ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍‌‌ ଆଗତ : ଗ୍ରାହକଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ

ଭୁବନେଶ୍ୱର : ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ୨୦୨୩ ବିଲ୍‌‌ ଗତକାଲି ଅର୍ଥାତ ସୋମବାର ବିଧାନସଭାରେ ଆଗତ ହୋଇଛି। ଆଗକୁ ଘର କିଣାବିକା କ୍ଷେତ୍ରରେ ଆପାର୍ଟମେଣ୍ଟ୍‌‌ ମାଲିକାନା ଆଇନ ୧୯୮୨ ବଦଳରେ ଏହି ନୂଆ ଅଧିନିୟମ ଲାଗୁ ହେବ। ନୂଆ ବିଲ୍‌‌ରେ ଗ୍ରାହକମାନଙ୍କ ସ୍ୱାର୍ଥକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଥିବା ବେଳେ ଆପାର୍ଟମେଣ୍ଟ ସଂଘର କ୍ଷମତା ବୃଦ୍ଧି କରାଯାଇଛି। ଏହାଦ୍ୱାରା ପୂର୍ବରୁ ବିଲ୍ଡର ଓ ଗ୍ରାହକଙ୍କ ମଧ୍ୟରେ ଲାଗି ରହୁଥିବା ବିବାଦର ସମାଧାନ ହେବ ବୋଲି ରାଜ୍ୟ ସରକାର ଆଶା ରଖିଛନ୍ତି। ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କ ଦ୍ୱାରା ଆଗତ ହୋଇଥିବା ଏହି ବିଲ୍‌‌ରେ ସାମୂହିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଜାଗା (କମନ ଏରିଆ)କୁ ଆବଣ୍ଟନଗ୍ରାହୀ ସଂଘ ନାମରେ ରେକର୍ଡ଼ କରାଯିବାର ବ୍ୟବସ୍ଥା କରାଯାଇଛି।

ପୂର୍ବରୁ ଏହି ନିୟମ କଡ଼ାକଡ଼ି ନ ଥିଲା। ଯାହାଦ୍ୱାରା ‘ରେରା’(ରିଅଲ ଇଷ୍ଟେଟ୍‌‌ ରେଗୁଲେଟୋରୀ ଅଥରିଟି) ଓ ୧୯୮୨ ଆପାର୍ଟମେଣ୍ଟ୍‌‌ ମାଲିକାନା ଆଇନ ଭିତରେ ଏକ ଦ୍ୱନ୍ଦ୍ୱ ସୃଷ୍ଟି ହେଉଥିଲା। ସେହିପରି ଏହି ବିଲ୍‌‌ରେ ୩୦ ବର୍ଷରୁ ପୁରୁଣା ନିର୍ମିତ ଆପାର୍ଟମେଣ୍ଟକୁ ବୀମା କରିବା ପୂର୍ବରୁ ବିଲ୍ଡିଂକୁ ଯାଞ୍ଚ କରାଯିବା ନେଇ ବ୍ୟବସ୍ଥା ରହିଛି। ପ୍ରତ୍ୟେକ ଆପାର୍ଟମେଣ୍ଟ ମାଲିକ ନିଜର ହିତ ଦୃଷ୍ଟିରୁ ତାଙ୍କର ଆପାର୍ଟମେଣ୍ଟ, ସମିତି କିମ୍ୱା ମାଲିକମାନଙ୍କ ସଂଘ ଅଗ୍ନିକାଣ୍ଡ ଓ ଦୁର୍ବିପାକ ବୀମା କରାଇବେ। ଏହାସହିତ ବିଲ୍‌‌ଡର୍‌‌ ଅକ୍ୟୁପାନ୍ସି ସାର୍ଟିଫିକେଟ୍‌‌ ଦେବାର ୩୦ ଦିନ ଭିତରେ ଘୋଷଣାପତ୍ର ଦେବା ବାଞ୍ଛନୀୟ। ଏହାର ଉଲ୍ଲଙ୍ଘନ କଲେ ପ୍ରମୋଟର କିମ୍ୱା ବିଲ୍‌‌ଡର୍‌‌କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ସେହିପରି ନିୟମ ଉଲ୍ଲଙ୍ଘନଜନିତ ଦୋଷୀ ସାବ୍ୟସ୍ତ ହେବା ପରଠାରୁ କାର୍ଯ୍ୟର ସଂଶୋଧନ ପର୍ଯ୍ୟନ୍ତ ଦୈନିକ ୨ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ ବୋଲି ନୂତନ ନିୟମ କରାଯାଇଛି।

