ଦେଶୀ ପାରାଙ୍କୁ ତାଲିମ ଦେବ ଓଡ଼ିଶା ପୁଲିସ, ଗୋଡ଼ରେ ଲଗାଯିବ ଅତ୍ୟାଧୁନିକ ଡିଭାଇସ୍‌‌

ଭୁବନେଶ୍ୱର : ବିଦେଶୀ ଗୁଇନ୍ଦା ପାରାକୁ ଠାବ କରିବା ପାଇଁ ଆମ ଦେଶୀ ପାରାଙ୍କୁ ତାଲିମ ଦିଆଯିବ। ଓଡ଼ିଶା ପୁଲିସର ପିଜିଅନ ସର୍ଭିସ ପକ୍ଷରୁ ପାରାଙ୍କୁ ତାଲିମ ଦିଆଯିବା ପରେ କାମରେ ଲଗାଯିବ। ଏହି ନିର୍ଦ୍ଦିଷ୍ଟ ପ୍ରଜାତିର ପାରା ଖବର ଦେବା ନେବା କାମ କରିବା ସହ ଶତ୍ରୁଦେଶର ସନ୍ଦିଗ୍ଧ ପାରାକୁ ଜଗିବ।

ପାରାର ନାଭିଗେସନ ପାୱାର ବା ଦିଗ ଚିହ୍ନଟ ଶକ୍ତି ଖୁବ ଅଧିକ ଥିବାରୁ ଅତି ସହଜରେ ସେ ଦିଗ ଜାଣିପାରେ। ପାରା କେବେ ନିଜ ଫେରିବା ବାଟ ଭୁଲେନି। ଯୁଆଡେ ବି ପଠାଇଲେ ଠିକଣା ସ୍ଥାନରେ ପହଁଞ୍ଚିଯାଏ ପାରା। ଏହାର ଗତି ଖୁବ ଅଧିକ, ପ୍ରତିକୂଳ ପାଗରେ ମଧ୍ୟ ଖୁବ ସହଜରେ ପାରା ଆକାଶରେ ଉଡ଼ିପାରେ। ଝଡ଼ ତୋଫାନ କିମ୍ୱା ଖରା, ବର୍ଷା, ଶୀତ ପାଗରେ ବି ବିନା ବାଧାରେ ଉଡ଼ିପାରେ ପାରା। ଖୁବ ଜୋରରେ ବହୁଥିବା ଝଡ଼ର ପବନ ତାର ଦିଗକୁ ବଦଳାଇପାରେ ନାହିଁ। ଏଥିପାଇଁ ଶତ୍ରୁ ଦେଶ ପାରାକୁ ଗୁଇନ୍ଦା ତଥ୍ୟ ପାଇଁ ବ୍ୟବହାର କରୁଛନ୍ତି। ତାଙ୍କ ଗୋଡରେ କ୍ୟାମେରା ଏବଂ ଚିପ୍‌‌ ଲଗାଇ ଛାଡୁଛନ୍ତି।

ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି ଯେ, ୧୯୦୯ ମସିହାରେ ପାରା ଦେହରେ କ୍ୟାମେରା ଲଗାଯାଇ ଭିଡିଓ ଏବଂ ଫଟୋ ଉଠା ଯାଇଥିଲା। ଜର୍ମାନ ଫଟୋଗ୍ରାଫର ପୋଷା ପାରା ବେକରେ କ୍ୟାମେରା ଲଗାଇ ଫଟୋ ଉଠାଇଥିଲେ। ଏହା ସଫଳ ହେବା ପରେ ପାରା ଗୋଡରେ କ୍ୟାମେରା ଲଗାଯାଇ ଛଡ଼ାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି, ଇତିହାସ କହେ ପ୍ରଥମ ବିଶ୍ୱଯୁଦ୍ଧରୁ ପାରା ଦ୍ୱାରା ଗୁଇନ୍ଦାଗିରି ଆରମ୍ଭ ହୋଇଥିଲା। ବିନା ସନ୍ଦେହରେ ଶତ୍ରୁ ମୁଣ୍ଡ ଉପରେ ଉଡ଼ି ସେମାନଙ୍କ ଗତିବିଧି ପରଖିଥାଏ। ବଙ୍କର, ଅସ୍ତ୍ରାଗାର, ଯୁଦ୍ଧାସ୍ତ୍ର, ବେସ କ୍ୟାମ୍ପର ଭିଡିଓ ଏବଂ ଫଟୋ ସଂଗ୍ରହ କରିଥିଲା। ପ୍ରଥମ ବିଶ୍ୱଯୁଦ୍ଧରେ ସଫଳତା ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବି ପାରାକୁ ବ୍ୟବହାର କରାଯାଇଥିଲା।

