ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାର ଅତି ଉତ୍ତମ ପ୍ରଦର୍ଶନ, ‘ଇଣ୍ଡିଆ ଟୁଡେ ଟପ୍‍-୨୦’ ତାଲିକାର ଷଷ୍ଠ ସ୍ଥାନରେ ଓଡ଼ିଶା

ଭୁବନେଶ୍ୱର : ପର୍ଯ୍ୟଟନକୁ ଶିଳ୍ପ ଭାବରେ ଗ୍ରହଣ କରିଛି ଓଡ଼ିଶା। ଭିତ୍ତିଭୂମି ଉନ୍ନୟନଠାରୁ ଆରମ୍ଭ କରି ଏହାର ପରିଚାଳନାକୁ ଗୁରୁତ୍ୱ ଦେଉଛି। ରାଜ୍ୟ ପର୍ଯ୍ୟଟନର ବିକାଶ ଏତେ ଦ୍ରୁତ ଗତିରେ ହେବାରେ ଲାଗିଛି ଯେ ଏକଦା ପଛରେ ଥିବା ଓଡ଼ିଶା ସିଧା ୬ ନମ୍ବର ସ୍ଥାନରେ ପହଞ୍ଚିଛି। ପର୍ଯ୍ୟଟନ କ୍ଷେତ୍ରରେ ଇଣ୍ଡିଆ ଟୁଡେର ଏକ ସର୍ଭେ ଅନୁସାରେ ଟପ୍‍-୨୦ ତାଲିକାରେ ସ୍ଥାନ ପାଇଛି ଓଡ଼ିଶା। ‘ଇଣ୍ଡିଆ ଟୁଡେ ବେଷ୍ଟ ପରଫରର୍ମିଂ ବିଗ୍‍ ଷ୍ଟେଟସ୍‍ ଟୁରିଜିମ୍‍’ ତାଲିକାରେ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶା ୬ନମ୍ବର ସ୍ଥାନରେ ରହିଛି। ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ପର୍ଯ୍ୟଟନ ବିଭିନ୍ନ କ୍ଷେତ୍ରରେ ଆଗୁଆ ରହିଥିବା ଏଥିରେ ଉଲ୍ଲେଖ ରହିଛି।

ତେବେ ଏହି ତାଲିକାରେ ପ୍ରଥମ ସ୍ଥାନରେ କେରଳ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଆସାମ, ତୃତୀୟ ସ୍ଥାନରେ ଗୁଜୁରାଟ, ଚତୁର୍ଥ ସ୍ଥାନରେ ମହାରାଷ୍ଟ୍ର, ପଞ୍ଚମ ସ୍ଥାନରେ ଉତ୍ତରାଖଣ୍ଡ ରହିଥିବା ବେଳେ ଷଷ୍ଠ ସ୍ଥାନରେ ଓଡ଼ିଶା ସ୍ଥାନ ପାଇଛି। ସେହିପରି ସପ୍ତମ ସ୍ଥାନରେ ରାଜସ୍ଥାନ, ଅଷ୍ଟମ ସ୍ଥାନରେ ବିହାର, ନବମରେ ପଞ୍ଜାବ, ଦଶମରେ ହରିୟାନାକୁ ସ୍ଥାନୀତ କରାଯାଇଛି।

ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ଭିତ୍ତିଭୂମି ଉନ୍ନୟନ ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଇନଫ୍ରାଷ୍ଟ୍ରକଚର୍‍ ଗ୍ୟାପ୍‍ ଆସେସମେଣ୍ଟ ମାଧ୍ୟମରେ ଭିତ୍ତିଭୂମିର ସମୀକ୍ଷା କରାଯାଇ ଆବଶ୍ୟକୀୟ ପଦକ୍ଷେପ ନିଆଯାଉଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି, ଚିନ୍ତାଧାରା ଓ ଓଡ଼ିଶା ପର୍ଯ୍ୟଟନରେ ଏକ ପରିବର୍ତ୍ତନ ଆଣିବା ନିମନ୍ତେ ରହିଥିବା ଆନ୍ତରିକତା ପାଇଁ ଆଜି ଓଡ଼ିଶା ପର୍ଯ୍ୟଟନ ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିପାରିଛି। ରାଜ୍ୟର ପର୍ଯ୍ୟଟନ ସାମଗ୍ରିକ ବିକାଶ ତଥା ବିଭିନ୍ନ ପର୍ଯ୍ୟଟନ ଉତ୍ପାଦ ସୃଷ୍ଟି ପାଇଁ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ଭିତ୍ତିଭୂମି ଉନ୍ନତିକରଣ ନିମନ୍ତେ ବିଭାଗ ଅଗ୍ରାଧିକାର ଭିତ୍ତିରେ ପଦକ୍ଷେପ ନେଉଛି। ଏହାଦ୍ୱାରା ପର୍ଯ୍ୟଟକଙ୍କ ଆଗମନରେ ବୃଦ୍ଧି ହେବା ସହିତ ସେହି ଅଞ୍ଚଳର ଅର୍ଥନୈତିକ ଅଭିବୃଦ୍ଧି ହେଉଛି। ଏହାକୁ ଆଖିଆଗରେ ରଖି ବିଭାଗ ଦ୍ୱାରା ୧୩ଟି ସ୍ଥାନର ଏକୀକୃତ ମାଷ୍ଟରପ୍ଲାନିଂ ପ୍ରସ୍ତୁତ କରାଯାଇ ଉନ୍ନତ ଧରଣର ଭିତ୍ତିଭୂମି ନିର୍ମାଣ ନିମନ୍ତେ ପଦକ୍ଷେପ ନିଆଯାଉଛି।

