ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଜାତୀୟସ୍ତରରେ ସମ୍ମାନିତ ହେଲା ଓଡ଼ିଶା: ଇ- ଅବକାରୀକୁ ମିଳିଲା ‘ଡିଜିଟାଲ୍‌ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର’

ନୂଆଦିଲ୍ଲୀ: ପୁଣି ଜାତୀୟସ୍ତରରେ ସମ୍ମାନିତ ହେଲା ଓଡ଼ିଶା । ରାଜ୍ୟ ସରକାରଙ୍କ ଇ- ଅବକାରୀକୁ ମିଳିଲା ‘ଡିଜିଟାଲ୍‌ ଇଣ୍ଡିଆ ସ୍ବର୍ଣ୍ଣ ପୁରସ୍କାର’ । ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ଯକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଏହି ପୁରସ୍କାର ପ୍ରଦାନ କରିଛନ୍ତି । ‘ ଡିଜିଟାଲ୍‌ ଇନିସିଏଟିଭ୍‌ ଫର୍‌ ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌’ ବର୍ଗରେ ଓଡ଼ିଶାକୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି । ସ୍ବଚ୍ଛତା ଓ ସମୟାନୁବର୍ତ୍ତିତା ସମେତ ନିରବଚ୍ଛିନ୍ନ ଅନ୍‌ଲାଇନ୍‌ ସେବା ଯୋଗାଇ ଦେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ଯ ପାଇଁ ଏହି ପୁରସ୍କାର ପାଇଛି ରାଜ୍ୟ ଅବକାରୀ ବିଭାଗ।

ରାଜ୍ୟ ସରକାରଙ୍କ ପକ୍ଷରୁ ଅବକାରୀ ବିଭାଗର ପୂର୍ବତନ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନି, ଅବକାରୀ ଆୟୁକ୍ତ ଆଶିଷ କୁମାର ସିଂହ, ଅତିରିକ୍ତ ଅବକାରୀ ଆୟୁକ୍ତ ରାମଚନ୍ଦ୍ର ପାଲଟା, ଅବକାରୀ ବିଭାଗର ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଏବଂ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ନୀହାର ରଞ୍ଜନ ବିଶ୍ବାଳ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ୫ଟି ନୀତି ଆଧାରରେ ଅବକାରୀ ବିଭାଗ ୨୦୧୯-୨୦ରୁ ରାଷ୍ଟ୍ରୀୟ ସୂଚନା ସହାୟତାରେ ୩୦ରୁ ଅଧିକ ଅନଲାଇନ୍ କାର୍ଯ୍ଯକ୍ରମ ଜରିଆରେ ସ୍ୱଚ୍ଛ, ଅବାଧ, ସ୍ବଳ୍ପ ସମୟ, ନିରବିଛିନ୍ନ ଏବଂ ସମୟାନୁବର୍ତ୍ତୀ ସେବା ଦେଉଛି ।

ଏହାଦ୍ବାରା ଅବକାରୀ ଅପରାଧର ସଠିକ୍ ନିରୀକ୍ଷଣ ଏବଂ ଏହାର କାର୍ଯ୍ଯକାରିତାକୁ ମଜବୁତ ହୋଇଛି । ଏଥିସହିତ ଅବୈଧ ତଥା ନକଲି ମଦ କାରବାର ରୋକିବା ଓ ବିଭିନ୍ନ ସ୍ତରରେ ସମୟାନୁବର୍ତ୍ତୀ ସେବା ପ୍ରଦାନ ସହଜ ହୋଇଛି । ଗତବର୍ଷ ଡିସେମ୍ବର ସୁଦ୍ଧା ୨୯ ହଜାର ୩୮ଟି ଅବକାରୀ ମାମଲା ରୁଜୁ କରାଯାଇଥିବା ବେଳେ ଚଳିତ ବର୍ଷ ୪୫ ହଜାର ୫୪୧ଟି ମକଦ୍ଦମା ରୁଜୁ କରାଯାଇଛି । ଅବକାରୀ ରାଜସ୍ବ ମଧ୍ୟ ୨୩ ପ୍ରତିଶତ ବୃଦ୍ଧି ପାଇଛି ।

Leave A Reply

Your email address will not be published.