ଭୋଟ୍ ପାଇଁ ଡିସେମ୍ବର ୫କୁ ଛୁଟି ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ବର : ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଡିସେମ୍ବର ୫ ତାରିଖରେ ପଡିବାକୁ ଯାଉଛି ଭୋଟ୍। ଉପନିର୍ବାଚନ ପାଇଁ ପଦ୍ମପୁର ମଇଦାନରେ ଏବେ ୧୦ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଲଢେଇ ହେବ । ମୋଟ ୧୩ ଜଣ ନାମାଙ୍କନ କରିଥିବା ଯାଞ୍ଚବେଳେ ୨ ଜଣଙ୍କର ନାକଚ ହୋଇଥିଲା। ଜଣେ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି। ଏବେ ମଇଦାନରେ ୧୦ ଜଣ ପ୍ରାର୍ଥୀ ରହିଛନ୍ତି। ଏହାରି ମଧ୍ୟରେ ଭୋଟ୍ ଦିନ ପଦ୍ମପୁରରେ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଆଜି ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ ପଦ୍ମପୁର ଉପନିର୍ବାଚନ ପାଇଁ ଡିସେମ୍ବର ୫ ତାରିଖରେ ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ସରକାରୀ ଛୁଟି ରହିବ। ସରକାରଙ୍କ ଘୋଷଣା ମୁତାବକ, ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ସରକାରୀ ଅନୁଷ୍ଠାନ ଓ କୋର୍ଟ ଭୋଟ ଦିନ ବନ୍ଦ ରହିବ।

ଡିସେମ୍ବର ୫ ତାରିଖରେ ପଡିବାକୁ ଯାଉଛି ପଦ୍ମପୁର ଉପନିର୍ବାଚନ ଭୋଟ୍ । ଯାହାର ଫଳାଫଳ ଆସନ୍ତା ଡିସେମ୍ବର ୮ ତାରିଖରେ ଘୋଷଣା କରାଯିବ । ତେବେ ବର୍ତ୍ତମାନ ସମସ୍ତ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଥିବାବେଳେ, ତିନି ପ୍ରମୁଖ ରାଜନୈତିକ ଦଳ ଘରକୁ ଘର ବୁଲି ପ୍ରଚାର କାମ ଜାରି ରଖିଛନ୍ତି। ତେବେ ୧୦ ଜଣ ପ୍ରାର୍ଥୀଙ୍କ ନାମ ବାଲାଟ୍ ପେପରରେ ରହିବ । ଯାହାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୫୭ ହଜାର ୪୭୪ ଜଣ ଭୋଟର । ତେବେ ମୋଟ ଭୋଟରଙ୍କ ଭିତରୁ ୧ ଲକ୍ଷ ୨୯ ହଜାର ୪୯୭ ଜଣ ଭୋଟର ପୁରୁଷ ହୋଇଥିବାବେଳେ, ୧ ଲକ୍ଷ ୨୭ ହଜାର ୯୬୫ ଜଣ ମହିଳା ଭୋଟର ରହିଛନ୍ତି । ପଦ୍ମପୁର ଉପ ନିର୍ବାଚନ ପାଇଁ ମୋଟ ୩୧୯ଟି ବୁଥ୍ ରହିଥିବାବେଳେ, ଏହି ସବୁ ବୁଥରେ ଅଢେଇ ଲକ୍ଷରୁ ଅଧିକ ଭୋଟର ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ.କେ ଲୋହାନୀଙ୍କ ସୂଚନା ଅନୁସାରେ  ପଦ୍ମପୁରରେ ୮୦ ବର୍ଷରୁ ଅଧିକ ମୋଟ ୪୩୯୩ ଜଣ ଭୋଟର ଏବଂ ୨୫୫୮ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି । ତା ସହିତ ୨୮୪ ଜଣ ଭୋଟର ପୋଷ୍ଟାଲ ବାଲାଟ୍ ସାହାଯ୍ୟରେ ମତାଧିକାର ସାବ୍ୟସ୍ତ କରିବେ ବୋଲି ଜଣାପଡିଛି । ପଦ୍ମପୁର ଉପ ନିର୍ବାଚନ ପାଇଁ ୧୧ଟି ପୋଲିଂ ପାର୍ଟି କାମ କରିବେ । ଯେଉଁଥିରେ ଦୁଇ ଜଣ ପୋଲିଂ ଅଫିସର, ଜଣେ ମାଇକ୍ରୋ ଅବଜରଭର, ଜଣେ ଭିଡିଓଗ୍ରାଫର୍ ଏବଂ ଜଣେ ସୁରକ୍ଷା କର୍ମୀ ରହିବେ । ଚଳିତଥର ପଦ୍ମପୁର ଉପ ନିର୍ବାଚନ ଭୋଟ୍ ସକାଳ ୭ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ । ଏହି ସମୟ ଭିତରେ ଅଢେଇ ଲକ୍ଷରୁ ଅଧିକ ଭୋଟର ପଦ୍ମପୁରର ନୂଆ ବିଧାୟକ ବାଛିବେ ।

ପଦ୍ମପୁର ଉପ ନିର୍ବାଚନ ପାଇଁ ମୋଟ ୩୧୯ଟି ବୁଥ୍ ରହିଥିବାବେଳେ କିଛି ମତଦାନ କେନ୍ଦ୍ରର ନା ପରିବର୍ତ୍ତନ ହୋଇଥିଲେ ବି ସ୍ଥାନ ସମାନ ରହିଛି। ଭୋଟର ଦ୍ବନ୍ଦରେ ନ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ଯେଉଁଠି ଭୋଟ ଦେଇଥିଲେ ସେହି ସ୍ଥାନରେ ଭୋଟର ଭୋଟ ଦେବେ । ୭୪ଟି ବୁଥ ମାଓପ୍ରଭାବିତ ଅଞ୍ଚଳରେ ରହିଛି। ୭୮ ଟି ସମ୍ବେଦନଶିଳ ବୁଥ ଚିହ୍ନଟ କରାଯାଇଛି। ୯ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯିବ। ଆଇନଶୃଙ୍ଖଳା ପାଇଁ ମୋଟ ୪୧ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ୫୦ ପ୍ରତିଶତ ବୁଥ ରେ ହେବ ୱେବ କାଷ୍ଟିଙ୍ଗ। ୯୮ ଜଣ ମାଇକ୍ରୋ ଅଭଜରର୍ବର୍ ମୁତୟନ ହେବେ।

Leave a comment