ସେହିକ୍ରମରେ ଓଡ଼ିଶା ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ‘ଇକୋ ରିଟ୍ରିଟ୍‍’ ମୁଖ୍ୟ ଭୂମିକା ନେଇଛି। ପ୍ରକୃତିକୁ ଅତି ନିକଟରୁ ଉପଭୋଗ କରିବାର ସୁଯୋଗ ଦେଇଛି ଦେଇଛି ‘ଇକୋ ରିଟ୍ରିଟ’୍‍। ସିଙ୍ଗଲୱିଣ୍ଡୋ କ୍ଲିୟରାନ୍ସ ସିଷ୍ଟମ ମାଧ୍ୟମରେ ନିବେଶକଙ୍କ ଆତ୍ମବିଶ୍ୱାସ ବୃଦ୍ଧି ହେତୁ ଏହି ବର୍ଷ ପର୍ଯ୍ୟଟନ ବିଭାଗ ରାଜ୍ୟର ପର୍ଯ୍ୟଟନ ତଥା ଅତିଥ୍ୟ ଭିତ୍ତିଭୂମି ବୃଦ୍ଧି ପାଇଁ ପର୍ଯ୍ୟଟନ ନୀତି ଅନୁଯାୟୀ ବହୁ ସଂଖ୍ୟକ ପ୍ରସ୍ତାବ ଆଶା କରୁଛି। ଏହାବ୍ୟତୀତ ସିଙ୍ଗଲୱିଣ୍ଡୋ ସିଷ୍ଟମ ମାଧ୍ୟମରେ ଚିଲିକାରେ କ୍ରୁଜ୍‍ ବୋଟ୍‍ ଓ ହାଉସ୍‍ ବୋଟ୍‍ ଏବଂ ହୀରାକୁଦ ଠାରେ କ୍ରୁଜ୍‍ ବୋଟ୍‍ ଚଳାଚଳ ନିମନ୍ତେ ଘରୋଇ ଉଦ୍ୟୋଗୀଙ୍କୁ ଅନୁମୋଦନ ପ୍ରଦାନ କରିଛନ୍ତି। ଓଡ଼ିଶା ହୋମ୍‍ ଷ୍ଟେ ଏସଷ୍ଟାବ୍ଲିସମେଣ୍ଟ ସ୍କିମ୍‍ ମାଧ୍ୟମରେ ସ୍ଥାନୀୟ ଘରେ ରହିବା ସମୟରେ ପର୍ଯ୍ୟଟକଙ୍କୁ ଆତିଥ୍ୟ, ପାରମ୍ପରିକ ରୋଷେଇ ଏବଂ ଅନ୍ୟାନ୍ୟ ସ୍ଥାନୀୟ ସାଂସ୍କୃତିକ ଅନୁଭୂତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶାରେ ହୋମ୍‍ ଷ୍ଟେ କାର୍ଯ୍ୟକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରହିଛି। ଏହି ଯୋଜନାରେ ୫ବର୍ଷ ମଧ୍ୟରେ ସର୍ବାଧିକ ୪୦୦ହୋମ୍‍ ଷ୍ଟେ ରହଣୀସ୍ଥଳ ପ୍ରତିଷ୍ଠା ପାଇଁ ଯୋଜନା ରହିଛି।

Leave A Reply

Your email address will not be published.