ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସରପଞ୍ଚ ପଦ ପାଇଁ ହାଇଭୋଲଟେଜ୍‌ ଲଢେଇ : ୬,୭୯୩ ସରପଞ୍ଚ ଆସନ ପାଇଁ ମୁହାଁମୁହିଁ ହେବେ ୩୨,୮୬୦ ପ୍ରାର୍ଥୀ

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସହ ଯାଞ୍ଚ ମଧ୍ୟ ଶେଷ ହୋଇଛି । ତେବେ ଏଥର ପଞ୍ଚାୟତ ନିର୍ବାଚନ ମୈଦାନରେ ରହିଛନ୍ତି ୨ ଲକ୍ଷରୁ ଅଧିକ ପ୍ରାର୍ଥୀ । ୨ଲକ୍ଷ ୨୦ହଜାର ୪୧୪ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ସେଥିମଧ୍ୟରୁ ସରପଞ୍ଚ ପଦ ପାଇଁ ୩୨,୮୬୦ ପ୍ରାର୍ଥୀ ରହିଛନ୍ତି। ଆଉ ଚଳିତ ନିର୍ବାଚନରେ ସରପଞ୍ଚ ଆସନ ପାଇଁ ହେବ ଘମାଘୋଟ ଲଢେଇ। କାରଣ ଏଥର ସମସ୍ତେ ଚାହୁଁଛନ୍ତି ସରପଞ୍ଚ ପଦ। ସରପଞ୍ଚ ପଦ ପାଇଁ ଲଢେଇ ମଧ୍ୟ କେଉଁଠି ଶାସକ-ବିରୋଧୀ ମୁହାଁମୁହିଁ ତ ଆଉ କେଉଁଠି ଗୋଟିଏ ଦଳର ସନ୍ତୁଷ୍ଟ-ଅସନ୍ତୁଷ୍ଟ ଗୋଷ୍ଠୀ ଭିତରେ ଜୋରଦାର ଟକ୍ଟର ଦେଖାଦେଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଗୋଟିଏ ଦଳ ସମର୍ଥନରେ ଏକାଧିକ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସହ ଆଜି ଯାଞ୍ଚ ଶେଷ ହୋଇଛି। ଆସନ୍ତା ୨୫ରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । କିନ୍ତୁ ଗାଁରେ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରଚାର।

ଗାଁ ଗହଳିର ପରିବେଶରେ ଏବେ ଖାଲି ରାଜନୈତିକ ବାସ୍ନା ବାସୁଛି। କିଏ ଆସି ପକ୍କା ଘର ପ୍ରତିଶ୍ରୁତି ଦେଲାଣି ତ ଆଉ କିଏ ଭତ୍ତା କରିଦେବାର ପ୍ରତିଶ୍ରୁତି ଦେଉଛି। ଆଉ କେଉଁଠି ଗାଁ ଯୁବଗୋଷ୍ଠୀଙ୍କୁ କ୍ଳବ ଘର କରିଦେବାକୁ କହି କିଏ ପ୍ରଚାର କରିବାକୁ ଡାକିଲାଣି। ଏପରି ଅବସ୍ଥାରେ ମାଳମାଳ ସରପଞ୍ଚ ପ୍ରାର୍ଥୀ ଏବେ ଏମିତି ନିବେଦନ ସହ ଘୂରି ବୁଲୁଛନ୍ତି ଗାଁ ଗାଁରେ। କିଏ କହୁଛି ମୁଁ ସରପଞ୍ଚ ପାଇଁ ଲଢ଼ୁଛି ଯେପରି ଭୁଲି ନଯାଅ, ତ ଆଉ କିଏ କହୁଛି ମାଉସୀ ମୋ’ ସ୍ତ୍ରୀ ସରପଞ୍ଚ ପାଇଁ ଛିଡ଼ା ହୋଇଛି, ଜିତେଇ ଆଣିବୁ ତୋର କଥା ମୁଁ ବୁଝିବି। ଗାଁ ଗହଳୀରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ଚିହ୍ନରେ ଲଢ଼ାଯାଉଥିବା ଜିଲ୍ଲା ପରିଷଦ ସଭ୍ୟ ଆସନଠାରୁ ବି ବିନା ଦଳୀୟ ଚିହ୍ନରେ ଲଢ଼ାଯାଉଥିବା ସରପଞ୍ଚ ପାଇଁ ରାଜନୀତି ବେଶି ସରଗରମ । ସରପଞ୍ଚ ଚୌକି ପାଇଁ ସବୁ ଦଳ ଓ ଆଶାୟୀଙ୍କ ଭିତରେ ବ୍ୟାକୁଳତା ପ୍ରବଳ। ଦ୍ଵିମୁଖୀ, ତ୍ରିମୁଖୀ ନୁହେଁ ଅଧିକାଂଶ ପଞ୍ଚାୟତରେ ମାଳମାଳ ପ୍ରାର୍ଥୀଙ୍କ ଭିତରେ ଚାଲିଛି ଲଢ଼େଇ ସରପଞ୍ଚ ଆସନ ପାଇଁ। ଜିଲ୍ଲା ପରିଷଦ, ସମିତିସଭ୍ୟ ପାଇଁ ଗାଁ ଗହଳି ରାଜନୀତି ସେତେ ଚଳଚଞ୍ଚଳ ନୁହେଁ । ସଭିଙ୍କ ଭିତରେ ଗୋଟିଏ ପ୍ରଶ୍ନ-ଏଥର ସରପଞ୍ଚ କିଏ ହେବ ? ସରପଞ୍ଚ ପାଇଁ କିଏ ବଡ଼ ଦାବିଦାର ? କେଉଁ ସରପଞ୍ଚ ପ୍ରାର୍ଥୀ କେତେ ମାଲ୍‌ଦାର ? କେଉଁ ଗୋଷ୍ଠୀ ମାରିବ ବାଜି ?

ନିର୍ବାଚନ ପାଇଁ ଆହୁରି କିଛି ଦିନ ବାକି ଥିବା ବେଳେ ପ୍ରଚାରରେ ଗାଁରେ ଧୂଳି ଉଡିଲାଣି। ପ୍ରତିଦିନ ବିଭିନ୍ନ ଗାଁକୁ ଛୁଟୁଛି ପ୍ରାର୍ଥୀ ଓ ତାଙ୍କ ସମର୍ଥକଙ୍କ ସୁଅ। ବିଭିନ୍ନ ପ୍ରତିଶ୍ରୁତି ସହ ବିଭିନ୍ନ ସାହିକୁ ଏବେଠୁ ଭୋଜିଭାତ ପାଇଁ ଟଙ୍କା ମଧ୍ୟ ବାଣ୍ଟିବାରେ ଲାଗିଛନ୍ତି ପ୍ରାର୍ଥୀ। କାହାରି ମନ ଉଣା କରିବାକୁ ଦେଉନାହାନ୍ତି ପ୍ରାର୍ଥୀ ଯିଏ ଯେଉଁପରି ଭାବେ ସନ୍ତୁଷ୍ଟ ହେବ ତାହା କରୁଛନ୍ତି । ଏପରିକି ଚଳିତ ଥର ସରପଞ୍ଚ ଆସନ ପାଇଁ ପ୍ରାର୍ଥୀମାନେ ଟଙ୍କା ଉଡାଇବା ଆରମ୍ଭ କରିଦେଲେଣି। କେତେକ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ୩୦ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ବଜେଟ ରଖିଥିବା ଆଲୋଚନା ମଧ୍ୟ ହେଉଛି। ଆଉ କେଉଁଠି ଭୋଟରଙ୍କୁ ଆକୃଷ୍ଠ କରିବାକୁ କିଛି ଦିନ ତଳୁ ଗାଁ ରାସ୍ତାରେ ନିଜ ପଇସାରେ ଆଲୁଅ ଲଗାଇ ଦେଇଛନ୍ତି ସରପଞ୍ଚ ପ୍ରାର୍ଥୀ।

