ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜୁ ଜୟନ୍ତୀରୁ ‘ଓଡ଼ିଶା ମୋ ପରିବାର’ର ଅଙ୍ଗଦାନ କାର୍ଯ୍ୟକ୍ରମ : ପ୍ରଥମ ଦିନରେ ପାଞ୍ଚଶହରୁ ଅଧିକ ପଞ୍ଜୀକରଣ

ଭୁବନେଶ୍ୱର : ଓଡ଼ିଶା ମୋ ପରିବାରର ବିଭିନ୍ନ ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମଗୁଡିକ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଅଙ୍ଗଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗତକାଲି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀ ଅବସରରେ ଓଡ଼ିଶା ମୋ ପରିବାର ପକ୍ଷରୁ ଅଙ୍ଗଦାନ ପାଇଁ ପଞ୍ଜୀକରଣ ଶିବିରର ଆୟୋଜନ କରାଯାଇଥିଲା। ଅଙ୍ଗଦାନ ଭଳି ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ବିଜୁବାବୁଙ୍କ ଜୟନ୍ତୀରୁ ଆନୁଷ୍ଠାନିକଭାବେ ଶୁଭାରମ୍ଭ କରାଯାଇଛି। ଏଥିପାଇଁ ୫୩୦ଜଣଙ୍କ ଅଙ୍ଗଦାନ ପଞ୍ଜୀକରଣ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ଓଡ଼ିଶା ମୋ ପରିବାରର କାର୍ଯ୍ୟାଳୟରେ ଆୟୋଜିତ ଅଙ୍ଗଦାନ ପଞ୍ଜୀକରଣ ଶିବିରରେ ଏପର୍ଯ୍ୟନ୍ତ ୫୪୪ଜଣ ଅଙ୍ଗଦାନ ପାଇଁ ପଞ୍ଜୀକରଣ କରିଛନ୍ତି। ଅଙ୍ଗଦାନ ପାଇଁ ପଞ୍ଜୀକରଣ ତାଲିକାରେ ବିଭିନ୍ନ ସଂସ୍ଥା, ସ୍ୱେଚ୍ଛାସେବୀ ସଙ୍ଗଠନ, ଭିନ୍ନ ଭିନ୍ନ କ୍ଷେତ୍ରରେ ଯଥା ଉଦ୍ୟୋଗ, ବ୍ୟାଙ୍କ୍‍, କଳା, ସିନେମା ଜଗତର ବହୁ ପ୍ରତିଷ୍ଠିତ ତଥା ଡାକ୍ତର, ଓକିଲ ଓ ସାଧାରଣ ନାଗରିକମାନେ ନିଜକୁ ସ୍ୱତଃପ୍ରବୃତ୍ତଭାବେ ସାମିଲ କରି ଅଙ୍ଗଦାନ କରିବା ପାଇଁ ପଞ୍ଜୀକରଣ କରିଛନ୍ତି।

ରାଜ୍ୟସଭା ସାଂସଦ ସୁଜିତ୍‍ କୁମାର ଅନ୍‍ଲାଇନ୍‍ ମାଧ୍ୟମରେ ଅଙ୍ଗଦାନ ପାଇଁ ପଞ୍ଜୀକରଣ କରିଥିବାବେଳେ ଭିନ୍ନକ୍ଷମ ସଶକ୍ତିକରଣ କମସନ ଅଧ୍ୟକ୍ଷା ସୁଲୋଚନା ଦାସ, ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ, ବରିଷ୍ଠ ଆଇନଜୀବୀ ପିକେ ରାୟ, ମିଲନ୍‍ କାନୁନ୍‍ଗୋ, ସିତାଂଶୁ ଦ୍ୱିବେଦୀ, ଇନ୍‍ର ହୁଇଲ ସଭାପତି ନମିତା କାନୁନ୍‍ଗୋ, ସ୍ୱାସ୍ଥ୍ୟ ଉପଦେଷ୍ଟା ଡଃ ସତ୍ୟଜିତ ଦାଶ, ମହିଳା ନେତ୍ରୀ ଜ୍ୟୋତ୍ସାମୟୀ ପରିଡ଼ା, ଲଗ୍ନଦୀପା ମିଶ୍ର, ସିନେ କଳାକାର ସୁକାନ୍ତ ରଥ, କଣ୍ଠଶିଳ୍ପୀ କୃଷ୍ଣପ୍ରିୟା ମିଶ୍ର ପ୍ରମୁଖ ଏହି ଶିବିରରେ ଅଙ୍ଗଦାନ ପାଇଁ ପଞ୍ଜୀକରଣ କରିଥିଲେ। ଆବାହକ ଅରୁପ ପଟ୍ଟନାୟକ ନିଜେ ମଧ୍ୟ ଅଙ୍ଗଦାନ ପାଇଁ ପଞ୍ଜୀକରଣ କରିଛନ୍ତି।

ଅନୌପଚାରିକଭାବେ ଗତ ୨୨ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ପଞ୍ଜୀକରଣ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୩୧୫ଜଣ ସମ୍ପୂର୍ଣ୍ଣ ଅଙ୍ଗଦାନ ପାଇଁ ପଞ୍ଜୀକରଣ କରିଥିବାବେଳେ ୪୧ଜଣ ହୃତ୍‍ପିଣ୍ଡ ଦାନ, ୩୯ଜଣ ଫୁସ୍‍ଫୁସ୍‍, ୬୧ଜଣ କିଡନି, ୩୧ଜଣ ଯକୃତ, ୨୫ଜଣ ଅଗ୍ନାଶୟ, ୨୧ଜଣ ଚର୍ମ, ୨୩ଜଣ ଅସ୍ଥିଦାନ ପାଇଁ ପଞ୍ଜୀକରଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ରୁଦ୍ରନାରାୟଣ ସାମନ୍ତରାୟ ଏହି ଶିବିରକୁ ସଂଯୋଜନା କରିବା ସହ ନିଜେ ମଧ୍ୟ ପଞ୍ଜୀକରଣ କରିଥିଲେ। ଓଡ଼ିଶା ମୋ ପରିବାରର ଏହି ଅନନ୍ୟ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‍ ଜରିଆରେ ପ୍ରଶଂସା କରିବା ସହ ସମସ୍ତ ଅଙ୍ଗଦାନ ପାଇଁ ପଞ୍ଜୀକରଣ କରିଥିବା ବ୍ୟକ୍ତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.