ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟ ଶିଳ୍ପାୟନକୁ ସମୃଦ୍ଧ କରିବ ‘ମେକ୍‌ ଇନ୍‌ ଓଡ଼ିଶା’: ଓଡ଼ିଶା ଆସିବ ‘ଇଭି’ ଶିଳ୍ପ, ଆଇଆଇଟି ଆରମ୍ଭ କରିବ ଇଭି ଏମ୍‌ଟେକ୍‌ ପାଠ୍ୟକ୍ରମ

ରାଜ୍ୟ ସରକାର ପ୍ରଣୟନ କିଛନ୍ତି ଇଭି ପଲିସି-୨୦୨୧

ଭୁବନେଶ୍ୱର: ରାଜ୍ୟକୁ ପୁଞ୍ଜିନିବେଶ ଆଣିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବାକୁ ନୀତି ପ୍ରଣୟନ କରିଛନ୍ତି । ତେବେ ଚଳିତ ବର୍ଷ ଖୋଦ୍‌ ମୁଖ୍ୟମନ୍ତ୍ରୀ ବିଭିନ୍ନ ସ୍ଥାନରେ ଦେଶ ବିଦେଶର ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ନିମନ୍ତ୍ରଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଆଗାମୀ ନଭେମ୍ବର ୩୦ରୁ ଆରମ୍ଭ ହେବାକୁଥିବା ମେକ୍‌ଇନ୍‌ ଓଡ଼ିଶା ଅନେକ ଦୃଷ୍ଟିରୁ ଗୁରୁତ୍ୱ ବହନ କରିଛି । ଓଡ଼ିଶାରେ ଉତ୍ପାଦନ ନିମନ୍ତେ କିଛି ଇଭି ଚାର୍ଜିଂ ଷ୍ଟେସନ ନିର୍ମାତା ରାଜ୍ୟ ସରକାରଙ୍କୁ ଇତିମଧ୍ୟରେ ପ୍ରସ୍ତାବ ଦେଇଛନ୍ତି । ସେହିପରି ଦେଶର କିଛି ପ୍ରମୁଖ ବୈଦ୍ୟୁତିକ ଯାନ ନିର୍ମାତା ଆଗାମୀ କନ୍‌କ୍ଲେଭରେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରି ଥିବାରୁ ଓଡ଼ିଶାରେ ଆଗାମୀ ଦିନରେ ଅଟୋମୋବାଇଲ କମ୍ପାନୀ ସ୍ଥାପନ ହେବା ସମ୍ଭାବନା ରହିଛି । ରାଜ୍ୟରେ ବିଦ୍ୟୁତ ଚାଳିତ ଯାନ, ହାଇବ୍ରିଡ୍‌ ଯାନ ନିର୍ମାଣ ପାଇଁ ପର୍ଯ୍ୟାପ୍ତ ଭିତ୍ତିଭୂମି ରହିଛି । ଜମି, ଜଳ, ବିଦ୍ୟୁତ ସର୍ବୋପରି ରାଜ୍ୟରେ ଅଟୋମୋବାଇଲ୍‌ କ୍ଷେତ୍ରରେ ଦକ୍ଷ ମାନବସମ୍ବଳ ସଂଖ୍ୟା ପୂର୍ବାପେକ୍ଷା ବୃଦ୍ଧି ପାଇଛି । ରାଜ୍ୟର ବିଭିନ୍ନ ଆଇଟିଆଇରୁ ଉତ୍ତୀର୍ଣ୍ଣ ଦକ୍ଷ ମାନବସମ୍ବଳ ବିଭିନ୍ନ ଅଟୋମୋବାଇଲ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ।