ଅନ୍ୟପଟେ ଚଳିତ ନିର୍ବାଚନ ସମୟରେ ମାଳମାଳ ସରପଞ୍ଚ ଆଶାୟୀଙ୍କ ମଧ୍ୟରୁ କାହାକୁ ସମର୍ଥନ କରିବେ ସେ ନେଇ ଚିନ୍ତାରେ ଥିବା ସ୍ଥାନୀୟ ବିଧାୟକ କିମ୍ବା ଦଳର ଟାଣୁଆ  ମାନେ ଏବେ ମଧ୍ୟ ଚିନ୍ତାରେ ଅଛନ୍ତି। କେଉଁଠି ଜଣଙ୍କୁ ସମର୍ଥନ ଦେବାବେଳେ ଅନ୍ୟ ଗୋଷ୍ଠୀ ମୁଁ ଫୁଲେଇଛି ତ ଆଉ କେଉଁଠି ସେହି ଗୋଟିଏ ଦଳର ସମର୍ଥନ ଥିବା କହି ଏକାଧିକ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ଏପରି ଅବସ୍ଥାରେ କିପରି ପଞ୍ଚାୟତ ମାନଙ୍କରେ ନିଜର ଅସ୍ଥିତ୍ବ ରଖିବେ ସେନେଇ ନେତାମାନେ ଚିନ୍ତାରେ ରହିଛନ୍ତି। ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଏକାଧିକ ସରପଞ୍ଚ ପ୍ରାର୍ଥୀ ଦେଖି କେତେକ ଟାଣୁଆ ନେତା ମଧ୍ୟ କିଛି ନିଷ୍ପତ୍ତି ନେଇ ନପାରି ରୋକ୍‌ ଠୋକ୍‌ ଶୁଣାଇ ଦେଇଛନ୍ତି। ମୁଁ କାହାକୁ ସମର୍ଥନ କରୁନି ଯିଏ ଜିତକି ଆସିବ ସିଏ ମୋର।

ସରପଞ୍ଚ ପଦବୀ ହାତେଇବାକୁ ଅନେକ ଆସନରେ ଶାସକ-ବିରୋଧୀ ବି ହାତ ମିଳାଇଥିବା ଖବର ଆସିଛି। ପଞ୍ଚାୟତରେ ଲଗାତାର ଜିତି ଆସୁଥିବା ଶାସକ ଦଳକୁ ମାତ୍ ଦେବା ପାଇଁ କେତେକ ସ୍ଥାନରେ ବିଜେପି ଓ କଂଗ୍ରେସ କର୍ମୀମାନେ ମିଳିତ ଭାବେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ସମର୍ଥନ କରୁଛନ୍ତି । ଅନେକ ସ୍ଥାନରେ ସରପଞ୍ଚ ଆସନ ଆଗରେ ଟଙ୍କା, ଦଳ, ଆଦର୍ଶ କିଛି ମାନେ ରଖୁନି । ଗ୍ରାମାଞ୍ଚଳରେ ବିଜେଡି ସଂଗଠନ ମଜବୁତ ଥିବାବେଳେ ଜିତିବା ଆଶାରେ ଦଳର ଏକାଧିକ କର୍ମୀ ସରପଞ୍ଚ ହେବାକୁ ମନ ବଳାଇ ମଇଦାନକୁ ଆସିଛନ୍ତି।

