ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗବେଷଣା ପାଇଁ ଓଡ଼ିଶା ପ୍ରସ୍ତୁତ କରିବ ସ୍ୱତନ୍ତ୍ର ବଜେଟ

ଭୁବନେଶ୍ୱର : ଆସନ୍ତା ଆର୍ଥିକ ବର୍ଷ ରାଜ୍ୟ ସରକାର ବଜେଟ୍‍ରେ ଗବେଷଣା ଓ ବିକାଶ (ରିସର୍ଚ୍ଚ ଆଣ୍ଡ ଡେପଲପମେଣ୍ଟ- ଆର ଆଣ୍ଡ ଡି) ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ କରିବେ। ଏପରିସ୍ଥଳେ କେଉଁ କ୍ଷେତ୍ରରେ ଗବେଷଣା କରାଯିବ ଏବଂ ଏଥିପାଇଁ ବାର୍ଷିକ କେତେ ପାଣ୍ଠି ଆବଶ୍ୟକ ତାହାର ତାଲିକା ପ୍ରସ୍ତୁତ କରି ଯୋଜନା ଓ ସଂଯୋଜନ ବିଭାଗ ଏବଂ ଅର୍ଥ ବିଭାଗକୁ ଜଣାଇବା ପାଇଁ କୁହାଯାଇଛି। ଏନେଇ ଅର୍ଥ ବିଭାଗ ପ୍ରମୁଖ ସଚିବ ବିଶାଲ ଦେବ ସବୁ ବିଭାଗର ସଚିବ ତଥା ବିଭାଗୀୟ ମୁଖ୍ୟଙ୍କୁ ପତ୍ର ଲେଖି ଯଥାଶୀଘ୍ର ରିପୋର୍ଟ ଦେବା ପାଇଁ କହିଛନ୍ତି।

ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟ ଓ କେନ୍ଦ୍ର ଶାସୀତ ଅଞ୍ଚଳର ସରକାର କେତେ ପରିମାଣର ବଜେଟ୍‍ ପ୍ରସ୍ତୁତ କରୁଛନ୍ତି, କେଉଁ କ୍ଷେତ୍ର ପାଇଁ କେତେ ବ୍ୟୟବରାଦ ହୋଇଛି ତାକୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲା। ତେବେ ଆରବିଆଇ ଆର ଆଣ୍ଡ ବି’କୁ ନେଇ ରିପୋର୍ଟ ପ୍ରସ୍ତୁତ କରିବ। ସମୟର ଆବଶ୍ୟକତା ଦୃଷ୍ଟିରୁ ବିଭିନ୍ନ କ୍ଷେତ୍ରରେ ଆର ଆଣ୍ଡ ଡି’ର ବିକାଶ କରିବା ଏକାନ୍ତ ଆବଶ୍ୟକ। ଗବେଷଣା ଦ୍ୱାରା ବିଭିନ୍ନ ସେବା ଏବଂ ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଅଧିକ ଫଳପ୍ରଦ ହେବ। ଏହି ମର୍ମରେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ଆର ଆଣ୍ଡ ଡି ପାଇଁ ବ୍ୟୟବରାଦ କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ବିଭାଗର ବଜେଟ୍‍ ପ୍ରସ୍ତାବ ଯୋଜନା ଓ ସଂଯୋଜନା ଏବଂ ଅର୍ଥ ବିଭାଗର ହସ୍ତଗତ ହେବା ପରେ ରାଜ୍ୟ ସରକାର ବଜେଟ୍‍ ପ୍ରସ୍ତୁତ କରୁଛନ୍ତି। ଏପରିସ୍ଥଳେ କେବଳ ଆର ଆଣ୍ଡ ଡି ପାଇଁ ସ୍ୱତନ୍ତ୍ର ବଜେଟ୍‍ ପ୍ରସ୍ତୁତ କରାଯିବା ଜରୁରୀ। ତେଣୁ ବିଭାଗ ପକ୍ଷରୁ କେଉଁ କ୍ଷେତ୍ରରେ ଗବେଷଣା ପାଇଁ କେତେ ଅର୍ଥ ଆବଶ୍ୟକ ତାହାର ଯୋଜନା ପ୍ରସ୍ତୁତ କରିବେ। ବିଭାଗ ନିକଟରେ ବଜେଟ ପ୍ରସ୍ତାବ ଦାଖଲ ପୂର୍ବରୁ ଅମ୍ବ୍ରେଲା ସ୍କିମ୍‍ ଅବା ସବ୍‍ ସ୍କିମ୍‍ରେ ପାଣ୍ଠି ଆବଶ୍ୟକ ତାହା ଉଲ୍ଲେଖ କରିବା ଜରୁରୀ। ସେହିପରି ଆର ଆଣ୍ଡ ଡି’ କ୍ଷେତ୍ରରେ କାମ କରୁଥିବା ଅନୁ ବିଭାଗ, ସ୍ୱୟଂଶାସୀତ ଅନୁଷ୍ଠାନ, ସୋସାଇଟି, ବୋର୍ଡ ଆଦି ସ୍ପଷ୍ଟ କରିବା ଆବଶ୍ୟକ। ଗତ ଆର୍ଥିକ ବର୍ଷ ବଜେଟ୍‍ରେ କେତେ ଅନୁଦାନ ମିଳିଥିଲା ଏବଂ ଆର ଆଣ୍ଡି ସହିତ ସମୁଦାୟ କେତେ ଅନୁଦାନ ଆବଶ୍ୟକ ତାହା ଜଣାଇବା ପାଇଁ ବିଭାଗୀୟ ମୁଖ୍ୟଙ୍କୁ କୁହାଯାଇଛି।

ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ପରିମଳ, ଶିକ୍ଷା, ଶ୍ରମ, ଭିତ୍ତିଭୂମି ଗବେଷଣା, କୃଷି, ଶିଳ୍ପ, ସାମାଜିକ ସୁରକ୍ଷା, ଅନୁସୂଚିତ ଜାତି ଓ ଜନଜାତି, ପରିବେଶ, ଗୃହ ଓ ନଗର ଉନ୍ନୟନ ଆଦି କ୍ଷେତ୍ରରେ ଆର ଆଣ୍ଡ ଡି ବ୍ୟବସ୍ଥା ଅଛି। ଅର୍ଥନୀତି ବିଶେଷଜ୍ଞ ଡଃ ପ୍ରଭାସ ମିଶ୍ର କହିଛନ୍ତି, ରାଜ୍ୟ ସରକାର ଅନେକ ଯୋଜନା ଓ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। କାମ ମଧ୍ୟ ହେଉଛି। ତେବେ ପ୍ରତ୍ୟେକ କ୍ଷେତ୍ରରେ ବିଶେଷକରି ଲୋକଙ୍କ ସହ ସିଧାସଳଖ ଜଡ଼ିତ ଥିବା ବିଭାଗ ନିଜ ଯୋଜନା, ପ୍ରକଳ୍ପ, କାର୍ଯ୍ୟକ୍ରମ ସମ୍ପର୍କରେ ଅନୁଧ୍ୟାନ କରିବା ଜରୁରୀ। ଏହାର ଅଭାବରେ ଅନେକ ଲୋକାଭିମୁଖୀ କାର୍ଯ୍ୟକ୍ରମ ଫଳପ୍ରଦ ହୋଇ ପାରୁ ନାହିଁ। ତେବେ ରାଜ୍ୟ ସରକାର ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ପାଇଁ ସ୍ୱତନ୍ତ୍ର ବଜେଟ୍‍ ପ୍ରସ୍ତୁତ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ। ଏହା ଦ୍ୱାରା ଯୋଜନା ଓ କାର୍ଯ୍ୟକ୍ରମ ଅଧିକ ଫଳପ୍ରଦ ହେବା ସହ ଦୋଷ ତ୍ରୁଟି ସଂଶୋଧନ କରାଯାଇ ପାରିବ। ଅପରପକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୁୃତ ତଥ୍ୟ ଉପଲବ୍ଧ ହେବ। ସରକାରୀ ଯୋଜନା କିପରି ଓ କେତେଦୂର ସଫଳ ହୋଇଛି ତାହାର ସୂଚନା ରାଜ୍ୟ ସରକାର ଲୋକଙ୍କ ପାଖରେ ପହଞ୍ଚାଇବା ସହଜ ହେବ ବୋଲି ଡ ମିଶ୍ର କହିଛନ୍ତି।

Leave A Reply

Your email address will not be published.