ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଜି ରାଜ୍ୟ ବଜେଟ

ଭୁବନେଶ୍ୱର: ଆଜି ବିଧାନସଭାରେ ଉପସ୍ଥାପିତ ହେବ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ। କୋଭିଡ଼ ମହାମାରୀ ପରେ ପ୍ରଥମଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‍ ଉପସ୍ଥାପିତ ହେବ ଓ ଅପରାହ୍ନ ଅଧିବେଶନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଆଗତ କରିବେ। ପୂର୍ବ ବର୍ଷ ଭଳି କୃଷି ବଜେଟ୍‍ ଏବଂ ସାଧାରଣ ବଜେଟ୍‍ ଅଲଗା ଅଲଗା ଉପସ୍ଥାପନ ହେବ। ଦୁଇ ଦିନ ତଳେ ପ୍ରକାଶ ପାଇଥିବା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଅଭିବୃଦ୍ଧି ହାର ୪.୯ % ହ୍ରାସ ପାଇବ ବୋଲି ଆକଳନ କରାଯାଇଥିବାରୁ ଅର୍ଥନୀତିକୁ ଗତି ଦେବା ପାଇଁ ରାଜ୍ୟ ସରକାରଙ୍କ ଆର୍ଥିକ ଆବଣ୍ଟନ ଉପରେ ସମସ୍ତଙ୍କ ନଜର ରହିବ।

ଚଳିତ ମାସ ପ୍ରାରମ୍ଭରେ ସଂସଦରେ ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟ ମଧ୍ୟ ଓଡ଼ିଶା ପାଇଁ ଏତେଟା ଆଶାଜନକ ହୋଇନାହିଁ। ପୂର୍ବାପେକ୍ଷା କେନ୍ଦ୍ରୀୟ ଅନୁଦାନ, କେନ୍ଦ୍ରୀୟ ଟିକସ ଅଂଶ ହ୍ରାସ ପାଇଛି। ରାଜ୍ୟ ଦାବି କରୁଥିବା କୋଇଲା ରୟାଲଟିସଂଶୋଧନ ହୋଇଥିଲେ ରାଜ୍ୟକୁ କିଛି ଅଧିକ ରାଜସ୍ୱ ମିଳିଥାଆନ୍ତା, ମାତ୍ର କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ତାହାକୁ ଅଗ୍ରାହ୍ୟ କରିଦେଇଛି। ତେଣୁ ରାଜ୍ୟ ସରକାରଙ୍କ ପାଇଁ ରାଜସ୍ୱ ସଂଗ୍ରହ ବୃଦ୍ଧି ଏକ ବଡ଼ ଆହ୍ୱାନ ଭାବରେ ଉଭା ହୋଇଛି। ବିଗତଦିନ ଗୁଡିକରେ କ୍ୟାବିନେଟ୍‍ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଅନୁଦାନ ବଣ୍ଟନରେ ପ୍ରତିଫଳନ ଦେଖିବାକୁ ମିଳିଥାଏ, ଏଥର ମଧ୍ୟ ସେଥିରେ ବ୍ୟତିକ୍ରମ ହେବ ନାହିଁ। ସରକାରୀ ଉଦ୍ୟୋଗଗୁଡିକରୁ ପୁଞ୍ଜି ପ୍ରତ୍ୟାହାର ନେଇ ଅର୍ଥନୀତିଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ନିକଟ ଅତୀତରେ ହୋଇଥିବା ଏକ କ୍ୟାବିନେଟ୍‍ ବୈଠକରେ ପୁଞ୍ଜି ପ୍ରତ୍ୟାହାର ସଂକ୍ରାନ୍ତ ସବ-କମିଟି ନେଇ ନିଷ୍ପତ୍ତି ନିଆଯାଇଛି। କୋଭିଡ ଦ୍ୱାରା ରାଜ୍ୟର କୃଷି କ୍ଷେତ୍ର ତଥା ପରିଚାଳନା ଏତେଟା କ୍ଷତିଗ୍ରସ୍ତ ହୋଇନାହିଁ। ତେଣୁ କୃଷି ଓ ଜଳସେଚନରେ ପୂର୍ବ ଅନୁପାତରେ ଅନୁଦାନ ଜାରି ରହିବ। କାଳିଆ, ବଳରାମ ଯୋଜନାରେ ଆଖିଦୃଶିଆ ବ୍ୟୟବରାଦ ରହିବ। ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପର ସଫଳତା ପରେ ଜାରି ରହିଥିବା ମଧ୍ୟମ ଓ ବୃହତ ଜଳସେଚନ ପ୍ରକଳ୍ପ ପାଇଁ ଅଧିକ ଅନୁଦାନ ବ୍ୟୟବରାଦ କରାଯିବ ବୋଲି ଆଶା କରାଯାଉଛି। ସୁନ୍ଦରଗଡ, ମୟୂରଭଞ୍ଜ, ବରଗଡ, ବଲାଙ୍ଗୀର ଏବଂ ଉପକୂଳ ଓଡ଼ିଶାରେ କେତେକ ସ୍ଥାନରେ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ବ୍ୟୟବରାଦ ହୋଇପାରେ। କୃଷି ପରେ ଶିଳ୍ପାୟନକୁ ତୃଣମୂଳସ୍ତରରେ ଗୁରୁତ୍ୱ ଦିଆଯିବ। ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ରାଜ୍ୟ ସରକାର ୧.୨୦ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ବ ପୁଞ୍ଜି କେବଳ ଲକଡାଉନ ସମୟରେ ଓଡ଼ିଶାମୁହାଁ କରିପାରିଛନ୍ତି। ତେଣୁ ପୂର୍ବରୁ ଜାରି ରହିଥିବା ଏବଂ ନୂତନ ଭାବେ ଅନୁମୋଦିତ ପ୍ରକଳ୍ପ କାର୍ଯ୍ୟାନ୍ୱୟନ ପାଇଁ ଯଥେଷ୍ଟ ବ୍ୟୟବରାଦ ରହିବ ବୋଲି ଆଶା କରାଯାଉଛି।

