ମିଲେଟ୍ ପରେ ମସଲା ମିଶନ: ଦେଶ ବିଦେଶରେ ନୂଆ ପରିଚୟ ପାଇବ ଓଡ଼ିଶା ମସଲା
ଭୁବନେଶ୍ୱର: ପ୍ୟାରିସ୍, ଲଣ୍ଡନ, ସିଙ୍ଗାପୁରରେ ଓଡ଼ିଶାର ମା’ମାନେ ପୁଣି ନୂଆ ପରିଚୟ ପାଇବେ। ମିଲେଟ୍ ମିଶନର ସଫଳତା ପରେ ରାଜ୍ୟ ସରକାର ମସଲା ମିଶନ ଆରମ୍ଭ କରିଛନ୍ତି। ମସଲା ମିଶନ ପାଇଁ ଗତ ବର୍ଷ ୮୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିଲା। ଏଥର ୧୮୫ କୋଟିର ବ୍ୟବସ୍ଥା କରାଯାଇଛି। ଉଦ୍ଦେଶ୍ୟ ଫସଲ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି ସହ କୃଷକଙ୍କ ଆୟ ବୃଦ୍ଧି । କନ୍ଧମାଳର ହଳଦୀ ହେଉ କି ବୌଦ୍ଧର ଅଦା, ଏସବୁର ରାଜ୍ୟ ତଥା ଦେଶ ବାହାରେ ସ୍ବତନ୍ତ୍ର ଚାହିଦା ରହିଛି । ମସଲା ମିଶନକୁ ସଫଳ ରୂପ ଦେବା ସହ ଧାନ, କପା, ମୁଗ, ବିରି, ମାଣ୍ଡିଆ ଉତ୍ପାଦନ ବୃଦ୍ଧି ଉପରେ ସରକାର ଗୁରୁତ୍ବ ଦେଇଛନ୍ତି । ଏହି ମିଶନରେ ମିଶନ ଶକ୍ତି ମା’ମାନଙ୍କୁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସାମିଲ କରାଯିବ । ସରକାରଙ୍କ ଏହି ପ୍ରୟାସକୁ ମସଲା ଉଦ୍ୟୋଗୀ ସ୍ବାଗତ କରିଛନ୍ତି ।
ମିଶନ ଶକ୍ତିର ମା’ମାନେ ଏବେ ଦେଶ ବାହାରେ ମାଣ୍ଡିଆରୁ ପ୍ରସ୍ତୁତ ଦ୍ରବ୍ୟ ନେଇ ଖୁବ୍ ପରିଚୟ ପାଇଲେଣି । ଏବେ ମସଲା ମିଶନ ଆଉ ଏକ ନୂଆ ପରିଚୟ ଦେବ । ଗାଁ ଗାଁରେ ଲଘୁ ମସଲା ଉଦ୍ୟୋଗୀଙ୍କ ଭୂମିକା ନେବାକୁ ଯାଉଛନ୍ତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ । ବଡ଼ ବଡ଼ ଫ୍ୟାକ୍ଟ୍ରିରେ ମସଲା ପାଇଁ ବ୍ୟବହୃତ କଞ୍ଚାମାଲକୁ ପ୍ରସେସ୍ କରି ଦେବାର ସୁଯୋଗ ମିଳିବ । ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ଯନ୍ତ ଋଣ ବ୍ୟବସ୍ଥା ମିଶନ ଶକ୍ତି ମା’ମାନଙ୍କୁ ଅଧିକ ବଳ ଦେଇଛି । ବିଧାନସଭାରେ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମସଲା ମିଶନ ନେଇ ସୂଚନା ଦେଇଛନ୍ତି । ମିଶନ ଶକ୍ତି ସଂଘ ପକ୍ଷରୁ ଏହାକୁ ସ୍ବାଗତ କରାଯାଇଛି।
ଏଥର ୩୦ ଜିଲ୍ଲାର ୧୭୭ଟି ବ୍ଲକକୁ ମିଲେଟ୍ ମିଶନର ସମ୍ପ୍ରସାରଣ ସାଙ୍ଗକୁ ୯ଟି ଜିଲ୍ଲାର ୫୦ଟି ବ୍ଲକରେ ପଣସ ମିଶନ ଆରମ୍ଭ ହେଉଛି । ଏହା ସହ ଫୁଲ ମିଶନ, ଛତୁ ମିଶନ ବି କାର୍ୟ୍ୟକାରୀ ହେଉଛି । ଏବେ ମସଲା ମିଶନ, ମିଶନ ଶକ୍ତିକୁ ନୂଆ ପରିଚୟ ଦେବା ସହ ଓଡ଼ିଶାର ବ୍ରାଣ୍ଡ ଭାଲ୍ୟୁ ମଧ୍ୟ ଦେଶ ବାହାରେ ବଢ଼ିବ।