ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୦୮୩ କୋଟି ଟଙ୍କାର ୭ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ, ସୃଷ୍ଟିହେବ ୨୧୪୪ ନିଯୁକ୍ତି ସୁଯୋଗ

ଭୁବନେଶ୍ବର : ୨୦୮୩ କୋଟି ଟଙ୍କାର ୭ଟି ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି। ଆଇଓସିଏଲ୍ ଓ ଏଚପିସିଏଲର ଇଥାନଲ ପ୍ଲାଣ୍ଟ ସ୍ଥାପନ ପ୍ରକଳ୍ପ ସମେତ ମୋଟ ୨୦୮୩ କୋଟି ୮୮ ଲକ୍ଷ ଟଙ୍କାର ୭ଟି ପ୍ରକଳ୍ପକୁ ମିଳିଛି ସିଙ୍ଗଲୱିଣ୍ଡୋ ମଞ୍ଜୁରୀ । ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୭ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପ ଦ୍ବାରା ରାଜ୍ୟରେ ୨୧୪୪ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଆର୍ଥିକ ଗତିବିଧି ବୃଦ୍ଧି ପାଇବା ସହ ବହୁ ପରିମାଣର ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିବା ସହ ପ୍ରକଳ୍ପଗୁଡ଼ିକ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକ ଜମି ଓ ଜଳର ବାସ୍ତବ ଆକଳନ କରି ସେମାନଙ୍କୁ ଯୋଗାଇ ଦେବାକୁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଶକ୍ତି ଓ ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପଗୁଡ଼ିକୁ ଆଜି ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି। ଯେଉଁସବୁ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍‌ଜୁରୀ ମିଳିଛି ସେଥିରେ ଇଣ୍ଡିଆନ ଅଏଲ କର୍ପୋରେସନ୍ ଦ୍ବାରା ୮୭୦କୋଟି ଟଙ୍କା ବ୍ୟୟରେ ବାଲେଶ୍ବରର ବାଳଗୋପାଳପୁର ଶିଳ୍ପାଞ୍ଚଳରେ ଇଥାନଲ ପ୍ଲାଣ୍ଟ ଓ ୮ ମେଗାୱାଟର ବିଦ୍ୟୁତ ଉତ୍ପାଦନ ପ୍ଲାଣ୍ଟ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହା କାର୍ଯ୍ୟକ୍ଷମ ହେଲେ ୧୯୪ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ୫୦୦କୋଟି ଟଙ୍କା ବ୍ୟୟରେ ନବରଙ୍ଗପୁରର ଉମରକୋଟରେ ଇଥାନଲ ପ୍ଲାଣ୍ଟ ନିର୍ମାଣ କରିବ । ଏହି ପ୍ଲାଣ୍ଟରେ ୨୪୦ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ । ନ୍ୟୂଲଟ୍ ଏନର୍ଜି ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୧୨୫ କୋଟି ଟଙ୍କା ବ୍ୟୟରେ ଅନୁଗୁଳର ବନ୍ତଳାରେ ବାୟୋଗ୍ୟାସ୍ ପ୍ଲାଣ୍ଟ ସ୍ଥାପନ କରାଯିବ । ଏହି ବାୟୋ ଗ୍ୟାସ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ୬୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ୧୫୦ କୋଟି ଟଙ୍କା ବ୍ୟୟରେ ଜଗତସିଂହପୁର ଜିଲ୍ଲାର କୁଜଙ୍ଗରେ ଏକ ମଲଟି ମୋଡାଲ୍ ଲଜିଷ୍ଟିକ୍ ପାର୍କ ସ୍ଥାପନ କରିବ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ ଆଣ୍ଡ ଇନଫ୍ରାଷ୍ଟକଚର ପ୍ରାଇଭେଟ ଲିମିଟେଡ୍ । ଏଥିରେ ୧୦୦ ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ ।

ସେହିପରି ବଲାଙ୍ଗୀରର ସଇଁତଳାଠାରେ ଆଦିତ୍ୟ ବିର୍ଲା ରିନ୍ୟୁଏବଲ୍ ଲିମିଟେଡ ୮୯ କାଟି ୪୪ ଲକ୍ଷ ଟଙ୍କା ବ୍ୟୟରେ ୧୮.୭୫ ମେଗାୱାଟ ବିଶିଷ୍ଟ ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ ହେବ । ଏହା କାର୍ଯ୍ୟକ୍ଷମ ହେଲେ ୨୮ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

ଅନ୍ୟପଟେ ଆଟମୋସ୍ପିୟର କୋର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାରେ ୧୮୪ କୋଟି ୬୪ ଲକ୍ଷ ଟଙ୍କା ବ୍ୟୟରେ ଏକ ପଞ୍ଚତାରକା ହୋଟେଲ ନିର୍ମାଣ କରାଯିବ । ଏହି ହୋଟେଲରେ ୪୬୯ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଏହାସହ ଭୁବନେଶ୍ବରର ଚନ୍ଦକା ନିକଟରେ ୧୬୪ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ଏକ ପଞ୍ଚତାରକା ହୋଟେଲ ନିର୍ମାଣ କରିବ ଡିଏନ୍ ହୋମସ ପ୍ରାଇଭେଟ ଲିମିଟେଡ । ଏହି ହୋଟେଲ କାର୍ଯ୍ରକାରୀ ହେଲେ ୪୬୩ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ ।

Leave A Reply

Your email address will not be published.