ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ବିଏସ୍‍ଇ ଓପନିଂ ବେଲ୍‍ ବଜାଇବେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ଦିନିଆ ମୁମ୍ବାଇ ଗସ୍ତରେ ଅଛନ୍ତି। ଆସନ୍ତାକାଲି ଶ୍ରୀ ପଟ୍ଟନାୟକ ବମ୍ବେ ଷ୍ଟକ୍‍ ଏକ୍ସଚେଞ୍ଜ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ଫିରୋଜ ଜିଜିଭୟ ଟାୱାରସ୍ଥିତ ବିଏସଇ କାର୍ଯ୍ୟାଳୟରେ ଓପନିଂ ବେଲ୍‌ ବଜାଇବେ ବୋଲି ଜଣାପଡିଛି।

ନିବେଶ ନିମନ୍ତେ ସାରା ଦେଶରେ ଓଡ଼ିଶା ସର୍ବୋତ୍କୃଷ୍ଟ ରାଜ୍ୟ। ଇଜ୍‍ ଅଫ୍‍ ଡ଼ୁଇଙ୍ଗ ବିଜନେସ କ୍ରମାଙ୍କରେ ଓଡ଼ିଶା ଆଚିଭର୍ସ ବର୍ଗରେ ସ୍ଥାନ ପାଇଛି। ଦକ୍ଷ ମାନବସମ୍ବଳ ସୃଷ୍ଟି ଓ ସହଜ ଶିଳ୍ପ ନୀତି ପ୍ରଣୟନ କ୍ଷେତ୍ରରେ ଦେଶରେ ଓଡ଼ିଶାର ପ୍ରଚେଷ୍ଟା ଅଦ୍ୱିତୀୟ। ଏଥିପାଇଁ ଦେଶ ବିଦେଶର ନିବେଶକମାନେ ଓଡ଼ିଶା ମୁହାଁ ହୋଇଛନ୍ତି। ଏହି କ୍ରମରେ ଆସନ୍ତା ନଭେମ୍ବର ଓ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ‘ମେକ୍‍ ଇନ୍‍ ଓଡ଼ିଶା’ କନ୍‍କ୍ଲେଭ୍‍ରେ ଯୋଗ ଦେବା ନିମନ୍ତେ ଦେଶର ବଡ଼ବଡ଼ ନିବେଶକ, ଶିଳ୍ପପତିଙ୍କୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବୁଧବାର ମୁମ୍ବାଇରେ ଅନୁଷ୍ଠିତ ନିବେଶକ ସମ୍ମେଳନରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୃଷି ଭିତ୍ତିକ ଅର୍ଥନୀତିର ରାଜ୍ୟ ଓଡ଼ିଶା ଅଗ୍ରଣୀ ଶିଳ୍ପ ଅର୍ଥନୀତିରେ ପରିଣତ ହୋଇଛି। ଶିଳ୍ପାୟନ କ୍ଷେତ୍ରରେ ଗତ ଦୁଇ ଦଶନ୍ଧିରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଭରପୂର ପ୍ରାକୃତିକ ସମ୍ପଦ, ସୁଦକ୍ଷ ମାନବସମ୍ବଳ ସହ ସଫଳତା ଆଣୁଥିବା ଶିଳ୍ପନୀତି ରାଜ୍ୟରେ ଏକ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିଛି। ଓଡ଼ିଶା ଇଜ୍‍ ଅଫ୍‍ ଡୁଇଙ୍ଗ୍‍ ବିଜନେସ୍‍ କ୍ରମାଙ୍କରେ ଆଚିଭର୍ସ ବର୍ଗରେ ସ୍ଥାନ ପାଇଛି। ନିବେଶ ନିମନ୍ତେ ଓଡ଼ିଶା ଉପଯୁକ୍ତ ସ୍ଥାନରେ ପରିଣତ ହୋଇଛି। ବର୍ତ୍ତମାନ ଓଡ଼ିଶା ନିବେଶ କ୍ଷେତ୍ରରେ ସାରା ଦେଶରେ ଶୀର୍ଷସ୍ଥାନ ଅଧିକାର କରିଛି। ଆଗାମୀ ‘ମେକ୍‍ ଇନ୍‍ ଓଡ଼ିଶା’ କନ୍‍କ୍ଲେଭ୍‍ ରାଜ୍ୟର ସାମ୍ପ୍ରତିକ ଗୌରବୋଜ୍ଜ୍ୱଳ ସମୃଦ୍ଧି ଓ ନିବେଶକମାନଙ୍କ ପ୍ରତି ଆମର ଶ୍ରଦ୍ଧାକୁ ପ୍ରତିଫଳିତ କରିବ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଦେଶର ପ୍ରମୁଖ ଶିଳ୍ପପତିମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି। କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ବିଗତ ଦୁଇ ଦଶନ୍ଧିରେ ଓଡ଼ିଶାର ଶିଳ୍ପାୟନ ଅଗ୍ରଗତିରେ ରାଜ୍ୟର ଅତ୍ୟନ୍ତ କୁଶଳୀ ମାନବ ସମ୍ବଳର ପ୍ରମୁଖ ଯୋଗଦାନ ରହିଛି। ରାଜ୍ୟରେ ପ୍ରାୟ ୨୦୦ ଇଂଜିନିୟରିଂ କଲେଜ ଏବଂ ୧୦୦୦ଟି ଆଇଟିଆଇ କଲେଜ ରହିଛି। ବିଭିନ୍ନ କ୍ଷେତ୍ରରେ ସାରା ଦେଶ ପାଇଁ କୁଶଳୀ ପ୍ରଶିକ୍ଷିତ ମାନବ ସମ୍ବଳ ଓଡ଼ିଶା ସୃଷ୍ଟି କରିଛି। ନିକଟରେ ରାଜ୍ୟରେ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ରାଜ୍ୟରେ ଯୁବ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଷ୍ଟାର୍ଟଅପ୍‍ ଓଡ଼ିଶା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ନୂତନତ୍ୱ ଉଦ୍ଭାବନ, ଉନ୍ନତିକରଣ, ଉତ୍ପାଦର ଉନ୍ନତିକରଣ, ପ୍ରକ୍ରିୟା କରଣ ଏବଂ ସେବାକୁ ପ୍ରାଧାନ୍ୟ ଦିଆଯାଉଥିବା ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଇସ୍ପାତ, ଷ୍ଟେନଲେସ୍‍ ଇସ୍ପାତ ଏବଂ ଆଲୁମିନିୟମ୍‍ ଉତ୍ପାଦନରେ ଓଡ଼ିଶା ବୃହତ ରାଜ୍ୟ ଭାବେ ଉଭା ହୋଇଛି। ସେହିପରି କେମିକାଲ ଏବଂ ପେଟ୍ରୋକେମିକାଲ, ବୟନଶିଳ୍ପ, ପୋଷାକ, ଆଇଟି ଆଇଟିଇଏସ୍‍, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଅନ୍ୟ କ୍ଷେତ୍ରରେ ଓଡ଼ିଶା ବେଶ୍‍ ସଫଳତା ପାଇଛି। ଗ୍ରୀନ୍‍ ହାଇଡ୍ରୋଜେନ୍‍ , ଗ୍ରୀନ୍‍ ଆମୋନିଆ, ଡାଟା ସେଣ୍ଟର, ଇଭି ଏବଂ ଇଭି କମ୍ପୋନେଟ୍‍ ଭଳି ନୂତନ କ୍ଷେତ୍ରରେ ମଧ୍ୟ ରାଜ୍ୟରେ ପର୍ଯ୍ୟାପ୍ତ ସୁଯୋଗ ରହିଛି ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ।

ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ରାଜ୍ୟରେ ଶିଳ୍ପାୟନ ବାତାବରଣ, ସୁଯୋଗ, ପ୍ରଶାସନିକ ସହଯୋଗ ଏବଂ ନିବେଶକମାନଙ୍କ ପାଇଁ ଥିବା ସୁଯୋଗ ବିଷୟରେ ସୂଚନା ପ୍ରଦାନ କରିଥିଲେ। ୨ ଦଶନ୍ଧି ମଧ୍ୟରେ ରାଜ୍ୟ ପ୍ରଶାସନିକ ସ୍ଥିରତା, ଇଜ୍‍ ଅଫ୍‍ ଡୁଇଙ୍ଗ୍‍ ବିଜନେସ୍‍, ଉନ୍ନତମାନର ମାନବ ସମ୍ବଳ, ଉତ୍ତମ ଶିଳ୍ପ ପ୍ରୋତ୍ସାହନର ସୁଯୋଗ ସମ୍ପର୍କିତ ତଥ୍ୟ ଶ୍ରୀ ଶର୍ମା ଉପସ୍ଥାପନ କରିଥିଲେ। ସେହିପରି ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତୀୟ ରାଜ୍ୟ ମାନଙ୍କ ମଧ୍ୟରେ ଓଡ଼ିଶା ଶିଳ୍ପାୟନ ପାଇଁ ସର୍ବୋକୃଷ୍ଟ ସ୍ଥାନ ବୋଲି ସେ ଅଭିହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ୫-ଟି ସଚିବ ଭି.କେ.ପାଣ୍ଡିଆନ, ଇଡକୋ ଏମ୍‍ଡି ଭୂପେନ୍ଦ୍ର ସିଂ ପୁନିଆ, ଫିକି ମହାରାଷ୍ଟ୍ର ରାଜ୍ୟ ପରିଷଦର ସଦସ୍ୟା ସୁଲଜାତା ଫିରୋଡିଆ ମୋଟୱାନୀ, ରାଜ୍ୟ ଶିଳ୍ପ ବିଭାଗ ଅନ୍ୟ ଅଧିକାରୀ, ମହାରାଷ୍ଟ୍ର ଶିଳ୍ପ ବିଭାଗ ଅଧିକାରୀ ଏବଂ ୩୦୦ରୁ ଊର୍ଦ୍ଧ୍ବ ଅଂଶଗ୍ରହଣ କାରୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୬ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭରେ ୧୮,୫୦୦ ଅଂଶଗ୍ରହଣ କାରୀ ଯୋଗ ଦେଇଥିଲେ। ୧୨୦ଟି ପୁଞ୍ଜିନିବେଶ ସହ ରାଜ୍ୟ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି ହୋଇଥିଲା। ଏହାର ୨ ବର୍ଷ ଅର୍ଥାତ ୨୦୧୮ ମେକ୍‍ ଇନ୍‍ ଓଡ଼ିଶା କନକ୍ଲେଭରେ ୪୫,୦୦୦ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ। ଏହି କନକ୍କେଭରୁ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି କରାଯାଇପାରିଥିଲା। ଆଗାମୀ କନକ୍ଲେଭରେ କ୍ଷେତ୍ର ୱାରୀ, ଷ୍ଟାର୍ଟ ଅପ୍‍ ଏବଂ ମହିଳା ଉଦ୍ୟୋଗୀ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବା ନେଇ ନିଷ୍ପତ୍ତି କରାଯାଇଛି। କନକ୍ଲେଭ ମାଧ୍ୟମରେ ନିବେଶକ ଏବଂ ସମଗ୍ର ବିଶ୍ୱ ସମ୍ମୁଖରେ ରାଜ୍ୟ ସଫଳତାର କାହାଣୀ ପ୍ରଚାର କରିବାରେ ସୁଯୋଗ ସୃଷ୍ଟି କରିବ। ଉଦ୍ୟୋଗ କ୍ଷେତ୍ରରେ ଚିନ୍ତାଶୀଳ ବ୍ୟକ୍ତି ନିଜକୁ ବ୍ୟକ୍ତି କରିବାର ଭରପୂର ସୁଯୋଗ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି।

