ଆଜିଠୁ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ, ରାସ୍ତାରେ ଅଟକାଉଛନ୍ତି ହଳଦିଆ ନମ୍ବର ଥିବା ଗାଡ଼ି

ଭୁବନେଶ୍ବର : ୧୦ ଦଫା ଦାବି ନେଇ ଆଜିଠାରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ପ୍ରତିବାଦ ଦେଖିବାକୁ ମିଳିଛି ।ରାଜଧାନୀ ଭୁବନେଶ୍ବର ଉପକଣ୍ଡ ତମାଣ୍ଡୋରେ ଡ୍ରାଇଭର ମହାସଂଘ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆରମ୍ଭ କରିଦେଇଛନ୍ତି। ଡ୍ରାଇଭରମାନେ ହଳଦିଆ ନମ୍ବର ଥିବା ସବୁ ମାଲବାହୀ ଗାଡ଼ିକୁ ଅଟକାଉଛନ୍ତି। ଶହଶହ ଡ୍ରାଇଭର ରାସ୍ତାକୁ ଓହ୍ଲାଇ ପିକେଟିଂ କରୁଛନ୍ତି।
ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ସେମାନଙ୍କର ଆନ୍ଦୋଳନ ଆରମ୍ଭ କରିଦେଇଛନ୍ତି। ବୁର୍ଲା, କୁଚିଣ୍ଡା, ହୀରାକୁଦ ସମେତ ଅନ୍ୟ ସ୍ଥାନରେ ପ୍ରତିବାଦ ଆରମ୍ଭ ହୋଇଯାଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ, ଗୁରୁଣ୍ଡିଆ, ଲହୁଣୀପଡ଼ା, କୋଇଡାରେ ପୂରା ପ୍ରଭାବ, ରାସ୍ତାକୁ ଓହ୍ଲାଇ ପିକେଟିଂ କରୁଛନ୍ତି। ସେହିପରି ୧୬ ନମ୍ବର ଜାତୀୟ ରାଜପଥର ବାଲେଶ୍ବର ଜିଲ୍ଲା ସୋର ବସ୍ ଅଟକାଇ ଡ୍ରାଇଭରବାନେ ପ୍ରତିବାଦ କରିଛନ୍ତି। ଭଦ୍ରକ ଜିଲ୍ଲା ବସ୍ତ ଛକ ଠାରେ ମଧ୍ୟ ଯାତ୍ରୀବାହୀ ବସ୍ ଅଟକାଇ ଆନ୍ଦୋଳନକାରୀ ପ୍ରତିବାଦ କରିଛନ୍ତି।
ଅନ୍ୟପଟେ କିଛି ଡ୍ରାଇଭର ଆସୋସିଏସନ, ଓଡ଼ିଶା ଘରୋଇ ବସ ମାଲିକ ସଂଘ, ରାଜ୍ୟ ଟ୍ରକ ମାଲିକ ସଂଘ ଆନ୍ଦୋଳନରେ ସାମିଲ ହୋଇନାହାନ୍ତି । ତେବେ, ସର୍ବସାଧାରଣ ପରିବହନ ବାଧାପ୍ରାପ୍ତ ଯେଭଳି ନ ହୁଏ, ତାହା ନିଶ୍ଚିତ କରିବାକୁ ସବୁ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। କାର୍ୟ୍ୟରେ ଯୋଗ ଦେଉଥିବା ଡ୍ରାଇଭରମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ଭଳି ଆମ୍ବୁଲାନ୍ସ ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ଆନ୍ଦୋଳନରୁ ବାଦ୍ ଦିଆଯିବ ବୋଲି ଡ୍ରାଇଭର ମହାସଂଘ କହିଛି।
ଡ୍ରାଇଭର ସଂଘର ଆନ୍ଦୋଳନ ବେଳେ ଭୁବନେଶ୍ୱରରେ ଲୋକେ ଯେଭଳି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିଲାଗି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କମିଶନରେଟ୍ ପୁଲିସ। ପବ୍ଲିକ୍ ଟ୍ରାନ୍ସପୋର୍ଟ ଓ ଅଟୋ ଟ୍ୟାକ୍ସି ଚଳାଚଳରେ ବାଧା ସୃଷ୍ଟି କଲେ, ସାଧାରଣ ଯାତ୍ରୀଙ୍କୁ ହଇରାଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି। ଏଣେ ଲୋକଙ୍କୁ ସହଯୋଗ ପାଇଁ ଡ୍ରାଇଭର ସଂଘକୁ ନିବେଦନ କରିବା ସହ ଉଚ୍ଚସ୍ତରୀୟ କମିଟି କରି ଦାବି ବିଚାର କରାଯିବ ବୋଲି ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି।
ଡ୍ରାଇଭର ସଂଘର ଆନ୍ଦୋଳନ ବେଳେ ଭୁବନେଶ୍ୱରରେ ଲୋକେ ଯେଭଳି ଅସୁବିଧାର ସମ୍ମୁଖୀନ ନ ହେବେ, ସେଥିଲାଗି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କମିଶନରେଟ୍ ପୁଲିସ। ପବ୍ଲିକ୍ ଟ୍ରାନ୍ସପୋର୍ଟ ଓ ଅଟୋ ଟ୍ୟାକ୍ସି ଚଳାଚଳରେ ବାଧା ସୃଷ୍ଟି କଲେ, ସାଧାରଣ ଯାତ୍ରୀଙ୍କୁ ହଇରାଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁଲିସ କମିଶନର ସୂଚନା ଦେଇଛନ୍ତି। ଯଦି କେହି ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୁଅନ୍ତି ତେବେ ୧୧୨କୁ କଲ୍ କରିବା ଲାଗି ପୁଲିସ କମିଶନର ପରାମର୍ଶ ଦେଇଛନ୍ତି।