ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ: ପାଠଶାଳାରୁ ‘ଅଲିମ୍ପିକ୍ସ’ ପ୍ରସ୍ତୁତି

ଭୁବନେଶ୍ୱର: ବିଜୟ କେବଳ ଏକ ଲକ୍ଷ୍ୟ ନୁହେଁ; ଏହା ଅଭ୍ୟାସରେ ପରିଣତ ହେବା ଉଚିତ। ଆଉ ଏହି ଜିତିବାର ନିଶା ହିଁ ଜଣେ ଖେଳାଳିକୁ ଉତ୍କର୍ଷ କରି ଗଢ଼ିତୋଳେ। କ୍ରୀଡ଼ାବିତ୍‍ମାନଙ୍କୁ ଉଦ୍‍ବୋଧନ କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୂପ ପରାମର୍ଶ ଦେଇ ଆସିଛନ୍ତି। ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା ବଳରେ ଭାରତୀୟ ପୁରୁଷ ହକି ଟିମ୍‍ ୪ ଦଶନ୍ଧି ପରେ ଅଲିମ୍ପିକ୍ସରେ ପଦକ ହାସଲ କରିବାକୁ ସମର୍ଥ ହୋଇଛି। ମହିଳା ହକି ଟିମ୍‍ ସେମିଫାଇନାଲରେ ପହଞ୍ଚିଛି। ଏହିକ୍ରମରେ ରାଜ୍ୟର ସଫଳ କ୍ରୀଡ଼ାବିତ୍‍ମାନଙ୍କୁ ବିପୁଳ ପ୍ରୋତ୍ସାହନ ରାଶି ପ୍ରଦାନ ସହ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରାଯିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଏବେ ଚୀନ ଓ ଜାପାନ ଢାଞ୍ଚାରେ ରାଜ୍ୟରେ ଅଲିମ୍ପିକ୍ସ ବିଜେତା ସୃଷ୍ଟି କରିବା ନିମନ୍ତେ ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କୁ ଅଲିମ୍ପିକ୍ସ ସମ୍ପର୍କରେ ଶିକ୍ଷା ଦିଆଯିବା ଯୋଜନା କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୨୦୨୪ ପ୍ୟାରିସ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଏବେଠାରୁ ଏଥିପାଇ ପ୍ରସ୍ତୁତି ଆରମ୍ଭ ହୋଇଛି। ସାରା ଦେଶରେ ପ୍ରଥମ କରି ଓଡ଼ିଶା ସରକାର ଏପରି ପଦକ୍ଷେପ ନେଇଛନ୍ତି।

ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଅଲମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି। ତୃଣମୂଳସ୍ତରରୁ ସ୍କୁଲର ପିଲାଙ୍କୁ ଅଲମ୍ପିକ୍ସ ବାବଦରେ ଜ୍ଞାନ ଦେବା ଓ ବିଭିନ୍ନ ଗୋଷ୍ଠୀ କ୍ରୀଡ଼ା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏହି ଅଭିନବ ଯୋଜନା ଆରମ୍ଭ କରିଛନ୍ତି। ଅଲିମ୍ପିକ୍ସ ଖେଳ, ଏହାର ପ୍ରସ୍ତୁତି ନିମନ୍ତେ ପିଲାମାନେ ସ୍କୁଲସ୍ତରରୁ ଶିକ୍ଷାଲାଭ କରିବେ। ପାଇଲଟ୍‍ ପ୍ରକଳ୍ପ ଭାବେ ‘ଓଡ଼ିଶା ଅଲମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ’ ଲାଗି ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାର ୯୦ଟି ସ୍କୁଲ ଚିହ୍ନଟ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ମହାନଗର ନିଗମରେ ୬୩ଟି ଏବଂ ସୁନ୍ଦରଗଡ଼ର ରାଉରକେଲା ମହାନଗର ନିଗମର ୨୭ଟି ସ୍କୁଲରେ ଅଲମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବ।

