ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଏସକେଓ୍ବାଇରେ ଜାଲିଆତି କରୁଥିଲା କଟକର ସାଉଥ୍‌ ପଏଣ୍ଟ ହସ୍ପିଟାଲ, କାର୍ଯ୍ୟାନୁଷ୍ଠାନ ନେଲେ ସରକାର

ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉଛି ରାଜ୍ୟ ସରକାରଙ୍କରୁ ସବୁଠାରୁ ମହତ୍ୱାକାଂକ୍ଷୀ ସ୍ୱାସ୍ଥ୍ୟ ଯୋଜନା । ଏଥିରେ ଅବହେଳା କିମ୍ବା ଦୁର୍ନୀତି କଲେ ନିସ୍ତାର ମିଳିବ ନାହିଁ । ଆଜି ଏପରି କିଛି ଚରମ ବାଣି ଶୁଣାଇବା ସହିତ ଦୁର୍ନୀତିରେ ସମ୍ପୃକ୍ତ ଡାକ୍ତରଖାନା ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ବିଏସ୍‌କେୱାଇରେ ଯାଞ୍ଚ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବ ବୋଲି ସ୍ୱାସ୍ଥ୍ୟ ସଚିବ ଶାଲିନି ପଣ୍ଡିତ କହିଛନ୍ତି । ଅନିୟମିତତା ଅଭିଯୋଗ ଆସିଥିବା କଟକ ସ୍ଥିତ ସାଉଥ୍‌ ପଏଣ୍ଟ ହସ୍ପିଟାଲକୁ ସ୍ୱାସ୍ଥ୍ୟ ବିଭାଗ ବିଏସ୍‌କେୱାଇ ତାଲିକାଭୁକ୍ତ ହସ୍ପିଟାଲରୁ ବାଦ୍‌ ଦେଇଛି । ଏପରିକି ସେଠାରେ ଚିକିତ୍ସିତ ହେଉଥିବା ବିଏସ୍‌କେୱାଇ ହିତାଧିକାରୀ ମାନଙ୍କୁ ଜିଲ୍ଲା ପ୍ରଶାସିନ ସହାୟତାରେ ଅନ୍ୟ ଏକ ତାଲିକାଭୁକ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ସେମାନଙ୍କର ଉତ୍ତମ ଚିକିତ୍ସା ସୁନିଶ୍ଚିତ କରାଯାଇଛି । ଏଥିସହ ଉକ୍ତ ଡାକ୍ତରଖାନାରେ ନିୟୋଜିତ ସ୍ୱାସ୍ଥ୍ୟମିତ୍ର ମାନଙ୍କୁ ମଧ୍ୟ ହଟାଇ ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ବିଦା ହୋଇଥିବା ହସ୍ପିଟାଲ ପୂର୍ବରୁ ଯେଉଁ ଚିକିତ୍ସା ଖର୍ଚ୍ଚ ନେଇଛି ଅବା ଆବେଦନ କରିଛି ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ । ଏଥି ପାଇଁ ଏକ ଟିମ୍‌କୁ ନିୟୋଜିତ କରାଯାଇଛି । ସେହିପରି ସାଉଥ୍‌ ପଏଣ୍ଟ ହସ୍ପିଟାଲରୁ ଚିକିତ୍ସିତ ହୋଇ ଫେରିଥିବା ବିଏସ୍‌କେୱାଇ ହିତାଧିକାରୀଙ୍କୁ ଯୋଗାଯୋଗ କରି ହସ୍ପିଟାଲ ସମ୍ପର୍କରେ ସେମାନଙ୍କ ମତାମତ ସଂଗ୍ରହ କରାଯାଉଛି । ପୂର୍ବରୁ ଯଦି ସମ୍ପୃକ୍ତ ଡାକ୍ତରଖାନାରେ ବିଏସ୍‌କେୱାଇକୁ ନେଇ କୌଣସି ପ୍ରକାର ଅନିୟମିତତା ହୋଇଥିବ ତାହା ଜଣାପଡିବ ଏବଂ ସେହି ଅନୁସାରେ ତଦନ୍ତ କରାଯିବ ।

ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବିଏସ୍‌କେୱାଇରେ ତାଲିକାଭୁକ୍ତ ହେବା ପୂର୍ବରୁ ସମ୍ପୃକ୍ତ ହସ୍ପିଟାଲର କାର୍ଯ୍ୟକଳାପ ଏବଂ ଅନ୍ୟ କ୍ଷେତ୍ରକୁ ଷ୍ଟେଟ୍‌ ହେଲଥ୍‌ ଆସ୍ୟୁରାନ୍ସ ସୋସାଇଟିର ଡାକ୍ତର ଏବଂ ବିଶେଷଜ୍ଞ ଭଲ ଭାବେ ଯାଞ୍ଚ କରିଥାନ୍ତି । ସବୁ ଠିକ୍‌ ଥିଲେ ଯାଇ ବିଏସ୍‌କେୱାଇ ହିତାଧିକାରୀଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗ ଅନୁମତି ପ୍ରଦାନ କରିଥାଏ । ଏଥିସହ ହିତାଧିକାରୀଙ୍କ ଚିକିତ୍ସା ବାବଦରେ ତାଲିକାଭୁକ୍ତ ଡାକ୍ତରଖାନା ଦେଉଥିବା ବିଲ୍‌ ଗୁଡିକୁ ମଧ୍ୟ ସବୁ ଦିଗରୁ ତର୍ଜମା କରାଯାଇ ଦେୟ ପୈଠ କରାଯାଉଛି ।

ପ୍ରଥମ ଥର ପାଇଁ ଏକ ହସ୍ପିଟାଲରେ ଅନିୟମିତତା ଖବର ଆସିଛି । ଆଉ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସାରିଛି । ତେବେ ଏହା ଆମ ପାଇଁ ସତର୍କ ଘଣ୍ଟି ସଦୃଶ । ଆଗକୁ ଯେପରି ଏହି ଘଟଣାର ପୁନରାବୃତି ନ ହେବ ସେଥିପାଇଁ ବିଭାଗ ଯାଞ୍ଚ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଯେ ଗତ ୧୦ ତାରିଖରେ ବିଏସ୍‌କେୱାଇରେ ଜାଲିଆତି ଅଭିଯୋଗରେ କଟକ ସହରାଞ୍ଚଳ ପୁଲିସ ସାଉଥ୍‌ ସିଟି ହସ୍ପିଟାଲର କର୍ତ୍ତୃପକ୍ଷଙ୍କ ସମେତ ୫ ଜଣଙ୍କୁ ଗିରଫ କରିଥିଲା । ମିଥ୍ୟା ବିଲ୍‌ ଦେଇ ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇ ଥିବା ଜଣାପଡିବା ପରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିଲା । କଟକ ୪୨ ମୌଜା ଅନ୍ତର୍ଗତ ବିଏସ୍‌କେୱାଇ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ଲେଖାଏଁ ଦେଇ ହସ୍ପିଟାଲ କର୍ତ୍ତୃପକ୍ଷ ମିଥ୍ୟା ବିଲ୍‌ ପ୍ରସ୍ତୁତ କରି ଟଙ୍କା ହଡ଼ପ କରିଥିବା ଜଣାପଡିଥିଲା ।

Leave A Reply

Your email address will not be published.