ଅନ୍ୟ ପକ୍ଷୀଙ୍କ ତୁଳନାରେ ପାରା ସବୁଠୁ ଅଧିକ ସ୍ମାର୍ଟ। ଘରୋଇ ପାରାକୁ ଗୁଇନ୍ଦାଗିରି ପାଇଁ ଟ୍ରେନିଂ ଦିଆଯାଏ। ଓଡ଼ିଶାର ଉପକୂଳବର୍ତ୍ତୀର୍ ଜିଲ୍ଲାରୁ ଏକାଧିକ ପାରା ଧରାପଡ଼ିବା ପରେ ଏଭଳି ଦେଶୀ ପାରାକୁ ଟ୍ରେନିଂ ଦିଆଯିବାକୁ ପୁଲିସ ବିଭାଗରେ ନିଷ୍ପତ୍ତି କରାଯାଇଥିବା ଜଣାପଡ଼ିଛି। ବିଶେଷକରି ଘରୋଇ ପରିବେଶରେ ପାରାଙ୍କୁ ଟ୍ରେନିଂ ଦିଆଯିବ। ପାରା କିପରି ଏକକ ପଥରେ ଯିବା ଆସିବା କରିବ ସେ ନେଇ ଟ୍ରେନିଂ ସମୟରେ ବିଶେଷ ଭାବରେ ଶିଖାଯିବ। ବିଶେଷ କରି ପାରାଦୀପ ବନ୍ଦର ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଜୋନ୍‌‌ରେ ଯିବା ଆସିବା ନେଇ ଟ୍ରେନିଂ ଦିଆଯିବ। ଏହି ପାରା ଗୋଡ଼ରେ କ୍ୟାମେରା ଏବଂ ଅନ୍ୟ ଅତ୍ୟାଧୁନିକ ଯନ୍ତ୍ର ଲଗାଯିବ। ଯଦି କୌଣସି ଶତ୍ରୁ ଦେଶର ପାରା ଏହି ସମ୍ବେଦନଶୀଳ ଜୋନ୍‌‌ରେ ଉଡ଼ନ୍ତି ତେବେ ତୁରନ୍ତ ଖବର ପୁଲିସ ନିକଟକୁ ପଳାଇବ। ଆଉ ଏହି ଆଧାରରେ ଗୁଇନ୍ଦା ପାରାକୁ ପୁଲିସ ଠାବ କରି ନେବ।

ଏହି ପାରାକୁ ୪ମାସ ଟ୍ରେନିଂ ଦିଆଯିବା ପରେ ତାଙ୍କ ଗୋଡ଼ରେ ଯନ୍ତ୍ରପାତି ଲଗାଯିବ ବୋଲି ଜଣାପଡ଼ିଛି। ଏପରିକି କେଉଁ ପ୍ରକାର ଯନ୍ତ୍ରପାତି ଲଗାଯିବ ସେନେଇ ପୁଲିସ କିଛି ବିଶେଷଜ୍ଞଙ୍କ ସହ ଆଲୋଚନା କରୁଛି। ଆଲୋଚନା ସଫଳ ହେଲା ପରେ ପାରା ଗୋଡ଼ରେ  ଅତ୍ୟାଧୁନିକ ଡିଭାଇସ୍‌‌ ଲଗାଯିବ। କାରଣ ଏବେ ଚାନ୍ଦିପୁର, ଧାମରା, ପାରାଦୀପ, ପୁରୀ ଆଦି ଅନେକ ସ୍ଥାନ ଉପରେ ବିଦେଶୀଙ୍କ ନଜର ରଡିଛି। ତେଣୁ ସେମାନେ ଗୁଇନ୍ଦା ପାରା ମାଧ୍ୟମରେ ତଥ୍ୟ ହାସଲ କରିବା ପାଇଁ ପାରାକୁ ବ୍ୟବହାର କରୁଛନ୍ତି। ତେଣୁ ଓଡ଼ିଶା ପୁଲିସ ଏହି ତରିକା ଆପଣାଇବାକୁ ଯାଉଛି। ପୂର୍ବରୁ ପାରାକୁ ଖବର ଆଦାନ ପ୍ରଦାନ ପାଇଁ ବ୍ୟବହାର କରାଉଥିଲେ ମଧ୍ୟ ଏଭଳି ଗୁଇନ୍ଦା ପାରାକୁ ଜଗିବା ଏହା ଓଡ଼ିଶାରେ ପ୍ରଥମ ବୋଲି କୁହାଯାଉଛି।

ପୃଥିବୀର ବିଭିନ୍ନ ସ୍ଥାନରେ ପ୍ରାୟ ୫ଶହରୁ ଅଧିକ ପ୍ରଜାତିର ପାରା ଅଛନ୍ତି। ସେଥିରୁ ଗୁଇନ୍ଦାଗିରି ପାଇଁ କଲମ୍ବିଆ, ବେଲଜିୟମ ବ୍ରିଡ୍‌‌ ପାରାଙ୍କୁ ବଛାଯାଇଥାଏ। କଲମ୍ବିଆ ବ୍ରିଡ୍‌‌ ପାରା ଦୀର୍ଘ ସମୟ ଧରି ଉଡ଼ିପାରନ୍ତି। ଅନ୍ୟ ପାରାଙ୍କ ସହ ମିଶନ୍ତି, କିନ୍ତୁ କୌଣସି ଅଜ୍ଞାତ ସ୍ଥାନରୁ ଖାଦ୍ୟ ଖାଆନ୍ତିନି। କେବଳ ନିଜର ତତ୍ତ୍ୱାବଧାରକଙ୍କଠାରୁ ଖାଦ୍ୟ ଖାଆନ୍ତି ଓ ପାଣି ପିଅନ୍ତି। ପ୍ରଶିକ୍ଷଣ ନେଇଥିବା ପାରା ଗୁଡ଼ିକ ଏକାଥରକେ ୪ ଶହ କି.ମି ପର୍ଯ୍ୟନ୍ତ ଉଡ଼ିପାରନ୍ତି।

Leave a comment