ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରିତାରେ ଓଡ଼ିଶା ପ୍ରଥମ; ଅଧିକ ଜିଲ୍ଲାକୁ ସାମିଲ କରିବା ଲାଗି ଯୋଜନା ପ୍ରସ୍ତୁତ

ଭୁବନେଶ୍ୱର/ ମାଲକାନଗିରି: ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଅତ୍ୟାଧୁନିକ ଓ ସୁପର ସ୍ପେସାଲିଟି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଛି ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା’। ରାଜ୍ୟର ବଛାବଛା ଓ ପ୍ରତିଷ୍ଠିତ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଉପାନ୍ତ ଅଞ୍ଚଳକୁ ଯାଇ ସ୍ୱାସ୍ଥ୍ୟ ସେବା ଯୋଗାଉଛନ୍ତି ଏବଂ ଆବଶ୍ୟକ ସ୍ଥଳେ ଗୁରୁତର ରୋଗୀମାନଙ୍କୁ ବିମାନରେ ରାଜ୍ୟର ପ୍ରତିଷ୍ଠିତ ଡ଼ାକ୍ତରଖାନାକୁ ଅଣାଯାଇ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ମାଲକାନଗିରି, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁରରେ ବିଶେଷଜ୍ଞ ଡ଼ାକ୍ତରମାନେ ଯାଇ ଚିକିତ୍ସା ଯୋଗାଉଛନ୍ତି। ସମ୍ପ୍ରତି ଏହି ଯୋଜନାରେ ଅଧିକ ଜିଲ୍ଲାକୁ ସାମିଲ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଏହି କ୍ରମରେ ଗତକାଲି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ଯୋଜନାରେ ମାଲକାନଗିରିରେ ରାଜ୍ୟର ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପହଞ୍ଚି ଚିକିତ୍ସା ସେବା ଆରମ୍ଭ କରିଛନ୍ତି।

ଭୁବନେଶ୍ୱରରୁ ଏକ ଚାରି ଜଣିଆ ବିଶେଷଜ୍ଞ ଡ଼ାକ୍ତରୀ ଦଳ ଏକ ସ୍ୱତନ୍ତ୍ର ବିମାନରେ ମାଲକାନଗିରି ଆସିଛନ୍ତି। ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡ଼ା.ଏଚ୍‍.କେ. ମାଝି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଶେଷଜ୍ଞ ଡ଼. କୈବଲ୍ୟ ରଞ୍ଜନ ଦାସ, ନେଫ୍ରୋଲୋଜି ବିଶେଷଜ୍ଞ ଡ଼. ଅରୁଣ କୁମାର ଆଚାର୍ଯ୍ୟ, ନିଶ୍ଚେତକ ବିଶେଷଜ୍ଞ ଡ଼.ଦେବାଶିଷ ସ୍ୱାଇଁ ପ୍ରମୁଖ ଜିଲ୍ଲାରେ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି। ଏମାନଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରଫୁଲ୍ଲ କୁମାର ନନ୍ଦ ଓ ଅନ୍ୟମାନେ ମଧ୍ୟ ଯୋଗ ଦେଇଛନ୍ତି। ଗତ ବର୍ଷ ଡିସେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ପର୍ଯ୍ୟାୟକ୍ରମେ ଏଥିରେ କଳାହାଣ୍ଡି, ମାଲକାନଗିରି, ନୂଆପଡ଼ା ଏବଂ ନବରଙ୍ଗପୁର ଭଳି ଆଦିବାସୀ ବହୁଳ ଜିଲ୍ଲାକୁ ସାମିଲ କରାଯାଇଛି। ଉପାନ୍ତ ଏବଂ ଦୁର୍ଗମ ଇଲାକାରେ ରହୁଥିବା ଲୋକ ବିଶେଷକରି ଜନଜାତି ବର୍ଗର ନାଗରିକଙ୍କ ପାଖରେ ସୁପର ସ୍ପେଶାଲିଟି ସେବା ପହଞ୍ଚାଯାଇ ପାରିଛି। କାର୍ଡିଓଲୋଜି, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି, କାର୍ଡିଓଲୋଜି, ଲାପ୍ରୋସ୍କୋପିକ୍‍ ସର୍ଜରୀ ବିଭାଗର ଡ଼ାକ୍ତରମାନେ ଲୋକଙ୍କୁ ଚିକିତ୍ସା କରୁଛନ୍ତି। କୋଭିଡ୍‍ ମହାମାରୀ ପାଇଁ କିଛି ସମୟ ପଯ୍ୟନ୍ତ ଏହାକୁ ବନ୍ଦ ରଖାଯାଇ ଥିଲା। ପରେ ଏପ୍ରିଲ ମାସରୁ ପୁଣି ଥରେ ଏହାର ଶୁଭାରମ୍ଭ କରାଯାଇଛି। ଦୁଇ ତିନି ଦିନ ଧରି ବିଶେଷଜ୍ଞ ଡାକ୍ତର ସେଠାରେ ଉପସ୍ଥିତ ରହି ସ୍ୱତନ୍ତ୍ର କ୍ୟାମ୍ପ୍‍ ଆୟୋଜନ କରୁଛନ୍ତି। ଅତିରିକ୍ତ ଡିଏମ୍‍ଇଟି ଏହି ଯୋଜନାର ନୋଡ଼ାଲ ଅଧିକାରୀ ନିଯୁକ୍ତ ହୋଇଥିବା ବେଳେ ବରିଷ୍ଠ ଅଧିକାରୀସ୍ତରରେ ନିୟମିତ ଭାବେ କାର୍ଯ୍ୟକ୍ରମର ସମୀକ୍ଷା କରାଯାଉଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ହେଉଛି ଦ୍ୱିତୀୟ ଅଭିନବ କାର୍ଯ୍ୟକ୍ରମ।

