ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାକୁ କେନ୍ଦ୍ରର ଅବହେଳା ଜଳଜଳ : ସାତ ଯୋଜନାରେ ଅନୁଦାନ ଶୂନ

ଭୁବନେଶ୍ୱର : କୃଷିର ସର୍ବାଙ୍ଗୀଣ ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି। ଦେଶରେ ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସ୍ୱତନ୍ତ୍ର କୃଷି ବଜେଟ ଆଣି ପାରିଛି। ଏସବୁ ସତ୍ତ୍ବେ ରାଜ୍ୟ ପ୍ରତି କେନ୍ଦ୍ରୀୟ ଅବହେଳା ଓଡ଼ିଶାକୁ ଏକ୍ଷେତ୍ରରେ ବଢ଼଼ିବାକୁ ସୁଯୋଗ ଦେଉନି। ଚଳିତ ବର୍ଷ କୃଷି ପାଇଁ କେନ୍ଦ୍ରୀୟ ଅନୁଦାନରେ ରାଜ୍ୟ ପାଖାପାଖି ୧୦୦୦ କୋଟି ଟଙ୍କା ହରାଇଛି। ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କଠାରୁ ଓଡ଼ିଶା କୃଷି ପାଇଁ ୧୩୩୪ କୋଟି ଟଙ୍କାର ଆର୍ଥିକ ଅନୁଦାନ ପାଇବାକୁ ଥିବାବେଳେ ମିଳିଛି ମାତ୍ର ୨୯୮ କୋଟି ଟଙ୍କା, ଯାହାକି କେନ୍ଦ୍ର ଦେବାକୁ ଥିବା ସମୁଦାୟ ଅନୁଦାନର ମାତ୍ର ୨୨.୩୫%।

ମିଳିଥିବା ସୂଚନା ଅନୁସାରେ, ଚଳିତ ବର୍ଷ ବଜେଟରେ କେନ୍ଦ୍ର ସରକାର ଓଡ଼ିଶାକୁ ସମ୍ପୂର୍ଣ୍ଣ ଭାବେ ଅବହେଳା କରିଥିବା ବେଳେ ୭ଟି କେନ୍ଦ୍ରୀୟ ପରିଚାଳିତ ଯୋଜନାରେ ଟଙ୍କାଟିଏ ବି ଦେଇ ନାହାଁନ୍ତି। କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ କେନ୍ଦ୍ର ସରକାରଙ୍କ ଅନୁଦାନ ସହାୟତାରେ ୧୫ଟି ଯୋଜନା ଚାଲିଥିବା ବେଳେ ସେଥିମଧ୍ୟରୁ ୭ଟି ଯୋଜନାକୁ ଟଙ୍କାଟିଏ ବି ମିଳିନି। ବିଶେଷକରି ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ ଓଡ଼ିଶାକୁ ଚଳିତ ବଜେଟରେ ୧୪୧ କୋଟି ଟଙ୍କା ମିଳିବାର ପ୍ରବଧାନ ଥିବା ବେଳେ ଏ ବାବଦକୁ ଟଙ୍କା ଟିଏ ନ ମିଳିବା ସମସ୍ତ ହିତାଧିକାରୀକୁ ବ୍ୟଥିତ କରିଛି। ସେହିପରି ଏନ୍‍ଏଫ୍‍ଏସ୍‍ଏମ୍‍ ଓଏଲ୍‍ ଫାର୍ମ ଯୋଜନାରେ ୫ କୋଟି ଟଙ୍କାରୁ ଓଡ଼ିଶାକୁ ଟଙ୍କାଟିଏ ମିଳିପାରିନାହିଁ। ପ୍ଲାଣ୍ଟ ପୋଟେକ୍ସନ୍‍ ବାବଦକୁ କେନ୍ଦ୍ର ସରକାର ରାଜ୍ୟକୁ ୧ କୋଟି ୮୩ ଲକ୍ଷ, ସିଡ ଆଣ୍ଡ ପ୍ଲାଣ୍ଟିଂ ବାବଦକୁ ୧୨ କୋଟି, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ପାଇଁ ୩୦ କୋଟି, ପିକେଭିୱାଇ ବାବଦକୁ ୩୫ କୋଟି, ପିଏମ୍‍ କୁସୁମ ଯୋଜନାରେ ୫ କୋଟିର ବଜେଟ ରଖାଯାଇଥିବା ବେଳେ ଓଡ଼ିଶାକୁ ଏ ବାବଦକୁ କିଛି ବି ମିଳିପାରିନି। କେବଳ ଯୋଜନା କୈନ୍ଦ୍ରିକ ଅନୁଦାନ ନୁହେଁ; ଚାଷୀମାନଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତାରେ ମଧ୍ୟ ପାତରଅନ୍ତର କରାଯାଉଥିବା ଅଭିଯୋଗ ହେଉଛି। କାଳିଆ ଯୋଜନାରେ ରାଜ୍ୟରେ ଯେତିକି ଚାଷୀ ସହାୟତା ପାଉଛନ୍ତି ଅନୁରୂପ କେନ୍ଦ୍ରୀୟ ଯୋଜନାରେ ୧୨ ଲକ୍ଷ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଉ ନ ଥିବା ମଧ୍ୟ ଅଭିଯୋଗ ହୋଇଛି।