ପେଟ୍ରୋଲିୟମ ସାମଗ୍ରୀର ବର୍ଦ୍ଧିତ ମୂଲ୍ୟ ଓ ପ୍ରଦୂଷଣ ଯୋଗୁଁ ସମ୍ପ୍ରତି ଦେଶ ତଥା ରାଜ୍ୟରେ ବିଦ୍ୟୁତ ଚାଳିତ ଯାନ ପ୍ରତି ଲୋକଙ୍କ ଆକର୍ଷଣ ବୃଦ୍ଧି ପାଉଛି । ପରିବେଶ ସୁରକ୍ଷା ଓ ଇନ୍ଧନର ଅପଚୟ ରୋକିବା ଦୃଷ୍ଟିରୁ ରାଜ୍ୟ ସରକାର ବିଦ୍ୟୁତ ଚାଳିତ ଯାନକୁ ପ୍ରୋତ୍ସାହନ ଦେଉଛନ୍ତି । ଏଥିପାଇଁ ଇଭି ପଲିସୀ-୨୦୨୧ରେ ପ୍ରଣୟନ କରାଯାଇଛି । ଏହି ନୀତି ଅନୁସାରେ ଓଡ଼ିଶାରେ ବିଦ୍ୟୁତ ଚାଳିତ ଯାନ, ଉପକରଣ, ଯନ୍ତ୍ରାଂଶ ଅବା ଚାର୍ଜିଂ ଷ୍ଟେସନ୍‌ ୟୁନିଟ୍‌ ସ୍ଥାପନ ହେଲେ ରାଜ୍ୟ ସରକାର ପ୍ରୋତ୍ସାହନ ପ୍ରଦାନ କରିବେ । ଅନୁରୂପ ଭାବରେ ପୁରୁଣା ଗାଡ଼ି ସ୍କ୍ରାପ୍‌ ଶିଳ୍ପ ପାଇଁ ମଧ୍ୟ ଏଥିରେ ପ୍ରୋତ୍ସାହନ ବ୍ୟବସ୍ଥା ଅଛି । ଏହି ଶିଳ୍ପକୁ ଆର୍ଥିକ ପ୍ରୋତ୍ସାହନ ସହିତ ଜମି ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ । କର୍ଣ୍ଣାଟକ, ଗୁଜରାଟ, ମହାରାଷ୍ଟ୍ର ଭଳି ରାଜ୍ୟ ଏହି ଶିଳ୍ପକୁ ଆକୃଷ୍ଠ କରିବା ପାଇଁ ଉଦ୍ୟମ ଚଳାଇଛନ୍ତି । ଭାରତରେ ଅଟୋମୋବାଇଲ୍‌ ଶିଳ୍ପର ଉତ୍ପାଦନ ୭.୫ ଲକ୍ଷ କୋଟି ଟଙ୍କା ଥିବା ବେଳେ ଏଥିରୁ ୩.୫ ଲକ୍ଷ କୋଟି ଟଙ୍କାର ସାମଗ୍ରୀ ବିଦେଶକୁ ରପ୍ତାନୀ କରାଯାଉଛି । ଏହି ଶିଳ୍ପର ବିକାଶ ହାର ୧୦% ରହିଛି । ଅଟୋମୋବାଇଲ୍‌ ଶିଳ୍ପରୁ ରାଜ୍ୟ ଓ କେନ୍ଦ୍ର ସରକାର ସର୍ବାଧିକ ଜିଏସ୍‌ଟି ପାଉଛନ୍ତି । ଏପରିସ୍ଥଳେ ବିଭିନ୍ନ ଦୃଷ୍ଟିକୋଣରୁ ଓଡ଼ିଶାରେ ଇଭି ଶିଳ୍ପର ସମ୍ଭାବନା ବେଶ୍‌ ଉଜ୍ଜ୍ୱଳ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି । ଯଦି ବୃହତ୍‌ ନିବେଶକ ନ ମିଳନ୍ତି ତା ହେଲେ ଏହି କ୍ଷେତ୍ର ସହିତ ଜଡ଼ିତ ଛୋଟ ଶିଳ୍ପକୁ ପ୍ରୋତ୍ସାହନ ଦିଆଯାଇ ପାରିବ । ଏହା ଦ୍ୱାରା ମଧ୍ୟ ବହୁ ନିଯୁକ୍ତି ସୁଯୋଗ ମିଳିବ ଏବଂ ଓଡ଼ିଶାରେ ପ୍ରତିବର୍ଷ ଶିକ୍ଷା ସମାପ୍ତ କରୁଥିବା ଦକ୍ଷ ମାନବ ସମ୍ବଳକୁ ରୋଜଗାର ମିଳିବ ।

