ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବେକାରୀ ନିୟନ୍ତ୍ରଣରେ ଦେଶର ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ଓଡ଼ିଶା

ଭୁବନେଶ୍ୱର : ଦେଶରେ ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏନେଇ ସାଧାରଣରେ ଜନ ଅସନ୍ତୋଷ ତୀବ୍ରତର ହୋଇଛି। ମାତ୍ର ଏହି ସମୟରେ ସାରା ଦେଶରେ ଓଡ଼ିଶା ବେକାରୀ ନିୟନ୍ତ୍ରଣରେ କ୍ରମାଗତ ଭାବରେ ଉତ୍ତମ ପ୍ରଦର୍ଶନ କରିଛି। ବେକାରୀ ନିୟନ୍ତ୍ରଣ କେନ୍ଦ୍ରରେ ସବୁ ବଡ଼ବଡ଼ ରାଜ୍ୟକୁ ପଛରେ ପକାଇ ଓଡ଼ିଶା ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। ନଭେମ୍ବର ମାସରେ ଓଡ଼ିଶାର ବେକାରୀ(ସର୍ବନିମ୍ନ) ହାର ଦେଶବ୍ୟାପୀ ଶ୍ରେଷ୍ଠ ୩ ରାଜ୍ୟ ମଧ୍ୟରେ ଥିବାବେଳେ କର୍ମନିଯୁକ୍ତି ପ୍ରଦାନରେ ଯେ ଓଡ଼ିଶା ମଡେଲ ସର୍ବଶ୍ରେଷ୍ଠ ତାହା ପ୍ରମାଣିତ ହୋଇଛି।

ସେଣ୍ଟର ଫର୍‍ ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମଆଇଇ)ର ତଥ୍ୟ ଅନୁଯାୟୀ ନଭେମ୍ବର ମାସରେ ଦେଶରେ ବେକାରୀ ହାର ୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ମାତ୍ର ତାହା ୧.୬ ପ୍ରତିଶତ ରହିଛି। ଖାଲି ନଭେମ୍ବର ମାସ ନୁହେଁ; ଯଦି ଗତ ଜାନୁଆରୀ ମାସଠାରୁ ସିଏମଆଇଇର ରିପୋର୍ଟକୁ ଅନୁଧ୍ୟାନ କରାଯାଏ ତାହେଲେ ବେକାରୀ ନିୟନ୍ତ୍ରଣ କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ ଭଲ ସ୍ଥିତିରେ ଥିବା ସ୍ପଷ୍ଟ ଭାବେ ଅନୁଭବ କରିହେଉଛି।

ସିଏମଆଇଇର ତଥ୍ୟ ଅନୁଯାୟୀ ନଭେମ୍ବର ପରି ଗତ ଅକ୍ଟୋବର ମାସରେ ଓଡ଼ିଶା ବେକାରୀ ନିୟନ୍ତ୍ରଣରେ ଶ୍ରେଷ୍ଠ୍‍-୩ ରାଜ୍ୟ ମଧ୍ୟରେ ରହିଥିଲା। ଓଡ଼ିଶାର ବେକାରୀ ହାର ୧.୧ ପ୍ରତିଶତ ଥିବାବେଳେ ମଧ୍ୟପ୍ରଦେଶ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ୦.୮ ପ୍ରତିଶତ ଏବଂ ଛତିଶଗଡ଼ ୦.୯ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଅକ୍ଟୋବର ମାସରେ ହରିୟାଣାରେ ସର୍ବାଧିକ ବେକାରୀ ହାର ୩୧.୮ ପ୍ରତିଶତ ରେକର୍ଡ କରାଯାଇଛି। ଏହାତଳକୁ ରାଜସ୍ଥାନର ୩୦.୭ ପ୍ରତିଶତ ରହିଥିବା ବେଳେ ଜମ୍ମୁ ଓ କଶ୍ମୀରର ୨୨.୪ପ୍ରତିଶତ ବେକାରୀ ହାର ରହିଛି। ଗତ ଜୁଲାଇ ମାସରେ ଓଡ଼ିଶାର ବେକାରୀ ହାର ମାତ୍ର ୦.୯ ପ୍ରତିଶତ ରହିଥିବା ବେଳେ ଦେଶବ୍ୟାପୀ ସର୍ବନିମ୍ନ ବେକାରୀ ହାର ତାଲିକାରେ ଓଡ଼ିଶା ଶ୍ରେଷ୍ଠ ସ୍ଥାନ ଅକ୍ତିଆର କରିଥିଲା।

ସେହିପରି କେବଳ ଗତ ମାର୍ଚ୍ଚ ମାସକୁ ଛାଡ଼ିଦେଲେ ଗତ ଜାନୁଆରୀଠାରୁ ଏଯାବତ୍‍ ଓଡ଼ିଶା ଏକ୍ଷେତ୍ରରେ ସବୁବେଳେ ସ୍ଥିର ଏବଂ ଉନ୍ନତ ପ୍ରଦର୍ଶନ କରିଆସିବା ସହ ସର୍ବନିମ୍ନ ବେକାରୀ ହାର କ୍ଷେତ୍ରରେ ସବୁବେଳେ ଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ରହିଆସିଛି। ଓଡ଼ିଶାର ବେକାରୀ ହାର ନିୟନ୍ତ୍ରଣରେ ରହିବାର ଅନେକ କାରଣ ରହିଥିବା ବିଶେଷଜ୍ଞମାନେ ଦର୍ଶାଇଛନ୍ତି। ରାଜ୍ୟ ସରକାର ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ କର୍ମ ନିଯୁକ୍ତି ପ୍ରଦାନକୁ ସର୍ବାଧିକ ପ୍ରାଧାନ୍ୟ ଦେଇଥିବା ବେଳେ ଏହାର ସୁଫଳ ଏବେ କାର୍ଯ୍ୟକ୍ଷେତ୍ରରେ ପ୍ରତିଫଳିତ ହୋଇଛି।

ସେହିପରି ମିଶନ ଶକ୍ତି ସହାୟତାରେ ମହିଳାଙ୍କୁ ଆତ୍ମନିର୍ଭର କରିବା ସହ ମନରେଗା ପରି କେନ୍ଦ୍ରୀୟ ଯୋଜନାର ସର୍ବାଧିକ ସଫଳ ଉପଯୋଗ ହୋଇପାରିଛି। ଯାହାଫଳରେ ଯୁବକ ଯୁବତୀମାନେ ପୂର୍ବାପେକ୍ଷା ଅଧିକ ଆତ୍ମନିର୍ଭର ହୋଇପାରିଛନ୍ତି। ସେହିପରି ନିଜସ୍ୱ ଯୋଜନା ମାଧ୍ୟମରେ ଅଧିକରୁ ଅଧିକ ନିଯୁକ୍ତି ସୃଷ୍ଟି ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ଏହି ସଫଳତାର ପ୍ରମୁଖ କାରଣ ବୋଲି କୁହାଯାଉଛି।

Leave A Reply

Your email address will not be published.