ପ ଗ୍ରୁପ୍ଗୁଡ଼ିକୁ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗରେ ପରିଣତ କରିବା ପାଇଁ ପଦକ୍ଷେପ ନେଉଛୁ ବୋଲି ସେ କହିଛନ୍ତି। ଆସନ୍ତାଦିନରେ ସମସ୍ତଙ୍କ ସହଯୋଗରେ ଓଡିଶା ଏକ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ ହେବ ଏଥିରେ ସନ୍ଦେହ ନାହିଁ।

ରାଜ୍ୟର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡିକ ଏବେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପୋଦ୍ୟୋଗୀ ହେବାରେ ଲାଗିଛନ୍ତି । ଯାହାକୁ ମହିଳା ସଶକ୍ତିକରଣ ଦିଗରେ ଆମେ ଆଗକୁ ବଢୁଛନ୍ତି। ପ୍ରାଚୀନ କାଳରେ ଆମର ସାମୁଦ୍ରିକ ବାଣିଜ୍ୟର ଗୌରବକୁ ଆମେ ଅଧିକାଂଶ ସମୟରେ ସ୍ମରଣ କରିଥାଉ। ଆମେ ସବୁବେଳେ ଆମର ଅତୀତର ଗୌରବ ଉପରେ ଭରସା କରିପାରିବୁ ନାହିଁ । ସେହି ଗୌରବକୁ ପୁନର୍ଜୀବିତ ଏବଂ ପୁନଃ ନିର୍ମାଣ କରିବା ପାଇଁ ଆମକୁ ମିଳିତ ଭାବରେ କାର୍ଯ୍ୟ କରିବାକୁ ପଡିବ ” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ)ର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଅତିଥି ଭାବେ ଯୋଗ ଦେଇଛନ୍ତି।

Leave A Reply

Your email address will not be published.