ସେହିପରି ରାଜ୍ୟ ସରକାର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଐତିହ୍ୟ ସୁରକ୍ଷା ସଂକ୍ରାନ୍ତ ବ୍ୟୟରେ କୌଣସି ସାଲିସ କରିବେ ନାହିଁ ବୋଲି ଜଣାପଡ଼ିଛି। କଟକସ୍ଥିତ ଏସସିବି ମେଡିକାଲ କଲେଜକୁ ବିଶ୍ୱସ୍ତରୀୟ କରିବା ପାଇଁ ଆଗାମୀ ଆର୍ôଥକ ବର୍ଷରେ ଅନ୍ୟୂନ ୫୦୦ କୋଟି ଟଙ୍କା ଅନୁଦାନ ଦିଆଯାଇପାରେ। ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ମେଡିକାଲ କଲେଜ ଓ ହସ୍ପିଟାଲ , ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ବ୍ୟୟବରାଦ ବଢ଼ିପାରେ। ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର. ସମଲେଶ୍ୱରୀ, ନୃସିଂହନାଥ, ତାରାତାରିଣୀ, ହରିଶଙ୍କର, ଅର୍କକ୍ଷେତ୍ର କୋଣାର୍କ, ଘଟଗାଁ ତାରିଣୀ ମନ୍ଦିର ଉନ୍ନତିକରଣ ପାଇଁ ପୂର୍ବ ନିଷ୍ପତ୍ତି ଅନୁଯାୟୀ ବ୍ୟୟବରାଦ ସୁନିଶ୍ଚିତ କରାଯିବ। ସେହିପରି ପୂର୍ବାପେକ୍ଷା ଖଣି ରାଜସ୍ୱ ସଂଗ୍ରହ ଉପରେ ବ୍ୟାପକ ଗୁରୁତ୍ୱ ଦିଆଯିବ। ଏହି କ୍ଷେତ୍ରରେ ବାର୍ଷିକ ରାଜସ୍ୱ ବୃଦ୍ଧିକୁ ଅନ୍ୟୂନ ୫ ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ।

ଅନ୍ୟପକ୍ଷରେ ଦାରିଦ୍ର୍ୟ ଦୂରୀକରଣ, ଜନସାଧାରଣଙ୍କୁ ବିଭିନ୍ନ ଆର୍ଥିକ ସହାୟତା ସମ୍ପର୍କିତ ଯୋଜନା, ପୋଷଣ କାର୍ଯ୍ୟକ୍ରମ, ମିଶନ ଶକ୍ତିଙ୍କୁ ଋଣ, ଖାଦ୍ୟ ସୁରକ୍ଷା, ଏମଏସଏମଇ କ୍ଷେତ୍ରକୁ ବ୍ୟୟବରାଦ କ୍ଷେତ୍ରରେ ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରିମଣ୍ଡଳର ଏକାଧିକ ସଦସ୍ୟ ମତ ରଖିଛନ୍ତି। ସର୍ବୋପରି ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟବୃଦ୍ଧି ସହ ଆକଳିତ ହୋଇଥିବା ଅଭିବୃଦ୍ଧି ହାରଠାରୁ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସରକାରଙ୍କ ପ୍ରାଥମିକତା ହେବ। ରାଜ୍ୟର ମୋଟ ଘରୋଇ ସକଳ ଉତ୍ପାଦ(ଜିଏସଡିପି) ସହ ଋଣର ସମାନୁପାତ, ଋଣ ସୂତ୍ର ଏବଂ ତତ୍‍ ସମ୍ବଦ୍ଧୀୟ ସୁଧ ପୈଠ ହାର ମଧ୍ୟରେ ସମନ୍ୱୟ ରଖିବା ଅର୍ଥ ବିଭାଗର ପ୍ରାଥମିକତା ହେବ ବୋଲି ଆଶା କରାଯାଉଛି।

ପ୍ରଥମ କାଗଜବିହୀନ ବଜେଟ
୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆସିବାକୁ ଥିବା ବଜେଟ କାଗଜବିହୀନ ହେବ। ବଜେଟ ଅଧିବେଶନ ବହୁ ପୂର୍ବରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହା କହିସାରିଛନ୍ତି। ଗତଥର ମଧ୍ୟ ଅନେକାଂଶରେ କାଗଜବିହୀନ ବଜେଟ୍‍ କରାଯାଇଥିଲା। ଚଳିତ ଥର ପୂର୍ବାପେକ୍ଷା କାଗଜ ବ୍ୟବହାର ଆହୁରି ହ୍ରାସ ପାଇବ ବୋଲି ଜଣାପଡ଼ିଛି। ଜାତୀୟ ଇ-ବିଧାନ ଆପ୍ଲିକେସନ୍‍ (ନେଭା) ମାଧ୍ୟମରେ ଏହା ପ୍ରତ୍ୟକ ସଦସ୍ୟ, ସରକାରୀ ଅଧିକାରୀ ଏବଂ ସାଧାରଣ ଜନତାଙ୍କ ନିକଟରେ ଉପଲବ୍ଧ ହେବ। ପୂର୍ବଭଳି ପୂର୍ଣ୍ଣାଙ୍ଗ ବଜେଟ୍‍ ପେନଡ୍ରାଇଭ ମାଧ୍ୟମରେ ଉପଲବ୍ଧ କରାଯିବ ବୋଲି ଜଣାପଡ଼ିଛି। ଗତବର୍ଷ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ ମୂଲ୍ୟର କାଗଜ ଓ ମୁଦ୍ରଣ ଖର୍ଚ୍ଚକୁ ଏଡାଇ ଦିଆଯାଇଥିଲା। ଚଳିତ ଥର ଏହାର ପରିମାଣ ବୃଦ୍ଧି ପାଇବ। ରାଜ୍ୟରେ ସବୁଜ ଓ ନିରନ୍ତର ବିକାଶ ସରକାରଙ୍କ ବିକାଶ ପ୍ରାଥମିକତା ବୋଲି କୁହାଯାଇଛି। ଗତଥର ପରି ଅର୍ଥମନ୍ତ୍ରୀ ଏଥର ମଧ୍ୟ ଆଇପ୍ୟାଡ ଧରି ବଜେଟ୍‍ ଅଭିଭାଷଣ ରଖିପାରନ୍ତି। କେବଳ ବଜେଟ୍‍ ନୁହେଁ, ସମଗ୍ର ବିଧାନସଭା କାର୍ଯ୍ୟବିଧିର ଅନଲାଇନ ତଥା କମ୍ପ୍ୟୁଟରୀକରଣକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ନିକଟରେ ୨ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବଜେଟ୍‍ ଅଧିବେଶନ ପରେ ମଧ୍ୟ ଏହି ପ୍ରଶିକ୍ଷଣ ଜାରି ରହିବ।

Leave A Reply

Your email address will not be published.