ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟ କଂଗ୍ରେସର ଶେଷ ଆଶା ‘ଭାରତ ଯୋଡ଼’, ଦଳ ପାଇଁ ଆହ୍ୱାନ ଉପକୂଳ ଓଡ଼ିଶାରେ ପ୍ରଦର୍ଶନ

ଭୁବନେଶ୍ୱର : ସମ୍ପ୍ରତି ଭାରତ ଯୋଡ଼ ଯାତ୍ରା ପଶ୍ଚିମ ଓଡ଼ିଶାରେ ରହିଛି। ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଏହି ଯାତ୍ରାରେ ଯୋଡ଼ି ହୋଇ ସାଧାରଣ ଲୋକଙ୍କୁ ପୁଣି କଂଗ୍ରେସ ମୁହାଁ କରିବାରେ ଲାଗି ପଡ଼ିଛନ୍ତି। ଆଉ କେଇଟା ଦିନରେ ପରେ ଏହି ଶୋଭାଯାତ୍ରା ଉପକୂଳ ଓଡ଼ିଶା ମୁହାଁ ହେବ। ତେବେ ପଶ୍ଚିମ ଓଡ଼ିଶାରେ କଂଗ୍ରେସକୁ ଯେତିକି ସମର୍ଥନ ମିଳିଛି; ତାହା ଉପକୂଳ ଓଡ଼ିଶାରେ ମିଳିବ କି ନାହିଁ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପଶ୍ଚିମ ଓଡ଼ିଶାରେ ବିଜେପିର ଲୋକପ୍ରିୟତା କ୍ରମାଗତ ଭାବେ କମୁଥିବା ହେତୁ କଂଗ୍ରେସ ସାମାନ୍ୟ ଲାଭବାନ ହେଉଥିବା ଦେଖିବାକୁ ମିଳିଛି। ସମ୍ପ୍ରତି ଚାଲିଥିବା ଭାରତ ଯୋଡ଼ ଯାତ୍ରାରେ କଂଗ୍ରେସ ସପକ୍ଷରେ ଜନମତ ବଢ଼଼ୁଛି। ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ କଂଗ୍ରେସ ଅପେକ୍ଷାକୃତ ଭାବେ ଗହଳଚହଳ ଶୋଭାଯାତ୍ରା କରିବାରେ ସମର୍ଥ ହୋଇଛି। ମାତ୍ର ଏହି ଶୋଭାଯାତ୍ରା ଉପକୂଳ ଓଡ଼ିଶାରେ ପହଞ୍ଚିବା ବେଳକୁ ପଶ୍ଚିମ ପରି ଚାଲିବ ନା ସଙ୍କୁଚିତ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।

୨୦୦୦ ମସିହା ପରଠାରୁ ପ୍ରତ୍ୟେକ ନିର୍ବାଚନରେ କଂଗ୍ରେସ ଉପକୂଳ ଓଡ଼ିଶାରେ କ୍ରମାଗତ ଦୁର୍ବଳ ହୋଇଛି। ଲୋକସଭା ନିର୍ବାଚନରେ କଂଗ୍ରେସକୁ ଯାଜପୁର, ଭଦ୍ରକ, କେନ୍ଦ୍ରପଡ଼ା, କଟକ ଓ ବାଲେଶ୍ୱର ଭଳି ଜିଲ୍ଲାରେ ଲକ୍ଷାଧିକ ଭୋଟ ମିଳିଥିଲେ ସୁଦ୍ଧା ସମ୍ପୃକ୍ତ ଭୋଟ ବ୍ୟାଙ୍କ ସମ୍ପ୍ରତି କଂଗ୍ରେସ ସପକ୍ଷରେ ନ ଥିବା ଚର୍ଚ୍ଚା ହେଉଛି। ଜନୈକ ପୂର୍ବତନ କଂଗ୍ରେସ ବିଧାୟକ କହିଛନ୍ତି ଯେ ଗତ ସାଧାରଣ ନିର୍ବାଚନରେ କଂଗ୍ରେସକୁ ମିଳିଥିବା ଭୋଟରେ ପ୍ରାର୍ଥୀମାନଙ୍କ ଭୂମିକା ଦଳ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ପ୍ରାର୍ଥୀମାନେ ନିଜ ଦମ୍‌‌ରେ ଦଳକୁ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇପାରିଥିଲେ। କଟକ ଜିଲ୍ଲାରେ କଂଗ୍ରେସର ସ୍ଥିତିକୁ ଉଦାହରଣ ଭାବେ ନିଆଯାଇପାରେ। କଟକରେ ମହମ୍ମଦ ମୋକିମ୍‌‌ କଂଗ୍ରେସର ମଙ୍ଗ ଧରିଛନ୍ତି। ସେଠାରେ କଂଗ୍ରେସ ସପକ୍ଷରେ ବିଶେଷ ଭୋଟ୍‌‌ ନଥିବା ବେଳେ ମୋକିମ୍‌‌ଙ୍କ ନିଜସ୍ୱ ଦମ୍ଭରେ ଦଳ ବିଧାୟକ ଆସନ ଜିତିବା ସହ ଲୋକସଭାରେ ମଧ୍ୟ ସମ୍ମାନଜନକ ପ୍ରଦର୍ଶନ କରିପାରିଛି। ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଦଳର ସ୍ଥିତି ସମାନ। ପୁରୀ ଭଳି ଜିଲ୍ଲାରେ କଂଗ୍ରେସ ନାଁରେ ଭୋଟ ନାହିଁ।