ଆଉ ଏହାରି ମଧ୍ୟରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ସରପଞ୍ଚ ହେବପାଇଁ ଏତେ ଆଗ୍ରହ କାହିଁକି। ଜିଲ୍ଲା ପରିଷଦ ପରି ପଦ ପାଇଁ ଯେଉଁଠି ପ୍ରାର୍ଥୀ ମିଳୁନାହାନ୍ତି ସେଠି ସରପଞ୍ଚ ପଦ ପାଇଁ ଗୋଟିଏ ପଞ୍ଚାୟତରୁ ୮ କି ୧୦ ପ୍ରାର୍ଥୀ କଣ ପାଇଁ ନାମାଙ୍କନ ଭରିଛନ୍ତି। ତେବେ ରାଜନୈତକି ବିଷାରଦ ମାନଙ୍କ ମତରେ ସରପଞ୍ଚ ହେବାକୁ ଅଧିକ ବ୍ୟାକୁଳତା ପଛରେ ରହିଛି ପଞ୍ଚାୟତରେ ଅଖଣ୍ଡ କ୍ଷମତା। ଅର୍ଥ କମିଶନ ଯେବେଠାରୁ ପଞ୍ଚାୟତକୁ ସିଧାସଳଖ ଅର୍ଥ ଦେଲେଣି, ସେବେଠାରୁ ପଞ୍ଚାୟତ ଓ ସରପଞ୍ଚଙ୍କ କ୍ଷମତା ଢେର ବଢ଼ିଛି। ଜଣେ ସରପଞ୍ଚଙ୍କ କହିବାନୁଯାୟୀ ଜନସଂଖ୍ୟା ହିସାବରେ ପ୍ରତି ପଞ୍ଚାୟତକୁ ଅର୍ଥ ବରାଦ କରାଯାଉଛି। ଅତି କମ୍‌ରେ ବର୍ଷକୁ ଗୋଟିଏ ପଞ୍ଚାୟତକୁ ୨୫ ଲକ୍ଷ ଟଙ୍କା ଦିଆଯାଉଛି। ଆବଶ୍ୟକ ଅନୁଯାୟୀ ପଞ୍ଚାୟତ ଏ ଅର୍ଥକୁ ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରୁଛି। ଏଥିରେ ସରପଞ୍ଚଙ୍କ ଭୂମିକା ପ୍ରମୁଖ । ଖାଲି ସେତିକି ନୁହେଁ, ବିଭିନ୍ନ ପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ, ହାଟ, ପୋଖରୀ ଆଦି ଆୟ ଉତ୍ସ ଥିବାବେଳେ ଏବେ ସେଥିରେ କଲ୍ୟାଣ ମଣ୍ଡପ ବି ଯୋଡ଼ି ହେଲାଣି । ବଡ଼ କଥା ହେଲା, ପୂର୍ବାପେକ୍ଷା ସରପଞ୍ଚଙ୍କ କ୍ଷମତା ବଢ଼ିଛି। ସରକାର ଏବେ ଗାଁ ଗୁଡିକର ଉନ୍ନତି ପାଇଁ ପ୍ରାଧ୍ୟାନ୍ୟ ଦେଉଛନ୍ତି। ଆଉ ଯେଉଁଥିରେ ସରପଞ୍ଚମାନେ ହିଁ ମୁଖ୍ୟ।

ଅନ୍ୟପଟେ ଗତବର୍ଷ କୋଭିଡ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିଲେ । ସେମାନେ ପଞ୍ଚାୟତରେ ଲକ୍‌ଡାଉନ, ସଟଡାଉନ ଲାଗୁ କରିବା ସହ କେଉଁଠି ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠା ହେବ। କେଉଁଠୁ ବିଭିନ୍ନ ଉପକରଣ କିଣା ହେବ ତାହା ମଧ୍ୟ ସରପଞ୍ଚ ମାନେ ବୁଝୁଥିଲେ। ଯାହାକୁ ଦେଖି ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଆସନ ପାଇଁ ଜି-ଜାନ ଲଗାଇ ଦେଇଛନ୍ତି ପ୍ରାର୍ଥୀ।

ସେପଟେ କୋଭିଡ ମହାମାରୀ ସମୟରେ ବହୁତ ସମୟ ଗାଁରେ ବିତାଇବା ପରେ ଯୁବଗୋଷ୍ଠୀମାନେ ମଧ୍ୟ ସରପଞ୍ଚଙ୍କ କ୍ଷମତା ଦେଖି ଏଥର ସରପଞ୍ଚ ହେବାକୁ ଆଶାବଳାଇଛନ୍ତି। ସରପଞ୍ଚଙ୍କ କ୍ଷମତା ବଢ଼ିଥିବାରୁ ଅନେକ ଶିକ୍ଷିତ ଓ ଯୁବଗୋଷ୍ଠୀ ମଧ୍ୟ ନିଜ ପଞ୍ଚାୟତର ଉନ୍ନତି ଓ ପରିବର୍ତ୍ତନ ପାଇଁ ସରପଞ୍ଚ ହେବାକୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଇଂଜିନିୟର, ଏମ୍‌ବିଏମ ଛାତ୍ର, ସାମ୍ବାଦିକ, କର୍ପୋରେଟ ଚାକିରି ଛାଡ଼ି ଅନେକ ଯୁବବର୍ଗ ସରପଞ୍ଚ ପଦବୀ ପାଇଁ ଆଗେଇ ଆସିଛନ୍ତି। କେବଳ ସେତିକି ନୁହେଁ, ସରପଞ୍ଚଙ୍କ କାମ କରିବାର ଅଧିକ ସୁଯୋଗ ଥିବାରୁ ଅନେକ ଏହାକୁ ରାଜନୀତି କ୍ୟାରିୟର ପାଇଁ ପ୍ରଥମ ପାହାଚ ବୋଲି ମନେ କରୁଛନ୍ତି।

Leave A Reply

Your email address will not be published.