ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୨ ଓବିସି ସଂପ୍ରଦାୟକୁ ଏସଇବିସି ବର୍ଗରେ ସାମିଲ କରିବାକୁ ମିଳିଲା କ୍ୟାବିନେଟ୍‌ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ କ୍ୟାବିନେଟ ଶନିବାର ଦିନ ୨୨ ଟି ଜାତିଙ୍କୁ SEBC ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡ଼ିଶା ପଛୁଆବର୍ଗ କମିଶନ ଆଇନ (୧୯୯୩)ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସଂପ୍ରତି ଓଡ଼ିଶାର ୨୨ଟି ଜାତି ତଥା ସଂପ୍ରଦାୟ ଗୁଡ଼ିକ ବିଭିନ୍ନ ବିଜ୍ଞପ୍ତି ମାଧ୍ୟମରେ ପଛୁଆ ବର୍ଗ ତାଲିକାରେ ସାମିଲ ହୋଇଥିଲେ ମଧ୍ୟ ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ (ଏସ୍‌ଇବିସି) ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରି ନାହାଁନ୍ତି । ଉକ୍ତ ୨୨ଟି ସଂପ୍ରଦାୟର ସାମାଜିକ ଓ ଶିକ୍ଷାଗତ ଅନଗ୍ରସରତାକୁ ଧ୍ୟାନରେ ରଖି ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟର ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗରେ ସାମିଲ କରିବାର ଆବଶ୍ୟକତା ରହିଥିବା ରାଜ୍ୟ ସରକାର ହୃଦୟଙ୍ଗମ କରିଛନ୍ତି । ଏଥିପାଇଁ ଓଡ଼ିଶା ରାଜ୍ୟ ପଛୁଆବର୍ଗ ଆୟୋଗ ଅଧିନିୟମ,୧୯୯୩ର ଧାରା-୯ ଅଧୀନରେ ଉପଧାରା-୩କୁ ଅନ୍ତର୍ଭୁକ୍ତ କରାଯିବ । ଏଥିପାଇଁ ଆବଶ୍ୟକୀୟ ସଂଶୋଧନକୁ କ୍ୟାବିନେଟ୍‌ ଅନୁମୋଦନ କରିଛନ୍ତି ।

ଭାରତର ସମ୍ବିଧାନର ଧାରା ୧୫(୪), ପଛୁଆବର୍ଗମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରଦାନ କରିଛି। ସୂଚନା ଅନୁଯାୟୀ, ଓବିସି ବର୍ଗରେ ସାମିଲ ହୋଇନଥିବା ବ୍ୟକ୍ତିବିଶେଷମାନେ ରାଜ୍ୟ ସରକାରଙ୍କର ନିଯୁକ୍ତି ପ୍ରକ୍ରିୟାରେ ସଂରକ୍ଷଣ ପାଇପାରୁନଥିଲେ । ଓବିସି ବର୍ଗର ଆବେଦନକାରୀମାନଙ୍କୁ ରାଜ୍ୟର ସଂରକ୍ଷଣ ବ୍ୟବସ୍ଥାରେ ସାଧାରଣ ବର୍ଗରେ ସାମିଲ ହେବାକୁ ପଡ଼ୁଥିଲା । ସାମାଜିକ ଓ ଶିକ୍ଷାଗତ ଦୃଷ୍ଟିକୋଣରୁ ଅନଗ୍ରସର ହୋଇ ମଧ୍ୟ ସାଧାରଣ ବର୍ଗରେ ସାମିଲ ହୋଇ ସଂରକ୍ଷଣରୁ ବଞ୍ଚିତ ହେଉଥିବା ବର୍ଗଗୁଡ଼ିକ ଏସ୍‌ଇବିସି ତାଲିକାରେ ସାମିଲ ହେବାକୁ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ । ରାଜ୍ୟ କ୍ୟାବିନେଟ୍‌ର ଏଭଳି ନିଷ୍ପତ୍ତି ଉକ୍ତ ୨୨ଟି ସଂପ୍ରଦାୟଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାରେ ସହାୟକ ହେବ ବୋଲି କୁହାଯାଉଛି ।

୨୦୧୮ ମସିହାରେ ତକ୍ରାଳୀନ ଗୃହମନ୍ତ୍ରୀ ରାଜନାଥ ସିଂ ଦେଶରେ ଜାତିଭିତ୍ତିକ ଜନଗଣନା କଥା ଉଠାଇଥିଲେ । ମାତ୍ର କୋଭିଡ୍‌ ଯୋଗୁଁ ଜାତିଭିତ୍ତିକ ଜନଗଣନା ହୋଇପାରିଲା ନାହିଁ । ଏହାପରେ ରାଜ୍ୟ ସରକାର ୨୦୨୦ ପ୍ରଥମାର୍ଦ୍ଧରେ ଜାତିଭିତ୍ତିକ ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଲେ । ତେବେ ଏନେଇ କୌଣସି ଅଗ୍ରଗତି ନହେବା ଫଳରେ ରାଜ୍ୟ ସରକାର ନିଜସ୍ୱ ପ୍ରଚେଷ୍ଟା ରାଜ୍ୟ ପଛୁଆ ବର୍ଗଙ୍କୁ ସେମାନଙ୍କ ନାର୍ଯ୍ୟ ଦାବି ଦେବାକୁ ପ୍ରୟାସ ଆରମ୍ଭ କରିଥିଲେ । ରାଜ୍ୟ ସରକାର ପ୍ରଥମେ ପଛୁଆ ବର୍ଗ କମିଶନକୁ ଅଧିକ କ୍ରିୟାଶୀଳ କରିବା ଉଦ୍ଦେଶ୍ୟରେ ପୁନର୍ଗଠନ କରିଥିଲେ । ଜଷ୍ଟିସ ରଘୁନାଥ ବିଶ୍ୱାଳଙ୍କୁ ଏହାର ଅଧ୍ୟକ୍ଷ ଦାୟିତ୍ୱରେ ରଖାଗଲା । କେଉଁ ବର୍ଗ ଏସଇବିସିରେ ସାମିଲ ହେବେ ସେନେଇ ଏକ ସର୍ଭେ କରାଯାଇ ରାଜ୍ୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଓ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗକୁ ସୁପାରିଶ କଲେ । ସେହି ସୁପାରିଶ ଆଧାରରେ ରାଜ୍ୟ କ୍ୟାବିନେଟ୍‌ ୨୨ଟି ଓବିସି ବର୍ଗକୁ ଏସଇବିସିରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି । ଉଲ୍ଲେଖଯୋଗ୍ୟ ୨୦୧୮ରେ ଜାତିଭିତ୍ତିକ ଜନଗଣନା ପାଇଁ ପ୍ରତିଶ୍ରୁତି ଦେଇଥିବା କେନ୍ଦ୍ର ସରକାର ନିଜ ଉଚ୍ଚାରଣ ରକ୍ଷା କରିବାରେ ସମର୍ଥ ନହେବା ହେତୁ ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ରାଜ୍ୟର ପଛୁଆ ବର୍ଗଙ୍କ ସ୍ୱାର୍ଥରେ ଏଭଳି ନିଷ୍ପତ୍ତି ନେଇଥିବା ସଂପ୍ରଦାୟର ବ୍ୟକ୍ତିବିଶେଷମାନେ ମତପୋଷଣ କରିଛନ୍ତି ।

Leave A Reply

Your email address will not be published.