ରାଜ୍ଯ କ୍ଯାବିନେଟରେ ୧୪ଟି ପ୍ରସ୍ତାବ ଉପରେ ବାଜିଲା ମୋହର: ଇ-ଯାନ ପଲିସିକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସନ୍ଧ୍ଯାରେ ବସିଥିବା କ୍ୟାବିନେଟ ବୈଠକରେ ୧୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଶା ଇଲେକ୍ଟ୍ରିକ ଭେକ୍ୱିଲ ପଲିସି ବା ଓଡ଼ିଶା ବୈଦ୍ୟୁତିକ ମୋଟରଯାନ ନୀତି-୨୦୨୧କୁ ମଞ୍ଜୁରୀ ମିଳିଛି । ଏଣିକି ବିଦ୍ୟୁତ୍ ଚାଳିତ ଗାଡ଼ି କିଣିଲେ ସରକାରୀ ପ୍ରୋତ୍ସାହନ ମିଳିବ। ରାଜ୍ୟରେ ବିଦ୍ୟୁତ ଚାଳିତ ଗାଡ଼ି ପ୍ରଚଳନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ୨୦୨୫ସୁଦ୍ଧା ବୈଦ୍ୟୁତିକ ଯାନ ଚଳପ୍ରଚଳ ସଂଖ୍ୟା ମୋଟର ଯାନର ୨୦ ପ୍ରତିଶତ କରିବା ଲକ୍ଷ୍ୟରେ ଏହି ଗାଡ଼ି ଓ ଏହାର ଯନ୍ତ୍ରାଂଶ, ବ୍ୟାଟେରୀ ଉତ୍ପାଦନକାରୀ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ତଥା ଏ କ୍ଷେତ୍ରରେ ନବୀକରଣ ଓ ଗବେଷଣାକୁ ପ୍ରୋତ୍ସାହନର ବ୍ୟବସ୍ଥା ରହିଛି। ଏହି ପ୍ରସ୍ତାବିତ ନୀତି ଆଧାରରେ ଉତ୍ପାଦନକାରୀ କମ୍ପାନୀ, ଯାନ ବ୍ୟବହାରକାରୀ ଲୋକଙ୍କୁ ଆର୍ଥିକ ରିହାତି ଦେବା ସହ ଗାଡ଼ି ପଞ୍ଜିକରଣ ଦେୟ ଓ ରୋଡ୍ ଟ୍ୟାକ୍ସ ଛାଡ଼ କରିିବାର ପ୍ରାବଧାନ ଅଛି । ଏମଏସଏମଇ ବିଭାଗର ‘ଷ୍ଟାର୍ଟଅପ୍‌’ ପଲିସିରେ ଏହି ବୈଦ୍ୟୁତିକ ଯାନ ଉଦ୍ୟୋଗ ପାଇଁ ପ୍ରୋତ୍ସାହନ ଦିଆଯିବାର ବ୍ୟବସ୍ଥା ହୋଇଛି।

ସେହିପରି, ଓଡ଼ିଶା ସୋସିଆଲ୍‌ ସିକ୍ୟୁରିଟି ସର୍ଭିସ-୨୦୨୧ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ୍। ଓଡ଼ିଶା ବାଲି ନୀତି-୨୦୨୧କୁ ମଧ୍ଯ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ବାଲି ଚାହିଦା ଯୋଗାଣ ଅଟକଳ, ବାଲି ଉତ୍ସ ଚିହ୍ନଟ, ବାଲି ଉତ୍ସର ଡିଜିପିଏସ୍ ସର୍ଭେ, ବାଲିଖନନର ନିଲାମ ଅଧିକାର, ମାଇନିଂ ପ୍ଲାନ ଅନୁମୋଦନ, ପରିବେଶ ମଞ୍ଜୁରୀ ଓ ଅନ୍ୟାନ୍ୟ ବୈଧାନିକ ମଞ୍ଜୁରୀ ଆଦି ଏହି ବାଲି ନୀତିର ମୁଖ୍ୟ ବୈଶିଷ୍ଟ। ଏହାଦ୍ୱାରା ପରିବେଶଜନିତ ନିୟମ ଆଧାରରେ ବାଲି ଉତ୍ତୋଳନ ସୁନିଶ୍ଚିତ ହୋଇପାରିବ। ସୂଚନା ଓ ପ୍ରଯୁକ୍ତି ବିଜ୍ଞାନର ଆଧାରରେ ବାଲିଖନନ ଉତ୍ସର ଚିହ୍ନଟଠୁ ଶେଷ ବ୍ୟବହାରକାରୀ ପର୍ଯ୍ଯନ୍ତ ବାଲିଯୋଗାଣର ବ୍ୟବସ୍ଥା ତଥା ବେଆଇନ ବାଲି ଉତ୍ତୋଳନ ରୋକାଯାଇପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଓଡ଼ିଶା ଭେଟେନାରୀ ସର୍ଭିସ୍‌ କ୍ୟାଡରର ପୁନର୍ଗଠନକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ଭେଟେନାରୀ ସେବା ପଦବୀ ସଂଖ୍ୟା ୧୪୮୧ରୁ ୧୯୧୦କୁ ବୃଦ୍ଧି ହେବ। ସେହିପରି ଓଡ଼ିଶା ସୋସିଆଲ୍‌ ସିକ୍ୟୁରିଟି ସର୍ଭିସ-୨୦୨୧ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କାନପୁର ଜଳସେଚନ ପ୍ରକଳ୍ପରେ ପ୍ଲାଷ୍ଟିକ କଙ୍କ୍ରିଟ୍ ପାଇଁ ହୋଇଥିବା ଟେଣ୍ଡରକୁ କ୍ୟାବିନେଟ୍‌ ଅନୁମୋଦନ ମିଳିଛି । ଓଡ଼ିଶା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନ ଆଇନ ସଂଶୋଧନରେ କ୍ୟାବିନେଟ୍‌ ମୋହର ବାଜିଛି । ଏଥିରେ ପ୍ରିନସିପାଲଙ୍କୁ ଡିଡିଓ କ୍ଷମତା ଦିଆଯାଇଛି ।ତାଙ୍କ ଅଧୀନରେ ଥିବା ସମସ୍ତ କର୍ମଚାରୀଙ୍କ ପ୍ରୋଭିଜିନାଲ ପେନସନକୁ ମଞ୍ଜୁର କରିପାରିବେ ।

ଜଜ୍‌ କୋର୍ଟ ଓ ଅଧସ୍ତନ କୋର୍ଟର ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୟାଡର ରୁଲ୍‌କୁ କ୍ୟାବିନେଟ୍‌ ଅନୁମୋଦନ କରିଛି । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରକ୍ଷଣାବେକ୍ଷଣ କରିବ ପଞ୍ଚାୟତ । ଏହାସହ ଷ୍ଟିଲ୍‌ ଓ ମାଇନ୍ସ ବିଭାଗର ୪ଟି ସର୍ଭିସ୍ ରୁଲ୍‌କୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁର କରିଛି । ହସ୍ତତନ୍ତ ବିଭାଗର କାରବାର ନିୟମରେ ସଂଶୋଧନକୁ ଅନୁମୋଦନ ମିଳିଛି । ଏଥିରୁ କୁଟୀର ଶିଳ୍ପକୁ ବାଦ୍‌ ଦେଇ ଅନ୍ୟାନ୍ୟ କାର୍ଯ୍ଯକାରୀ ଶିଳ୍ପକୁ ସାମିଲ କରାଯାଇଛି ।

Leave a comment