ଏଥିପାଇଁ କଂଗ୍ରେସ ଗତ ସାଧାରଣ ନିର୍ବାଚନରେ ଓଡ଼ିଶାର ଚର୍ଚ୍ଚିତ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକଙ୍କୁ ପ୍ରାର୍ଥୀ କରିଥିଲା। ସମ୍ପ୍ରତି ପୁରୀ ଜିଲ୍ଲାରେ କଂଗ୍ରେସ ପ୍ରାର୍ଥୀ ଯୋଗାଡ଼ କରିବାକୁ ମଧ୍ୟ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି। ୨୦୧୯ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା କ୍ଷେତ୍ରରେ ବିଜେପି ଓ ବିଜେଡିକୁ ୫ ଲକ୍ଷରୁ ଊର୍ଦ୍ଧ୍ବ ଭୋଟ୍‌‌ ମିଳିଥିବା ବେଳେ କଂଗ୍ରେସକୁ ୪୪ ହଜାର ୭୩୪ ଖଣ୍ଡ ଭୋଟ୍‌‌ ମିଳିଥିଲା। ସେହିଭଳି ବାଲେଶ୍ୱରରେ କଂଗ୍ରେସକୁ ୧ ଲକ୍ଷ ୭୯ ହଜାର ୪୦୩, ଭଦ୍ରକରେ ୨ ଲକ୍ଷ ୭ ହଜାର ୮୧୧, ଗଞ୍ଜାମରେ ୧ ଲକ୍ଷ ୪୨ ହଜାର ୬୩୨, ଜଗତସିଂହପୁରରେ ୨ ଲକ୍ଷ ୩୯ ହଜାର ୬୮୪ ଓ କେନ୍ଦ୍ରାପଡ଼ାରେ ୧ ଲକ୍ଷ ୧୩ ହଜାର ୮୪୧ଖଣ୍ଡ ଭୋଟ ପାଇଥିଲା। ଏହି ଭୋଟ୍‌‌ ୨୦୧୯ ପରଠାରୁ ବଢ଼଼ିବା ବଦଳରେ କମିବାରେ ଲାଗିଛି। ଏଭଳି ସ୍ଥଳେ ଭାରତ ଯୋଡ଼ା ଯାତ୍ରାକୁ ଉପକୂଳ ଓଡ଼ିଶାରେ ସଫଳ କରାଇବା କଂଗ୍ରେସ ସଭାପତିଙ୍କ ନିକଟରେ ସବୁଠାରୁ ବଡ଼ ଆହ୍ୱାନ ହେବ ବୋଲି କୁହାଯାଉଛି।

ଏସମ୍ପର୍କରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ କଂଗ୍ରେସର ଭୋଟବ୍ୟାଙ୍କ ସର୍ବନିମ୍ନ ସ୍ତରରେ ରହିଛି। ତେଣୁ ହରାଇବା ପାଇଁ ଦଳ ପାଖରେ କିଛି ନାହିଁ। ସମ୍ପ୍ରତି ଆମେ ଧିରେ ଧିରେ ବଳ ଗୋଟାଇବାରେ ଲାଗିଛୁ। ଭାରତ ଯୋଡ଼ ଯାତ୍ରାରେ ଆମ ପ୍ରତି ଜନସମର୍ଥନ ବଢ଼଼ୁଛି। ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଦଳକୁ ମିଳିଥିବା ଅଦ୍ଭୁତପୂର୍ବ ସଫଳତା ଉପକୂଳ ଓଡ଼ିଶାରେ ମଧ୍ୟ ପ୍ରତିଫଳିତ ହେବ ବୋଲି ଦୃଢ଼ବିଶ୍ୱାସ ରହିଛି। କଂଗ୍ରେସ ସହ ନୂଆ ପିଢ଼ିର ଭୋଟରମାନେ ଯୋଡ଼ି ହେବାରେ ଲାଗିଛନ୍ତି। ଆଗାମୀ ଦିନରେ ଏହା ଦଳକୁ ସଫଳତା ଦେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Leave A Reply

Your email address will not be published.