କୌଣସି ଶିଳ୍ପ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ଦକ୍ଷ ମାନବ ସମ୍ବଳ । ଦକ୍ଷ ମାନବସମ୍ବଳ ସୃଷ୍ଟି କ୍ଷେତ୍ରରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ ପାଲଟିଛି । ସିପେଟ୍‌, ଆଇଆଇଟି, ଆଇଏମ୍‌ଏମ୍‌ଟି, ଏନ୍‌ଆଇଟି, ଆଇଆଇଏମ୍‌ ଭଳି ଜାତୀୟ ବୈଷୟିକ ପ୍ରତିଷ୍ଠାନ ଥିବା ବେଳେ ପ୍ରତିବର୍ଷ ବହୁ ସଂଖ୍ୟକ ମାନବସମ୍ବଳ ସୃଷ୍ଟି ହେଉଛନ୍ତି । ଆଇଆଇଟି ଭୁବନେଶ୍ୱର ଖୁବ୍‌ ଶୀଘ୍ର ଇଲେକ୍ଟ୍ରିକ୍‌ ଭେହିକିଲ୍‌ ସମ୍ପର୍କିତ ଏମ୍‌ଟେକ୍‌ ପାଠ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି । ଅପରପକ୍ଷେ ପ୍ରଥମ ରାଜ୍ୟ ଭାବେ ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଶତାଧିକ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରୁଛନ୍ତି । ସେହିପରି ରାଜ୍ୟରେ ୪୮ଟି ସବ୍‌ ଡିଭିଜନ୍‌ରେ ସରକାରୀ ଆଇଟିଆଇ ରହିଛି । ରାଜ୍ୟର ୨୫୧ ବ୍ଲକ୍‌ରେ ସରକାରୀ ଓ ବେସରକାରୀ ଆଇଟିଆଇ ରହିଛି । ଗତ ଅଗଷ୍ଟ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ନୂଆ ଆଇଟିଆଇ ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ । ଗୋଟିଏ ଗୋଟିଏ ସରକାରୀ ଆଇଟିଆଇ ଅନେକ ଶିଳ୍ପ ସଂସ୍ଥାଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ କରି ଦକ୍ଷ ମାନବ ସମ୍ବଳ ଯୋଗାଉଛନ୍ତି । ଏସବୁ ଦୃଷ୍ଟିରୁ ଓଡ଼ିଶାରେ ଦକ୍ଷ ମାନବ ସମ୍ବଳ ପାଇଁ ସମସ୍ୟା ରହିବ ନାହିଁ ବୋଲି କୁହାଯାଇଛି । ଓଡ଼ିଶାରେ ଏବେ ପ୍ରାୟ ସବୁ ଜିଲ୍ଲାରେ ବିଦ୍ୟୁତ ଚାଳିତ ଯାନର ବ୍ୟବହାର ହେଉଛି । ପ୍ରାୟ ୧୫ରୁ ଅଧିକ କମ୍ପାନୀର ଇଭି ଓଡ଼ିଶାରେ ବିକ୍ରୟ ହେଉଛି । ସେଥିରୁ କିଛି ନିର୍ମାତା ଓଡ଼ିଶାରୁ ଛୋଟ ଛୋଟ ଉପକରଣ/ଯନ୍ତ୍ରାଂଶ ନେଉଛନ୍ତି ।

ଏ ସଂକ୍ରାନ୍ତରେ ଭୁବନେଶ୍ୱର ଆଇଆଇଟି ସହକାରୀ ପ୍ରଫେସର ପ୍ରଶାନ୍ତ ସାହୁ କହିଛନ୍ତି ଯେ ଓଡ଼ିଶାରେ ଇଭି କିମ୍ବା ହ୍ରାଇବ୍ରିଡ୍‌ କାର ଉତ୍ପାଦନ ହେଲେ ଏହାର ଭବିଷ୍ୟତ ଖୁବ୍‌ ଉଜ୍ଜ୍ୱଳ ରହିବ । ଓଡ଼ିଶାରେ ଏଥିପାଇଁ ସମସ୍ତ ଅନୁକୂଳ ପରିବେଶ ରହିଛି । ନିକଟରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ରାଜ୍ୟରେ ଆୟୋଜନ କରିଥିବା ନିବେଶକ ସମ୍ମିଳନୀରେ ବହୁ ଖ୍ୟାତନାମା କମ୍ପାନୀ ଓଡ଼ିଶାକୁ ଆସିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ରାଜ୍ୟ ସରକାର ମଧ୍ୟ ଇଭି ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରିଛନ୍ତି । ତେଣୁ ଏହି କ୍ଷେତ୍ର ପ୍ରତି ଗୁରୁତ୍ୱ ପ୍ରଦାନ କଲେ ସରକାର ଓ ଜନସାଧାରଣ ଉପକୃତ ହୋଇପାରିବେ । ଅର୍ଥନୀତି ବିଶେଷଜ୍ଞ ପ୍ରଭାସ ମିଶ୍ର କହିଛନ୍ତି ଯେ ମେକ୍‌ ଇନ୍‌ ଓଡ଼ିଶା ହେଉ ଅବା ନିବେଶକ ସମ୍ମିଳନୀ ସେଥିରେ ବିଭିନ୍ନ କ୍ଷେତ୍ରରୁ ବିଶେଷକରି ଖଣି ସମ୍ପର୍କିତ ଶିଳ୍ପ ଆଗ୍ରହ ପ୍ରକାଶ କରୁଛନ୍ତି । ତେଣୁ ଇଭି ଶିଳ୍ପ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଗୁରୁତ୍ୱ ଦେଇ ନିବେଶକଙ୍କ ସହ ଆଲୋଚନା କରିବା ଜରୁରୀ । ଯଦି ବଡ଼ କମ୍ପାନୀ ନ ଆସୁଛନ୍ତି ତା ହେଲେ ସ୍ୱଳ୍ପ ପୁଞ୍ଜିରେ ଆନୁସଙ୍ଗିକ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ଏବଂ ଏହାର ସଫଳତାକୁ ଦେଖି ବୃହତ୍‌ କମ୍ପାନୀ ଓଡ଼ିଶା ଆସିବେ ।

Leave A Reply

Your email address will not be published.