ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖରିଫ୍‌ରେ ମିଳିବ ୯୦୦୦ କୋଟିର କୃଷି ଋଣ, ଧାର୍ଯ୍ୟ ସମୟରେ ଶୁଝିଲେ ମିଳିବ ରିଆତି

ଭୁବନେଶ୍ୱର : ଚଳିତ ୨୦୨୨ ଖରିଫ୍‍ ଫସଲ ପାଇଁ ସମବାୟ ସଂସ୍ଥା ଜରିଆରେ ୯୦୦୦ କୋଟି ଟଙ୍କାର ଫସଲ ଋଣ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ରାଜ୍ୟରେ ମୋଟ ଫସଲ ରଣର ପ୍ରାୟ ୨୨ ପ୍ରତିଶତ ବୋଲି ଜଣାପଡ଼ିଛି। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ, ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଏବଂ ବିଭିନ୍ନ ପ୍ରାଥମିକ କୃଷି ଋଣ ସମବାୟ ସମିତି ମାଧ୍ୟମରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଛି। ଚାଷୀମାନେ ଆବଶ୍ୟକ କରୁଥିବା ରଣ ଯେପରି ଠିକ୍‍ ସମୟରେ ପାଇପାରିବେ ସେ ନେଇ ଆଗୁଆ ପଦକ୍ଷେପ ନେବା ପାଇଁ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଫସଲ ଋଣ ପ୍ରଦାନ କ୍ଷେତ୍ରରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଗ୍ରାଧିକାର ଦିଆଯିବ। ଭାଗଚାଷୀ, ପ୍ରକୃତ ଚାଷୀମାନଙ୍କୁ ଯୁଗ୍ମଦେୟ ଗୋଷ୍ଠୀ ଗଠନ ମାଧ୍ୟମରେ ଫସଲ ଋଣ ଯୋଗାଇଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। କୃଷି ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରାଧାନ୍ୟ ଦିଆଯିବ। ଅନୁରୂପ ଭାବେ ଡାଲି ଜାତୀୟ ଫସଲ, ତୈଳବୀଜ, ଆଳୁ ଏବଂ ଅନ୍ୟ ଅର୍ଥକରୀ ଫସଲ ଚାଷ କରିବା ପାଇଁ ଫସଲ ଋଣ ଯୋଗାଇଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି। ଏହି ମର୍ମରେ ସମବାୟ ବିଭାଗ ସଚିବଙ୍କ ଦ୍ୱାରା ଜିଲ୍ଲାପାଳମାନଙ୍କୁ ଚିଠି ଲେଖାଯାଇ ସମବାୟ ସଂସ୍ଥାମାନଙ୍କ ଦ୍ୱାରା ଫସଲ ଋଣ ପ୍ରଦାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ କୁହାଯାଇଛି। ବାଦ ପଡ଼ିଥିବା ଚାଷୀଙ୍କ ମଧ୍ୟରୁ ଅଧିକରୁ ଅଧିକ ଚାଷୀଙ୍କୁ ସମବାୟ ଋଣ ପରିସରଭୁକ୍ତ କରି ସେମାନଙ୍କୁ ନୂତନ କିଷାନ କ୍ରେଡିଟ୍‍ କାର୍ଡ ଯୋଗାଇ ଦିଆଯିବ। ଧାର୍ଯ୍ୟ ସମୟସୀମା ମଧ୍ୟରେ ପରିଶୋଧ କରୁଥିବା ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଉପରେ କୌଣସି ସୁଧ ଦେବାକୁ ପଡୁନାହିଁ।

ସେହିପରି ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ତଥା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ରଣ ନିମନ୍ତେ ମାତ୍ର ୨ % ସୁଧ ଦେବାକୁ ପଡ଼ୁଛି। ହିତାଧିକାରୀଙ୍କ ଆଧାର କାର୍ଡକୁ ସେମାନଙ୍କର କିଷାନ କ୍ରେଡିଟ୍‍ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୋଗ କରି ଋଣ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମବାୟ ସମିତିଗୁଡ଼ିକ ଖରିଫ ଚାଷ କାର୍ଯ୍ୟ ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ପର୍ଯ୍ୟାପ୍ତ ପରିମାଣର ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଗୋଦାମରେ ଗଚ୍ଛିତ ରଖୁବା ପାଇଁ କୁହାଯାଇଛି, ଯେପରି ଆବଶ୍ୟକତା ଅନୁସାରେ ଚାଷୀମାନେ ଠିକ୍‍ ସମୟରେ ପାଇପାରିବେ। ସେହିପରି ମାର୍କଫେଡ୍‍ ସଂସ୍ଥାକୁ ଆବଶ୍ୟକ ପରିମାଣର ସାର ସଂଗ୍ରହ କରି ବିଭିନ୍ନ ଗୋଦାମ, ଡିପୋ ସମେତ ଜିଲ୍ଲା ବ୍ଲକ ସ୍ତରରେ ମହଜୁଦ କରି ରଖୁବେ, ଯେପରି ସେଗୁଡ଼ିକ ତୁରନ୍ତ ସମବାୟ ସମିତିଗୁଡ଼ିକୁ ପ୍ରେରଣ କରାଯାଇପାରିବ , ସେ ଦିଗରେ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.