ରାଜ୍ୟର ପ୍ରତ୍ୟେକ ଜନତାଙ୍କୁ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ କଲେଜ ଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ ଲକ୍ଷ୍ୟରେ ରାଜ୍ୟ ସରକାର କାମ କରୁଛନ୍ତି। ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା ଏହି କାର୍ଯ୍ୟକ୍ରମର ଅଂଶବିଶେଷ। ଏପରି ଅଭିନବ ସ୍ୱାସ୍ଥ୍ୟ ସେବା ଆରମ୍ଭ କରିବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ। ପ୍ରଥମ ପର୍ଯ୍ୟାୟରେ ଚାରିଟି ଆଦିବାସୀ ବହୁଳ ଜିଲ୍ଲାକୁ ଏଥିରେ ସାମିଲ କରାଯାଇ ଥିବା ବେଳେ ଖୁବ୍‍ ଶୀଘ୍ର ଆଉ କିଛି ଜିଲ୍ଲାକୁ ଏଥିରେ ସାମିଲ କରିବା ପାଇଁ ଯୋଜନା ହୋଇଛି। ଆଜି ପ୍ରଶାସନିକ ଓ ବିଶେଷଜ୍ଞ ଦଳ ମାଲକାନଗିରି ଜିଲ୍ଲା ଗସ୍ତ କରି ଯୋଜନାର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି।

ରାଜ୍ୟରେ ସ୍ୱାସ୍ଥ୍ୟ ସେବାରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ନୂଆ ମେଡିକାଲ କଲେଜ ନିର୍ମାଣ ସହିତ ଜିଲ୍ଲା ମେଡିକାଲ କଲେଜ, ସିଏଚ୍‍ସି, ପିଏଚ୍‍ସି, ୟୁପିଏଚ୍‍ସି, ସବ୍‍ ଡିଭିଜନ୍‍ ଡାକ୍ତରଖାନାରେ ଭିତ୍ତିଭୂମିର ବିକାଶ କରାଯାଉଛି। ନୂଆ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କ ନିଯୁକ୍ତି ମଧ୍ୟ କରାଯାଉଛି। ତଥାପି ଅନେକ ସ୍ଥାନରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଛି। ଫଳରେ ରୋଗୀଙ୍କୁ ବଡ଼ ଡାକ୍ତରଖାନାକୁ ପଠାଯାଉଛି। କିନ୍ତୁ ଅନେକ ରୋଗୀ ବଡ଼ ଡାକ୍ତରଖାନା ପର୍ଯ୍ୟନ୍ତ ଆସିବା ସମ୍ଭବ ହେଉ ନାହିଁ। ଏହାକୁ ହୃଦବୋଧ କରି ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିପାଇଁ ରାଜ୍ୟସରକାର ଚଳିତ ବଜେଟ୍‍ରେ ସ୍ୱତନ୍ତ୍ର ବ୍ୟୟବରାଦ ମଧ୍ୟ କରିଛନ୍ତି। ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନାର ସଫଳ ରୂପାୟନ ଫଳରେ ସମ୍ପୃକ୍ତ ଜିଲ୍ଲାରୁ ମେଡିକାଲ କଲେଜକୁ ସୁପର ସ୍ପେଶାଲିଟି ବିଭାଗରେ ରେଫର ହେଉଥିବା ରୋଗୀ ସଂଖ୍ୟା ହ୍ରାସ ପାଇଛି। ସେମାନଙ୍କ ଜିଲ୍ଲା ମୁଖ୍ୟାଳୟରେ ବିଶେଷଜ୍ଞ ଡାକ୍ତରୀ ଦଳ ପହଞ୍ଚି ପାରୁଥିବାରୁ ସେମାନଙ୍କୁ ଆଉ ଶତାଧିକ ଦୂରତା ଅତିକ୍ରମ କରି ମେଡିକାଲ କଲେଜ ପର୍ଯ୍ୟନ୍ତ ଆସିବାକୁ ପଡୁ ନାହିଁ। ସ୍ଥାନୀୟ ଡାକ୍ତରଖାନାରେ ସୁପର ସ୍ପେଶାଲିଟି ଚିକିତ୍ସା ଆବଶ୍ୟକ କରୁଥିବା ରୋଗୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି ଏବଂ ନିର୍ଦିଷ୍ଟ ତାରିଖରେ ଡାକ୍ତରୀ ଦଳ ପହଞ୍ଚି ସେମାନଙ୍କ ଚିକିତ୍ସା କରୁଛନ୍ତି। କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ଅନେକ ରୋଗୀଙ୍କ ହୃଦରୋଗ, ବୃକକ୍‍ ଆଦିର ଜଟିଳ ଅସ୍ତ୍ରୋପଚାର ହୋଇଛି। ସେମାନଙ୍କୁ ଆଉ ପଡ଼ୋଶୀ ରାଜ୍ୟରେ ଥିବା ଘରୋଇ ଡାକ୍ତରଖାନାକୁ ଯାଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡୁ ନାହିଁ।

ଏ ସମ୍ପର୍କରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ନନ୍ଦ କହିଛନ୍ତି ଯେ ଏହି ବିଶେଷଜ୍ଞ ଦଳ ୩ ଦିନ ଧରି ଜିଲ୍ଲାର ଗୁରୁତର ରୋଗୀମାନଙ୍କୁ ଚିକିତ୍ସା କରିବେ। ଯେଉଁମାନଙ୍କର ଉନ୍ନତ ଚିକିତ୍ସାର ଆବଶ୍ୟକ ଥିବ ସେମାନଙ୍କୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇ ସେଠାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯିବ।

Leave A Reply

Your email address will not be published.