‘ନିତି’ ବୈଠକରେ ‘ଆକାଂକ୍ଷୀ’ : ଓଡ଼ିଶା ଦେଲା ବିକାଶ ସୂତ୍ର
ଭୁବନେଶ୍ୱର : ‘ଆକାଂକ୍ଷୀ’ ପ୍ରସଙ୍ଗକୁ ନେଇ ଗତ କିଛିଦିନ ହେଲା ସରଗରମ ହୋଇଛି ରାଜ୍ୟ ରାଜନୀତି। ଏପ୍ରିଲ ୭ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ଜାତୀୟସ୍ତରରେ ‘ସାମାଜିକ ନ୍ୟାୟ ପକ୍ଷ’ ପାଳନ କରିବା ଅବସରରେ କେନ୍ଦ୍ରୀୟ ମନ୍ତ୍ରୀମାନେ ବିଭିନ୍ନ ରାଜ୍ୟର ‘ଆକାଂକ୍ଷୀ’ ଜିଲ୍ଲା ସମୀକ୍ଷା କରିଛନ୍ତି। ଏହି କ୍ରମରେ ପ୍ରାୟ ୧୦ ଜଣ କେନ୍ଦ୍ର ମନ୍ତ୍ରୀ ଓଡ଼ିଶାର ୧୦ ଆକାଂକ୍ଷୀ ଜିଲ୍ଲା ଗସ୍ତ କରି ରାତ୍ରିଯାପନ କରିଛନ୍ତି ଓ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ଆକ୍ଷେପ-ପ୍ରତ୍ୟାକ୍ଷେପ। ଏହି ସ୍ଥିତିରେ ନୂଆଦିଲ୍ଲୀରେ ବୁଧବାର ଅନୁଷ୍ଠିତ ନିତି ଆୟୋଗ ବୈଠକରେ ଓଡ଼ିଶା ଉପସ୍ଥାପନ କରିଛି ‘ଆକାଂକ୍ଷୀ’ ବିକାଶର ବାସ୍ତବ ସୂତ୍ର। ରାଜନୈତିକସ୍ତରକୁ ନ ଯାଇ ବାସ୍ତବରେ କିପରି ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ବିକାଶ ହୋଇ ପାରିବ ସେ ସମ୍ପର୍କରେ ରାଜ୍ୟ ବିସ୍ତୃତ ନକ୍ସା ଉପସ୍ଥାପନ କରିଛିି।
ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ବିକାଶ ନିମନ୍ତେ କେବଳ ପ୍ରୋତ୍ସାହନ ରାଶି ନୁହେଁ; ବାସ୍ତବ ଆବଶ୍ୟକତା ଆଧାରରେ ନମନୀୟ ପାଣ୍ଠି ପ୍ରଦାନ ସହ ୫ଟି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛି ଓଡ଼ିଶା। ସଙ୍ଘୀୟ ବ୍ୟବସ୍ଥାରେ ରାଜନୈତିକ ସ୍ୱାର୍ଥ୍ୟରୁ ଉପରକୁ ଉଠି ସାରା ଦେଶ ପାଇଁ ଓଡ଼ିଶା ଯେଉଁ ରାସ୍ତା ଦେଖାଇଛି ବିଭିନ୍ନ ମହଲରେ ତାହ ପ୍ରଶଂସିତ ହୋଇଛି। ‘ନିତି’ ଆୟୋଗ ଉପାଧ୍ୟକ୍ଷ ଡ଼. ରାଜୀବ କୁମାରଙ୍କ ଅଧ୍ୟକ୍ଷତାରେ ‘ଆକାଂକ୍ଷୀ’ ଜିଲ୍ଲାଗୁଡ଼ିକର ବିକାଶ ସମ୍ଭାବନା ସଂକ୍ରାନ୍ତ ଆଲୋଚନାରେ ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏହି ଜିଲ୍ଲାଗୁଡ଼ିକର ବିକାଶ ସଂକ୍ରାନ୍ତରେ ଓଡ଼ିଶାର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ପଛୁଆ କୁହାଯାଉଥିବା ଜିଲ୍ଲାଗୁଡ଼ିକୁ ‘ଆକାଂକ୍ଷୀ’ ମାନ୍ୟତା ଦିଆଯାଇ ଏହାର ବିକାଶ ନିମନ୍ତେ ୨୦୧୮ରୁ କେନ୍ଦ୍ର ସରକାର ପ୍ରସ୍ତୁତ କରିଛନ୍ତି ନକ୍ସା। ମାତ୍ର ନିର୍ଦ୍ଦିଷ୍ଟ ଭାବରେ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର ବିକାଶ ନିମନ୍ତେ ବଜେଟ୍ରେ କୌଣସି ଆର୍ଥିକ ବ୍ୟବସ୍ଥା କରାଯାଇ ନାହିଁ।
ନିତି ଆୟୋଗଙ୍କ ମାର୍ଗଦର୍ଶିକା ଅନୁସାରେ ଏହି ଜିଲ୍ଲାଗୁଡ଼ିକର କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ଦକ୍ଷତାବିକାଶ ଆଦି ବିଭିନ୍ନ ଦିଗ ନିର୍ଣ୍ଣିତ କରାଯାଇ କେବଳ ତାହାର ବର୍ଗୀକରଣ କରାଯାଉଛି। ଯାହାର ସଫଳତା ଓ ବିଫଳତା ଡେଲ୍ଟା Ñଙ୍କିଂରେ ପ୍ରତିଫଳିତ ହେଉଥିଲେ ମଧ୍ୟ ଦୁର୍ବଳ କ୍ଷେତ୍ରଗୁଡ଼ିକର ବିକାଶ ପାଇଁ ନିର୍ଦ୍ଦିଷ୍ଟ ଭାବରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ଅନୁଦାନ ବ୍ୟବସ୍ଥା କରାଯାଇ ନାହିଁ। ଯେଉଁଥିପାଇଁ କେନ୍ଦ୍ରମନ୍ତ୍ରୀମାନଙ୍କ ତଥାକଥିତ ‘ଆକାଂକ୍ଷୀ’ ସମୀକ୍ଷାକୁ ନେଇ ସ୍ୱାଭାବିକ ବିବାଦ ସୃଷ୍ଟି ହେଉଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପକ୍ଷରୁ ‘ଆକାଂକ୍ଷୀ’ ଜିଲ୍ଲାଗୁଡ଼ିକ ନିମନ୍ତେ ସ୍ୱତନ୍ତ୍ର ଆର୍ଥିର୍କ ଅନୁଦାନ, ନମନୀୟ ପାଣ୍ଠି, ନିର୍ଦ୍ଦିଷ୍ଟ ଯୋଜନା ବା କାର୍ଯ୍ୟକ୍ରମ ପ୍ରଣୟନ, ଗ୍ରାମାଞ୍ଚଳ ବା ସହରାଞ୍ଚଳ ପାଇଁ ସ୍ୱତନ୍ତ୍ର ଯୋଜନା ଏବଂ ଏକୀକୃତ ସମ୍ବଳ ଆଦି ୫ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବାକୁ ପ୍ରସ୍ତାବ ଦିଆଯାଇଛି।
