ଆରମ୍ଭ ହେବ ପଣସ ମିସନ, ଆଜି ଉଦ୍‍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ବିଧିବଦ୍ଧ ଭାବେ ରାଜ୍ୟରେ ଆରମ୍ଭ ହେବ ପଣସ ମିସନ। ଯାହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଉଦ୍‍ଘାଟନ କରିବେ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟର ୯ଟି ଜିଲ୍ଲାକୁ ସାମିଲ କରାଯାଇଛି। ପଣସ ଚାଷରେ ରୁଚି ରଖୁଥିବା ଚାଷୀଙ୍କୁ ଏନେଇ ୯୭ କୋଟିର ଆର୍ଥିକ ପ୍ରୋତ୍ସାହନ ଦିଆଯିବାକୁ ମୁଖ୍ୟମନ୍ତ୍ରୀ ଯୋଜନା କରିଛନ୍ତି। ଯାହାଦ୍ୱାରା ରାଜ୍ୟର ପାଖାପାଖି ୩୦ ହଜାର ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରୋଜଗାରକ୍ଷମ ହେବେ।

ଓଡ଼ିଶା ପଣସର ସ୍ୱତନ୍ତ୍ର ବ୍ରାଣ୍ଡିଂ କରାଯିବ। ଓର୍‍ମାସ୍‍, ମିଶନ୍‍ ଶକ୍ତି ଓ ଓଟିଲେପ୍‍ ସହାୟତାରେ ଏହାର ବଜାରୀକରଣ କରାଯିବ। ପଣସ ମଞ୍ଜିର ପ୍ରୋସେସିଂ କରାଯାଇ ଏହାର ଗୁଣାତ୍ମକ ମୂଲ୍ୟ ବୃଦ୍ଧି କରାଯିବ। ସେହିପରି ପଣସରୁ ପ୍ରସ୍ତୁତ ଅନ୍ୟ ବିକଳ୍ପ ଖାଦ୍ୟକୁ ଆନ୍ତର୍ଜାତିକ ବଜାରକୁ ରପ୍ତାନୀ କରାଯିବ। ପଣସ ଉତ୍ପାଦନରେ ଓଡ଼ିଶା ଦେଶରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ରାଜ୍ୟର ପାଖାପାଖି ୧୩ ହଜାର ୨୦୦ ହେକ୍ଟର ଜାଗାରେ ପଣସ ଗଛ ରହିଛି। ଯେଉଁଥିରୁ ପାଖାପାଖି ବାର୍ଷିକ ଅଢ଼େଇ ଟନ୍‍ ପଣସ ଉତ୍ପାଦିତ ହେଉଛି। ତଣୁ ନୂଆ କରି କରାଯାଉଥିବା ପଣସ ମିସନ୍‍ ଦ୍ୱାରା ରାଜ୍ୟରେ ପଣସ ଚାଷକୁ ଅଧିକ ଲୋକାଭିମୁଖୀ କରାଯାଇ ପାରିବ। ରାଜ୍ୟର ପଣସ ପ୍ରଭାବିତ ଜିଲ୍ଲା ଯେପରିକି କୋରାପୁଟ, ଫୁଲବାଣୀ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ପାରଳାଖେମୁଣ୍ଡି ଆଦି ସ୍ଥାନରେ ଏହି ଚେନ୍‍ (କନେକ୍ଟିଂ ରୁଟ୍‍) ପ୍ରସ୍ତୁତ କରାଯିବ। ଫଳରେ ଚାଷୀଠାରୁ ପଣସ ସଂଗ୍ରହ କରିବାଠଶରୁ ଆରମ୍ଭ କରି ଏହାକୁ କୋଲ୍ଡ ଭ୍ୟାନ୍‍ରେ ଆଣି ଶୀତଳଭଣ୍ଡାରରେ ରଖିବା, ପୁଣି ଶୀତଳ ଭଣ୍ଡାରରୁ କୋଲ୍ଡ ଭ୍ୟାନ୍‍ରେ ସୁପରମାର୍କେଟ୍‍ ଯାଏଁ ଆଣିବା ସବୁ କିଛି କାମ ସୁରୁଖୁରୁରେ ଏହି ଚେନ୍‍ ରୁଟରେ କାମ କରିବ।

ପଣସକୁ ବିଶ୍ୱ ବଜାରରେ ପହଞ୍ଚାଇବା ପାଇଁ ୨୦୨୨ରୁ ୨୦୨୬ ଯାଏଁ ଏହି ମିସନ୍‍ ପୂର୍ଣ୍ଣ ଭାବେ ପରିଚାଳିତ ହେବ। ତାଛଡା ବିଭିନ୍ନ ପର୍ଯ୍ୟାୟରେ ପଣସ ଚାଷ, ଚାଷୀ ଓ ଯୁବ ଉଦ୍ୟୋଗୀମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବ। ପଣସର ବଜାର ପ୍ରବେଶ କରାଇବା ପାଇଁ ଓ ଏହାକୁ ସବୁଠି ଉପଲବ୍ଧ କରାଇବା ପାଇଁ ୨୬ଟି କୋଲ୍ଡ ଚେନ୍‍ରେ ଏହା କାମ କରିବ। ପଣସର ବିକ୍ରିବଟା ପାଇଁ ସ୍ୱତନ୍ତ୍ର ଭାବେ ପଣସ ମେଳାର ଆୟୋଜନ କରାଯିବ। ଯେଉଁଠି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସୁଥିବା ପଣସକୁ ପ୍ରଦର୍ଶିତ କରାଯିବା ସହ ଏହାର ବିକ୍ରିବଟା କରାଯିବ। ସେହିପରି ପଣସରୁ ପ୍ରସ୍ତୁତ ଖାଦ୍ୟକୁ ପରୀକ୍ଷା କରିବା ପାଇଁ ଫୁଡ ଟେଷ୍ଟିଂ ଲ୍ୟାବ୍‍ ନିର୍ମାଣ ହେବ।

Leave a comment