ଅପରପକ୍ଷେ ଚଳିତ ବର୍ଷ କେନ୍ଦ୍ର ସରକାର ବିଭିନ୍ନ କେନ୍ଦ୍ରୀୟ ଅନୁଦାନ ଯୋଜନା ପାଇଁ ରାଜ୍ୟକୁ ଦେଇଥିବା ବଜେଟରେ ନ୍ୟାସ୍‍ନାଲ ଇ-ଗଭର୍ଣ୍ଣାନ୍ସ ବାବଦକୁ ବଜେଟ ୧୦ କୋଟି ଟଙ୍କା ବଦଳରେ ଓଡ଼ିଶାକୁ ମାତ୍ର ୬୮ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ସେହିପରି କୃଷି କ୍ଷେତ୍ରରେ ଆବଶ୍ୟକ ଉପକରଣ ଓ କୃଷି ଯନ୍ତ୍ରପାତି ସବ୍‍ସିଡି ଆକରରେ ମିଳିବା ପାଇଁ ରହିଥିବା ସ୍ମାମ୍‍ (ଏସ୍‍ଏମ୍‍ଏଏମ୍‍) ଯୋଜନାରେ ୧୮୦ କୋଟି ଟଙ୍କା ବଜେଟ ରହିଥିବା ବେଳେ ମାତ୍ର ୧୭ କୋଟି ୧୫ ଲକ୍ଷ ଟଙ୍କା ଦିଆଯାଇ ପାରିଛି। ଏନ୍‍ଏଫ୍‍ଏସ୍‍ଏମ୍‍ (ନ୍ୟାସ୍‍ନାଲ ଫୁଡ ସିକ୍ୟୁରିଟି ମିଶନ୍‍) ୧୪୪ କୋଟି ଜାଗାରେ ମାତ୍ର ୫୦ କୋଟି, ଏନ୍‍ଏଫ୍‍ଏସ୍‍ଏମ୍‍ରେ ୩୪ କୋଟି ୩୫ ଲକ୍ଷ ଜାଗାରେ ମାତ୍ର ୮ କୋଟି ୮୩ ଲକ୍ଷ ଟଙ୍କା ମିଳିଛି। ସେହିପରି ସଏଲ୍‍ କନ୍‍ଜରଭେସନ୍‍ ପାଇଁ ରହିଥିବା ରାଡ ଯୋଜନାରେ ୩୦ କୋଟି ସ୍ଥାନରେ ୧୧ କୋଟି ୩୭ ଲକ୍ଷ ଟଙ୍କା, ଆଗ୍ରୋ ଫରେଷ୍ଟ୍ରିରେ ୬ କୋଟି ୬୬ ଲକ୍ଷ ସ୍ଥାନରେ ୨ କୋଟି ୮୮ ଲକ୍ଷ ଟଙ୍କା, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟିର ବଜେଟ ଥିବା ବେଳେ ୮୨ କୋଟି , ଆତ୍ମା ଯୋଜନାରେ ୧୭୬ କୋଟିରେ ଆସିଛି ୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ୨୦୨୧ ମସିହାରେ ପ୍ରଥମ କରି କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ଅନୁଦାନ ଅର୍ଥର ନିରୀକ୍ଷଣ ପାଇଁ ପ୍ରତ୍ୟେକ ସ୍କିମରେ ସିଙ୍ଗଲ୍‍ ନୋଡାଲ ଆକାଉଣ୍ଟ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏଥିରେ କେନ୍ଦ୍ର ସରକାର ଦେଉଥିବା ଟଙ୍କାର ତିନି ଚତୁର୍ଥାଂଶ ରାଜ୍ୟଗୁଡ଼ିକ ଖର୍ଚ୍ଚ କରି ବିନିଯୋଗପତ୍ର ଦାଖଲ କଲେ ବଳକା ଟଙ୍କା ଦିଆଯିବାର ନିୟମ ରହିଥିଲା। ଓଡ଼ିଶା ସରକାର ସମସ୍ତ କେନ୍ଦ୍ରୀୟ ସ୍କିମ ପାଇଁ ସ୍ୱତନ୍ତ୍ର ଆକାଉଣ୍ଟ ଖୋଲି ସାରିଥିଲେ ବି କେନ୍ଦ୍ରୀୟ ଅବଦାନ ମିଳି ପାରିନାହିଁ। ତେବେ ଆର୍ଥିକ ବର୍ଷର ଶେଷ ଦିନରେ ୯୬ କୋଟି ଟଙ୍କା ପ୍ରଦାନ କରାଯାଇଛି, ଅବଶିଷ୍ଟ ଅର୍ଥ ଅନୁଦାନ ମିଳିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.