କେବଳ ନିର୍ଦ୍ଦିଷ୍ଟ ଦିଗ ଅପେକ୍ଷା ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦିଆଯିବା ସହ ବାସ୍ତବ ଆବଶ୍ୟକତା ଆଧାରରେ ପାଣ୍ଠି ପ୍ରଦାନ କରାଗଲେ ଆକାଂକ୍ଷୀ ଜିଲ୍ଲାର ବିକାଶ ସମ୍ଭବ ହୋଇପାରିବ ବୋଲି ଓଡ଼ିଶା ପ୍ରସ୍ତାବ ଦେଇଛି। ଅନ୍ୟପକ୍ଷରେ କେବଳ ପ୍ରୟୋଗାତ୍ମକ ଭାବରେ ପଦକ୍ଷେପ ନ ନେଇ ନମନୀୟ ପାଣ୍ଠି (ଫ୍ଲେକ୍ସି ଫଣ୍ଡ) ଉପଯୋଗ ଉପରେ ମଧ୍ୟ ଓଡ଼ିଶା ଗୁରୁତ୍ୱ ଦେଇଛି। ରାଜ୍ୟ ଉନ୍ନୟନ କମିଶନ ପ୍ରଦୀପ କୁମାର ଜେନା ‘ନିତି’ ଆୟୋଗ ନିକଟରେ ‘ଆକାଂକ୍ଷୀ’ ଜିଲ୍ଲାଗୁଡ଼ିକରେ ସମ୍ମୁଖୀନ ହେଉଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି।
ସ୍ଥାନୀୟ ଆବଶ୍ୟକତା ଅନୁସାରେ ସ୍ୱାସ୍ଥ୍ୟ ସେବାର ବିକାଶ, ସ୍ଥାନୀୟ ଅଧିବାସୀଙ୍କ ଖାଦ୍ୟ ରୁଚିକୁ ନେଇ ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥା, ପରିବେଶ ଅନୁଯାୟୀ କୃଷି, ଜଳ ବ୍ୟବହାର, ଶିକ୍ଷା ଓ ଦକ୍ଷତା ଆଧାରରେ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ବ୍ୟବସ୍ଥା କରାଯିବା, ଯୋଗାଯୋଗ ବ୍ୟବସ୍ଥାର ଉନ୍ନତିକରଣ, ଡ଼ିଜିଟାଲ ବ୍ୟାଙ୍କିଂ ବ୍ୟବସ୍ଥା ସହ ଆଭ୍ୟନ୍ତରୀଣ ଅଞ୍ଚଳରେ ଏଟିଏମ୍ ସେବା ଏବଂ ସ୍ଥାନୀୟ ଜନସାଧାରଣଙ୍କ ସହ ସରକାରୀ ଏଜେନ୍ସିର ସହଭାଗିତା ବୃଦ୍ଧି କରାଗଲେ ସମ୍ପୃକ୍ତ ଅଞ୍ଚଳର ବିକାଶ ତ୍ୱରାନ୍ୱିତ ହୋଇପାରିବ ବୋଲି ଉନ୍ନୟନ କମିଶନର ଏକ ବିସ୍ତୃତ ରିପୋର୍ଟ ନିତି ଆୟୋଗକୁ ପ୍ରଦାନ କରିଛନ୍ତି।
ଏହା ସହିତ ‘ଆକାଂକ୍ଷୀ’ ଜିଲ୍ଲାଗୁଡ଼ିକର ବିକାଶ ଧାରାକୁ ଲକ୍ଷ୍ୟଭେଦୀ କରାଯିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ବୈଷୟିକ ଜ୍ଞାନ କୌଶଳ, ସାମୁଦାୟିକ ନେତୃତ୍ୱ, ନିର୍ଦ୍ଦିଷ୍ଟ ଲକ୍ଷ୍ୟ ସାଧନ ଓ ଏହାକୁ ହାସଲ ନିମନ୍ତେ ନିର୍ଦ୍ଦିଷ୍ଟ ରଣନୀତି ଉପରେ ଗୁରୁତ୍ୱ ଦିଆଗଲେ ଏହି ଜିଲ୍ଲାଗୁଡ଼ିକର ବିକାଶ ତ୍ୱରାନ୍ୱିତ ହୋଇ ପାରିବ ବୋଲି ଓଡ଼ିଶା ପକ୍ଷରୁ କୁହାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନିତି ଆୟୋଗର ବରିଷ୍ଠ ପରାମର୍ଶଦାତା ରାକେଶ ରଞ୍ଜନଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ।