ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଲ୍ଡରଙ୍କ ଶୋଷଣରେ ଲାଗିବ ରୋକ୍‌, ଏଣିକି ସୁବିଧାରେ କିଣି ହେବ ଆପାର୍ଟମେଣ୍ଟ

ଭୁବନେଶ୍ୱର : ଆପାର୍ଟମେଣ୍ଟ କିଣା ବିକାରେ ସ୍ୱଚ୍ଛତା ଆସିବ । ଆପାର୍ଟମେଣ୍ଟ କିଣୁଥିବା ଗ୍ରାହକମାନେ ଆଉ ଶୋଷଣର ଶିକାର ହେବେନି । ଘର କିଣିବା ପରେ ବିଲ୍ଡରମାନେ ଆଉ ଘର ମାଲିକଙ୍କୁ ଦହଗଞ୍ଜ କରି ପାରିବେ ନାହିଁ । କାରଣ ରାଜ୍ୟ ସରକାର ନୂଆ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‌ ଏହି ନିଷ୍ପତ୍ତିକୁ ମୋହର ମାରିବା ପରେ ଘର କିଣିବିକା ଓ ଗ୍ରାହକକୈନ୍ଦ୍ରୀକ ନିୟମ ଆଣିବାରେ ଓଡ଼ିଶା ଦେଶରେ ମଡେଲ୍‌ ସାଜିବାକୁ ଯାଉଛି ।

ନୂତନ ନିୟମରେ ଆପାର୍ଟମେଣ୍ଟ କ୍ରେତାଙ୍କ ସ୍ୱାର୍ଥ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ‘ରିୟଲି ଇଷ୍ଟେଟ୍‌ ରେଗୁଲେଟାରୀ ଅଥରିଟି’ (ରେରା) ଆକ୍ଟ ୨୦୧୭ରେ ଆସିଥିଲା । ଏହା ପରେ ରାଜସ୍ଥାନ ଓ ପଞ୍ଜାବ ସେମାନଙ୍କ ରାଜ୍ୟରେ ଥିବା ଆପାର୍ଟମେଣ୍ଟ କିଣା ବିକା ନିୟମରେ ଆଂଶିକ ପରିବର୍ତ୍ତନ ଆଣିଥିଲେ । ମାତ୍ର ଏଥିରେ ସେମାନେ ରେରାର ସମସ୍ତ ଦିଗ ଉପରେ ଦୃଷ୍ଟି ଦେଇ ପାରି ନାହାନ୍ତି । ହେଲେ ରାଜ୍ୟ ସରକାର ଏକ ନୂଆ ନିୟମ ଆଣିଥିବାରୁ ଏଥିରେ ରେରା ଆକ୍ଟର ଅଧିକାଂଶ ଦିଗ ପ୍ରତି ଗୁରୁତ୍ୱ ଦିଆଯାଇଛି । ଯାହାଦ୍ୱାରା ଆଗକୁ ଅଧିକାଂଶ ଲାଭ ଗ୍ରାହକଙ୍କ ସପକ୍ଷରେ ଜିବ ବୋଲି ଜଣାପଡ଼ିଛି ।