ପ୍ରାଥମିକ ଭାବେ ରାଜ୍ୟର ଦୁଇ ସ୍ମାର୍ଟ ସିଟିର ସ୍କୁଲଗୁଡ଼ିକୁ ମନୋନୀତ କରାଯାଇଛି। ମୁଖ୍ୟମନ୍ତ୍ରୀ ୨୪ ତାରିଖରେ ଏହି ଯୋଜନାକୁ ଶୁଭାରମ୍ଭ କରିବେ। ଭାରତୀୟ ଅଲିମ୍ପିକ୍ସ ସଂଗଠନ, ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ଏହି ଯୋଜନା ଆରମ୍ଭ ହେବ। ଏନେଇ ଉଭୟ ସଂସ୍ଥା ସହିତ ରାଜ୍ୟ ସରକାର ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପଦ୍ମ ବିଭୂଷଣ ଅଭିନବ ବିନ୍ଦ୍ରା ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଗଣଶିକ୍ଷା ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ଚୀନ୍‍, ଋଷ୍‍, ଆମେରିକା, ଜର୍ମାନୀ ଭଳି ଦେଶଗୁଡ଼ିକ ଅଲିମ୍ପିକ୍ସରେ ସବୁବେଳେ ଭଲ ପ୍ରଦର୍ଶନ କରୁଥିବାବେଳେ ସ୍କୁଲସ୍ତରରୁ ସେମାନଙ୍କୁ ଏଥିଲାଗି ପ୍ରଶିକ୍ଷଣ ଦିଆଯାଉଛି। ବିକଶିତ ଦେଶଗୁଡ଼ିକ ଶିକ୍ଷା ସହିତ ଖେଳକୁଦକୁ ବିଶେଷ ଗୁରୁତ୍ୱ ଦିଅନ୍ତି। ତେଣୁ ସ୍କୁଲ ସ୍ତରରୁ ସେମାନେ ପାଠପଢ଼଼ା ସହ ପିଲାଙ୍କୁ ପ୍ରସ୍ତୁତ କରନ୍ତି। ଏହି ପଦ୍ଧତ୍ତିକୁ ଆପଣାଇ ରାଜ୍ୟ ସରକାର ମଧ୍ୟ ପିଲାଙ୍କ ପାଇଁ ଅଭିନବ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏସ୍‍ସିଇଆରଟିକୁ ଏହାର ପାଠ୍ୟକ୍ରମ ପ୍ରସ୍ତୁତି ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି।

କେବଳ ପାଠ୍ୟକ୍ରମ ଭିତ୍ତିକ ଶିକ୍ଷା ନୁହଁ, ଶିକ୍ଷା ସହିତ ବିଭିନ୍ନ ଖେଳକୁଦରେ ଛାତ୍ରଛାତ୍ରୀଙ୍କୁ ଦକ୍ଷ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଏହି ଅଭିନବ ଯୋଜନା ନୂତନ ଜାଗରଣ ଆଣିବା ସମ୍ଭାବନା ସୃଷ୍ଟି କରିଛି। ଅଲମ୍ପିକ୍ସ ସହିତ ଏସିଆନ୍‍ ଗେମ୍‍, ରାଜ୍ୟ ଗୋଷ୍ଠୀ କ୍ରିଡ଼ା ଆଦି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସ୍କୁଲ ସ୍ତରରୁ ପିଲାଙ୍କୁ ପ୍ରସ୍ତୁତ କରାଯିବ।

ରାଜ୍ୟରେ ହକି ପ୍ରଶିକ୍ଷଣ ନିମନ୍ତେ ସରକାର ବିଭିନ୍ନ ସ୍କୁଲରେ ‘ହକି କ୍ଲବ” ସ୍ଥାପନ ସହ ପ୍ରଶିକ୍ଷଣ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ହକି ଷ୍ଟାଡିୟମ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଉରକେଲାରେ ଏସିଆର ବୃହତ୍ତମ ହକି ଷ୍ଟାଡ଼ିଅମ ନିର୍ମାଣ ଚାଲିଛି। ଆସନ୍ତା ୨୦୨୩ ବିଶ୍ୱକପ୍‍ ପୁରୁଷ ହକି ଭୁବନେଶ୍ୱର ସହ ରାଉରକେଲାର ବୀର୍ସାମୁଣ୍ଡା ହକି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହାଛଡ଼ା ଆଥଲେଟିକ୍ସ, ସାଇକ୍ଲିଂ ଓ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ପ୍ରଶିକ୍ଷଣ ଦିଆଯିବାକୁ ଯୋଜନା କରାଯାଇଛି।

Leave A Reply

Your email address will not be published.