ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କାକଟପୁର ତହସିଲଦାରଙ୍କୁ ଦଣ୍ଡିତ କଲେ ହାଇକୋର୍ଟ, ମହିଳାଙ୍କ ପକ୍ଷ ନଶୁଣି ଲଗାଇଥିଲେ ଜରିମାନା

କଟକ : ଏକ ଜବରଦଖଲ ମାମଲାରେ ମହିଳାଙ୍କ ପକ୍ଷକୁ ସଠିକ ଭାବେ ନଶୁଣି ଦଣ୍ଡିତ କରିବା ଅଭିଯୋଗରେ ପୁରୀ ଜିଲ୍ଲାର କାକଟପୁରର ତହସିଲଦାରଙ୍କୁ ଦଣ୍ଡ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ବେପରୁଆ ଭାବେ ଜବରଦଖଲକାରୀଙ୍କୁ ଜରିମାନାରେ ଦଣ୍ଡିତ କରିବାକୁ ନେଇ ଓଡିଶା ହାଇକୋର୍ଟ କାକଟପୁରର ତହସିଲଦାରଙ୍କୁ କଟକରେ ୫୦ଟି ଗଛ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ତହସିଲଦାର ଜଣଙ୍କ କଟକ ସିଡିଏ ଅଞ୍ଚଳର ଯେକୌଣସି ସ୍ଥାନରେ ରାସ୍ତାକଡ଼ରେ ଏହି ୫୦ଟି ଗଛ ଲଗାଇବାକୁ ହାଇକୋର୍ଟ ତାଙ୍କୁ ଦଣ୍ଡିତ କରି କହିଛନ୍ତି। ଏଥିପାଇଁ ସେ ସିଡିଏ କର୍ତ୍ତୃପକ୍ଷଙ୍କ ସହଯୋଗ ନେବେ। ଏଥି ସହିତ ଉକ୍ତମାମଲାର ପୁନର୍ବାର ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଅନୁସାରେ ପୁରୀ ଜିଲ୍ଲାର କାକଟପୁରର ବଲରା ଗାଁର ମିତା ଦାସ ୦.୦୮ ଏକର ଗୋଚର ଜମି ଦଖଲ କରି ସେଠାରେ ଏକ ଚାଳ ଘର ନିର୍ମାଣ କରିଥିଲେ। ଜବରଦଖଲ ମାମଲାରେ ଜବରଦଖଲକାରୀ ମିତା ଦାସଙ୍କୁ ଗତବର୍ଷ ସେପ୍ଟେମ୍ବର ୧୫ ତାରିଖରେ କାକଟପୁର ତହସିଲଦାରଙ୍କ କୋର୍ଟରେ ହାଜର ହେବାକୁ ନୋଟିସ୍ କରାଯାଇଥିଲା। ସେ ତହସିଲଦାରଙ୍କ କୋର୍ଟରେ ହାଜର ହୋଇଥିଲେ ମଧ୍ୟ ନୋଟିସର ଜବାବ ଦାଖଲ କରି ପାରି ନଥିଲେ। ତେବେ ତାଙ୍କୁ ଆଉ ସୁଯୋଗ ଦେବା ତ ଦୂରର କଥା ସେହିଦିନ ହିଁ ତହସିଲଦାର ତାଙ୍କୁ ଜୋରିମାନାରେ ଦଣ୍ଡିତ କରିଥିଲେ। ତାଙ୍କ ପକ୍ଷ ନଶୁଣି ଏଭଳି ନିର୍ଦେଶ ଜାରି କରାଯାଇଥିବା ଦର୍ଶାଇ ମିତା ଦାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ତହସିଲଦାର ବେପରୁଆ ଭାବେ କାର୍ଯ୍ୟ କରିଥିବା କୋର୍ଟ ଅନୁଭବ କରିଥିଲେ। ମାମଲାର ସ୍ଥିତି ଏବଂ ଜଣେ ବ୍ୟକ୍ତିଙ୍କୁ ତାଙ୍କ ବାସଭବନରୁ ବହିଷ୍କାର ଘଟଣାରେ ଜଡିତ ହୋଇଥିବାରୁ ତହସିଲଦାରଙ୍କର ଏହା ପ୍ରଥମେ ଜାଣିବାର ଆବଶ୍ୟକତା ରହିଥିଲାକି ଜବରଦଖଲକାରୀ ଜଣେ ଶିକ୍ଷିତ ତଥା ଆଇନ ଜାଣିଥିବା ବ୍ୟକ୍ତି କି ନୁହେଁ । ଜବରଦଖଲକାରୀ ଦୁର୍ବଳ ଶ୍ରେଣୀର କିମ୍ବା ସମାଜର ଅବହେଳିତ ବର୍ଗର ଅଟନ୍ତି କି ? ଏହାସହିତ ତାଙ୍କ ପାଖରେ ଓକିଲଙ୍କ ସହାୟତା ନେବାପାଇଁ ଯଥେଷ୍ଟ ପରିମାଣର ଆୟ ଅଛିକି ନାହିଁ । ଏ ସମସ୍ତ ବିଷୟକୁ ତହସିଲଦାରଙ୍କୁ ଦେଖିବାର ଥିଲା ବୋଲି ଅଦାଲତ କହିଛନ୍ତି । କୋର୍ଟଙ୍କ ମୁତାବକ “O.P.L.E ର ଧାରା ୭ ଅନୁଯାୟୀ ତହସିଲଦାରଙ୍କୁ କାର୍ଯ୍ୟ କରିବାର ଥିଲା ।

ତହସିଲଦାରଙ୍କ ଏଭଳି ଖାମଖିଆଲି କାର୍ଯ୍ୟ ଯୋଗୁ ଜଣେ ସାଧାରଣ ଲୋକ ନ୍ୟାୟ ପାଇଁ ହାଇକୋର୍ଟକୁ ଆସିବା କଥାକୁ ଜଷ୍ଟିସ ବିଶ୍ୱନାଥ ରଥ ନାପସନ୍ଦ କରଥିଲେ। ଜବରଦଖଲ ମାମଲାର ଶୁଣାଣିରେ ତହସିଲଦାରଙ୍କ ଏଭଳି ଖାମଖିଆଲୀ ମନୋଭାବ ଯୋଗୁ ମୋକଦ୍ଦମା ସଂଖ୍ୟା ବଢୁଛି ବୋଲି ସେ କହିଥିଲେ। ଏଥିପାଇଁ ସମସ୍ତ ତହସିଲଦାରମାନଙ୍କୁ ତାଗିଦ କରିବାକୁ ରାଜସ୍ୱ ଓ ଆଇନ ସଚିବଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସମ୍ପୃକ୍ତ ମାମଲାର ଶୁଣାଣି ପୁନର୍ବାର କରିବାକୁ ତହସିଲଦାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.