ପୂର୍ବରୁ କୌଣସି ଆପାର୍ଟମେଣ୍ଟର ଥିବା କମନ୍‌ ଏରିଆ ଯଥା- ପାର୍କିଂ,ସୁଇମିଂ ପୁଲ, ପାର୍କ, କମ୍ୟୁନିଟି ହଲର ମାଲିକାନା ସମ୍ପୃକ୍ତ ବିଲ୍ଡରଙ୍କ ହାତରେ ରହୁଥିଲା । ଏହାକୁ ବ୍ୟବହାର ପାଇଁ ଗୃହ କ୍ରେତାମାନଙ୍କୁ ଲକ୍ଷାଧିକ ଟଙ୍କା ଦେବାକୁ ପଡ଼ୁଥିଲା । ମାତ୍ର ନୂଆ ନିୟମରେ ଏହି ସମସ୍ତ ସମ୍ପତ୍ତିର ମାଲିକା ସମ୍ପୃକ୍ତ ଆପାର୍ଟମେଣ୍ଟର ଆବାସିକ ସଂଘ ହାତରେ ରହିବ । ଆପାର୍ଟମେଣ୍ଟ ମାଲିକ ସଂଘକୁ ଜମି ଅଧିକାର ହସ୍ତାନ୍ତର କରିବାକୁ ବାଧ୍ୟ ହେବେ । ସେହିପରି ପୂର୍ବରୁ ରହିଥିବା ନିୟମରେ ଗୃହକ୍ରେତାମାନେ ଆବାସିକ ସଂଘ ଗଠନ କରିବାର କ୍ଷମତା ପାଇପାରୁ ନ ଥିଲେ । ନୂଆ ନିୟମରେ ଏହି ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି । ଏମିତି କି ଗୃହ କ୍ରୟ କରିବା ପୂର୍ବରୁ ଅର୍ଥାତ ଆଲଟିମାନେ ମଧ୍ୟ ଆବାସିକ ସଂଘଗୁଡ଼ିକରେ ସଦସ୍ୟ ହୋଇପାରିବେ ବୋଲି ଦର୍ଶାଯାଇଛି । ହୋଦ୍ୱାରା ବିଲ୍ଡରଙ୍କ ମନମୁଖୀ କାର୍ଯ୍ୟରେ ରୋକ୍‌ ଲାଗିବା ସହିତ ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟରେ ସରିପାରିବ ବୋଲି ଲକ୍ଷ୍ୟ ରହିଛି । ସେହିପରି ସିକ୍ୟୁରିଟି ଡିପୋଜିଟ୍‌ ନାମରେ ବିଲ୍ଡର ମାନେ ଦମନ ଚଳାଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା । ଗୃହ କ୍ରେତାମାନେ ଏହି ଟଙ୍କା ବିଲ୍ଡରଙ୍କ ଆକାଉଣ୍ଟକୁ ଦେଉଥିଲେ । ମାତ୍ର ନୂଆ ନିୟମରେ ଏବେ ସଂଘ ନିକଟରେ ହିଁ ଏହି କ୍ଷମତା ରହିବ ବୋଲି ଜଣାପଡ଼ିଛି ।

ରାଜ୍ୟରେ ଜାରି ରହିଥିବା ପୂରୁଣା ନିୟମ ପାଇଁ ଅନେକ ସମୟରେ ଘର କିଣା ବିକାକୁ ନେଇ ବିବାଦ ଲାଗି ରହୁଥିଲା । ଅନେକ ସମୟରେ ଗୃହକ୍ରେତାମାନେ ଶୋଷଣ ଶିକାର ହେବା ପରେ ହାଇକୋର୍ଟରେ ୪ ଟି ଜନ ସ୍ୱାର୍ଥ ମାମଲା ସହିତ ସୁପ୍ରିମକୋର୍ଟରେ ମଧ୍ୟ ୨ ଟି ମାମଲା ପହଞ୍ôଚଥିଲା । ଏହାକୁ ହାଇକୋର୍ଟ ଗୁରତର ସହ ନେଇ ରାଜ୍ୟ ସରକାରଙ୍କୁ ଯବାବ ମାଗିଥିଲେ । ନଭେମ୍ବର ୨୦୧୯ରେ ରାଜ୍ୟ ସରକାର ଏକ ନୂଆ ନିୟମ ଆଣିବା ପାଇଁ ନ୍ୟାୟାଳୟରେ ଅବଗତ କରାଇଥିଲେ । ମାତ୍ର ନୂଆ ନିୟମ ନ ଆସିବା ପର୍ଯ୍ୟନ୍ତ ବେଆଇନ୍‌ ଭାବେ ଘର କିଣା ବିକା ଉପରେ ୧୨ ମେ ୨୦୨୨ରେ ହାଇକୋର୍ଟ ରୋକ୍‌ ଲଗାଇଥିଲେ । ଏହି କାରଣରୁ ବହୁ ଦିନ ଧରି ନୂଆ ତଥା ପୁରୁଣା ଆପାର୍ଟମେଣ୍ଟ କିଣାବିକା ହୋଇପାରୁନଥିଲା । ନୂଆ ନିୟମ କ୍ୟାବିନେଟର ଅନୁମୋଦନ ଲାଭ କରିସାରିଥିବା ବେଳେ ଏହା ଆଇନରେ ପରିଣତ ହେଲେ ଉଭୟ ବିଲଡର୍‌ ଓ ଆପାର୍ଟମେଣ୍ଟ ମାଲିକଙ୍କ ସ୍ୱାର୍ଥ ରକ୍ଷା କରିବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି ।

Leave A Reply

Your email address will not be published.