ମୁମ୍ବାଇ ଠାରେ ବେଦାନ୍ତ କମ୍ପାନୀ ଲିଃ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ, ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଅଧ୍ୟକ୍ଷ କୁମାର ମଙ୍ଗଲମ୍‍ ବିର୍ଲା, ଏସଟିଟିଜିଡିସି ଇଣ୍ଡିଆ ସିଏଫଓ ବିମଲ ଖଣ୍ଡେଲୱାଲ, ଏଚଡିଏଫସି ବ୍ୟାଙ୍କ୍‍ର ମୁଖ୍ୟ୍‍ ଅରବିନ୍ଦ ଭୋରା ଓ ଆଇସିଆଇସିଆଇ ବ୍ୟାଙ୍କ୍‍ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ରାକେଶ ଝା ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେଏମ୍‍ ବକ୍ସି ଗ୍ରୁପର ଏମଡି ଧ୍ରୁବ୍‍ କୋଟାକ୍‍, ଅପାର ଇଣ୍ଡଷ୍ଟ୍ରିଜ୍‍ ଅଧ୍ୟକ୍ଷ ଚୈତନ୍ୟ ଦେଶାଇ, ଏସବିଆଇ ଅଧ୍ୟକ୍ଷ ଦୀନେଶ କୁମାର ଖରା, ୱାରୀ ଗ୍ରୁପ୍‍ର ଅଧ୍ୟକ୍ଷ ହୀତେଶ ଚିମନୱାଲା ଯୋଶୀ ଏବଂ ମହିନ୍ଦ୍ରା ଗ୍ରୁପ୍‍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ରୌପ୍ୟର ନୌକା ତଥା ଓଡ଼ିଶାର ନୌବାଣିଜ୍ୟର ପ୍ରତୀକ ସ୍ମାରକ ସ୍ୱରୂପ ପ୍ରଦାନ କରିଥିଲେ।

Leave A Reply

Your email address will not be published.