ବନ୍ୟାବେଳେ ଜାଣିଶୁଣି ଦରଦାମ ବୃଦ୍ଧି କରୁଥିବା ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ: ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ବନ୍ୟା ପରିସ୍ଥିତି ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ମହଜୁତ ରଖି କଳାବଜାରୀ କରୁଥିବା ଅସାଧୁ ବ୍ୟବସାୟୀ ମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସରକାର ସତର୍କ କରି ଦେଇଛନ୍ତି । ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ ଅସାଧୁ ବ୍ୟବସାୟୀମାନେ ଯେପରି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁତ ରଖି କଳାବାରୀ ନକରନ୍ତି ସେ ନେଇ ସତର୍କ ଦୃଷ୍ଟି ରଖିବା ସହିତ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ଯାଂଚ ଓ ଚଢାଉ କରିବାକୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ , ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ନାୟକଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ପ୍ରମୁଖ ସଚିବ ରାଜ୍ୟର ସମସ୍ତ ଜିଲ୍ଲାପାଳ ମାନଙ୍କୁ ପତ୍ରଲେଖି ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି । ବନ୍ୟା ଯୋଗୁ ରାଜ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀ ଆସିବାରେ ସମସ୍ୟା ହୋଇପାରେ । ଏଥିଯୋଗୁ ଦର ବୃଦ୍ଧି ପାଇବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଅସାଧୁ ବ୍ୟବସାୟୀମାନେ ଯେଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ମହଜୁଦ ନକରିବେ ତଥା ବଜାରରେ ଏସବୁ ସାମଗ୍ରୀର କୃତ୍ରିମ ଅଭାବ ସୃଷ୍ଟି ନକରିବେ ସେଥିପ୍ରତି ନଜର ରଖିବାକୁ କହିଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିକୁ ଏଡ଼ାଇବା ନିମନ୍ତେ ବଜାରରେ ଉପଲବ୍ଧ ଥିବା ସାମଗ୍ରୀ ଓ ବଜାରକୁ ଆସୁଥିବା ସାମଗ୍ରୀ ଉପରେ ନଜର ରଖିବା ସହ ସେସବୁ ଯେଭଳି ସୁଲଭ ଦରରେ ଗ୍ରାହକଙ୍କ ନିକଟରେ ପହଂଚି ପାରିବ ସେଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ସଚିବ ଶ୍ରୀ ଯାଦବ ଜିଲ୍ଲାପାଳମାନଙ୍କୁ କହିଛନ୍ତି । ଯଦି ଆବଶ୍ୟକ ପଡ଼ୁଛି ଏଭଳି ଅସାଧୁ ବ୍ୟବସାୟୀଙ୍କ ବିରୁଦ୍ଧରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ-୧୯୫୫ ଅନ୍ତର୍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସେ ଜିଲ୍ଲାପାଳମାନଙ୍କୁ କହିଛନ୍ତି ।

ଏଠାରେ ଉଲଲ୍ଲେନୀୟ କି ସାଧାରଣତଃ ବନ୍ୟା , ବାତ୍ୟା ଭଳି ପ୍ରକୃତିକ ବିପର୍ଯ୍ୟୟ ସମୟରେ କେତେକ ଅସାଧୁ ମୁନାଫାଖୋର ବ୍ୟବସାୟୀ ପନିପରିବା ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ କରିଥାଆନ୍ତି । ସେମାନେ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଅଧିକ ଦରରେ ବିକ୍ରି କରଥାନ୍ତି । ଏହି ପରିପ୍ରେକ୍ଷୀରେ ବନ୍ୟା ଜନିତ ପରିସ୍ଥିତିରେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସଂପୃକ୍ତ ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି ।

Leave a comment