ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୦୨୫ ଫେବ୍ରୁଆରୀ ଯାଏଁ ରାଜ୍ୟବାସୀଙ୍କୁ ମାଗଣାରେ ମିଳିବ ହୃଦରୋଗର ଚିକିତ୍ସା, ସତ୍ୟସାଇ ହାର୍ଟ ହସ୍ପିଟାଲ ସହ ଦୁଇ ବର୍ଷ ଚୁକ୍ତି ବଢ଼ାଇଲେ ସରକାର

ଭୁବନେଶ୍ୱର : ହୃଦରୋଗର ଦେୟମୁକ୍ତ ଚିକିତ୍ସା ସେବାରେ ବିରାମ ଲାଗିବ ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ‘ପ୍ରତିଟି ଜୀବନ ମୂଲ୍ୟବାନ୍‌‌’ ଓ ‘ସମସ୍ତଙ୍କୁ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସେବା’ ଆହ୍ୱାନକୁ ଚରିତାର୍ଥ କରିବା ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୁଚିନ୍ତିତ ରଣନୀତି ଜରିଆରେ ଅନେକ ପଦେକ୍ଷେପ ଗ୍ରହଣ କରୁଛି। ଏହି କ୍ରମରେ ମାଗଣା ହୃଦରୋଗ ଚିକିତ୍ସା ପାଇଁ ରାଜ୍ୟ ସରକାର ୪ ବର୍ଷ ହେଲାଣି ସତ୍ୟସାଇ ହାର୍ଟ ହସ୍ପିଟାଲ ସହ କରିଥିବା ଚୁକ୍ତିକୁ ଆଉ ୨ ବର୍ଷ ପାଇଁ ବଢ଼ାଇଛନ୍ତି। ଏହି ଚୁକ୍ତି ବଳରେ ରାଜ୍ୟର ହଜାରେ ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ମିଳିବ। ସେହିପରି ପ୍ରଶାନ୍ତି ମେଡିକାଲ ସର୍ଭିସେସ ଏଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍‌‌ ସହ ରାଜ୍ୟ ସରକାର ଦୁଇ ବର୍ଷ ଚୁକ୍ତି ବଢ଼଼ାଇଛନ୍ତି।

ସୂଚନା ଅନୁସାରେ ଗତ ୪ ବର୍ଷ ମଧ୍ୟରେ ରାଜ୍ୟର ୯୪୦ ଶିଶୁଙ୍କର ମାଗଣାରେ ହୃଦୟ ଅସ୍ତ୍ରୋପଚାର କରାଯାଇଛି। ୨୦୧୮ରୁ ୨୦୨୨ ମଧ୍ୟରେ ୨୫୬ ଜଣ ସାବାଳକଙ୍କର ମାଗଣାରେ ଅସ୍ତ୍ରୋପଚାର କରାଯାଇଛି। ଅହମ୍ମଦାବାଦ ଓ ରାଜକୋଟରେ ଥିବା ପ୍ରଶାନ୍ତି ମେଡିକାଲ ସର୍ଭିସେସ ଏଣ୍ଡ ରିସର୍ଚ୍ଚ ସହ ରାଜ୍ୟ ସରକାର ୪ ବର୍ଷ ତଳୁ ଚୁକ୍ତି କରିଥିଲେ। ବିଭିନ୍ନ ଜିଲ୍ଲା ଚିକିତ୍ସାଳୟ ଓ ମେଡିକାଲ କଲେଜରେ ହୃଦରୋଗୀଙ୍କ ସ୍କ୍ରିନିଂ କ୍ୟାମ୍ପ ଜରିଆରେ ରୋଗୀଙ୍କୁ ଚିହ୍ନଟ କରାଯାଉଛି। ଚୁକ୍ତି ବଳରେ ବର୍ଷକୁ ୫ ଶହ ଶିଶୁ ଓ ୫ ଶହ ଲୋକଙ୍କୁ ସତ୍ୟସାଇ ହାର୍ଟ ହସ୍ପିଟାଲରେ ମାଗଣା ଅସ୍ତ୍ରୋପଚାର କରିବା ପାଇଁ ବ୍ୟବସ୍ଥା ହୋଇଛି। ୩ ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ରୋଗୀଙ୍କୁ ଅହମ୍ମଦାବାଦର ଶ୍ରୀ ସତ୍ୟସାଇ ହସ୍ପିଟାଲରେ ଓ ୧୯ରୁ ୬୫ ବର୍ଷ ଲୋକଙ୍କୁ ରାଜକୋଟର ହସ୍ପିଟାଲରେ ମାଗଣା ଅପରେସନ କରାଯିବ।

ପ୍ରଶାନ୍ତି ମେଡିକାଲ ସର୍ଭିସେସ ଏଣ୍ଡ ରିସର୍ଚ୍ଚ ସହ ହୋଇଥିବା ଚୁକ୍ତି ଅନୁସାରେ ରୋଗୀଙ୍କ ଚିକିତ୍ସା ଓ ଅପରେସନ ସମ୍ପୂର୍ଣ୍ଣ ମାଗଣା ହେବାକୁ ଥିବା ବେଳେ ରୋଗୀ ସମ୍ପର୍କୀୟଙ୍କ ରହିବା ଖାଇବା ଖର୍ଚ୍ଚ ବି ସତ୍ୟସାଇ ହସ୍ପିଟାଲ ବହନ କରିବ। ଯିବା ଆସିବା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ରୋଗ ଚିହ୍ନଟ, ରୋଗର ସ୍ଥିତି ଜାଣିବା ପାଇଁ ସବୁ ପ୍ରକାର ପରୀକ୍ଷା ନିରୀକ୍ଷା ସହ ଡାକ୍ତରଖାନାରେ ଅସ୍ତ୍ରୋପଚାର, ଆଇସିୟୁ, ସମସ୍ତ ଉପକରଣ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦିଆଯିବ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବେ ରାଜ୍ୟବାସୀଙ୍କ ପାଇଁ ବରଦାନ ସାଜିଥିବା ବେଳେ ବିଏସକେୱାଇ କାର୍ଡ ନଥିଲେ ମଧ୍ୟ ଜଣେ ହୃଦରୋଗୀ ଦେଶର ସବର୍ବୃହତ ହସ୍ପିଟାଲରେ ମାଗଣାରେ ଚିକିତ୍ସା ପାଇପାରିବେ। ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ ବିଶେଷଜ୍ଞମାନେ ସ୍ୱାଗତ କରିଛନ୍ତି।

Leave A Reply

Your email address will not be published.