ସେହିପରି ଯଦି ଗୋଟିଏ ଆପାର୍ଟମେଣ୍ଟର ଅନ୍ୟୂନ ୭ଟି ଆବଣ୍ଟନଗ୍ରାହୀ ବୁକିଂ କରି ସାରିଥିଲେ ସଂଘ ଗଠନ କରି ହେବ। ତେବେ ଜଣେ ଲୋକ ଏକାଧିକ ଘର କ୍ରୟ କରିଥିଲେ ମଧ୍ୟ ସେ ମାତ୍ର ଗୋଟିଏ ଭୋଟ୍‌‌ ଦେଇପାରିବେ। ଫ୍ରି ହୋଲ୍ଡ ଓ ଲିଜ୍‌‌ ହୋଲ୍ଡ ଉଭୟଙ୍କ ପାଇଁ ଏହି ନିୟମ ଲାଗୁ ହେବ। ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆପାର୍ଟମେଣ୍ଟ କ୍ରେତାମାନେ ସଂଘ ଗଠନ ପାଇଁ କ୍ଷମତା ପାଇବେ। ସଂଘ ଗଠନ ନ ହେବା ପାର୍ଯ୍ୟନ୍ତ ଡିଡ୍‌‌ ହୋଇପାରିବ ନାହିଁ। ଏହା ସହିତ ସରକାରୀ ବ୍ୟବସ୍ଥାରେ ପରିବର୍ତ୍ତନ ହୋଇ ଯଦି କୌଣସି ସୁବିଧା ମିଳେ ତେବେ ବିଲ୍ଡରଙ୍କ ବଦଳରେ ଏହି ସୁବିଧା ସଂଘ ପାଇଁ ଉପଲବ୍ଧ ହେବ ବୋଲି ନିୟମ କରାଯାଇଛି।

ଆବଣ୍ଟନଗ୍ରାହୀ ରିୟଲ ଇଷ୍ଟେଟ୍‌‌ ରେଗୁଲେସନ୍‌‌ ଆଣ୍ଡ ଡେଭଲପେମେଣ୍ଟ ଆଇନ ୨୦୧୬ ବା ‘ରେରା’ ଅଧୀନରେ ସଂଘ ଗଠନ କରି ପଞ୍ଜିକୃତ କରିବା ବାଧ୍ୟତାମୂଳକ ହୋଇଛି। ଏଥିପାଇଁ ‘ରେରା’ ପାଖରେ ପ୍ରମୋଟର ସମସ୍ତ ମୂଳ (ଓରିଜିନାଲ) ପ୍ରମାଣପତ୍ର ଦାଖଲ କରିବେ। ନୂଆ ଅଧିନିୟମ ପାଳନ ଓ ତଦାରଖ କରିବା ଦାୟିତ୍ୱ ବିଭାଗୀୟ ଅଧିକାରୀଙ୍କ ଉପରେ ନ୍ୟସ୍ତ କରାଯାଇଛି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଜଣେ କିମ୍ୱା ଏକାଧିକ ଅଧିକାରୀ ଯେଉଁମାନେ ଡେପୁଟି କଲେକ୍ଟର୍‌‌ ପାହ୍ୟାରୁ କମ୍‌‌ ହୋଇ ନ ଥିବେ ସେମାନଙ୍କୁ ଏହି ଆପାର୍ଟମେଣ୍ଟ୍‌‌ ମାଲିକାନା ଓ ପରିଚାଳନା ଅଧିନିମୟ କାର୍ଯ୍ୟକାରୀ କରିବା ପାଇଁ କ୍ଷମତା ଦିଆଯାଇଛି।

ପ୍ରାଧିକୃତ ଅଧିକାରୀ କୌଣସି ବେନିୟମ କାର୍ଯ୍ୟ ହୋଇଥିବା ଅନୁଭବ କଲେ ଅଭିଯୋଗକାରୀଙ୍କ ଦରଖାସ୍ତ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ। ଏହାସହିତ ସେ ନିଜଆଡ଼ୁ ମଧ୍ୟ ମାମଲା ଦରଜ କରି ପ୍ରମୋଟର୍‌‌ କିମ୍ୱା ବିଲଡରଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେଇପାରିବେ। ଭାରାପ୍ରାପ୍ତ ଅଧିକାରୀଙ୍କ ନିଷ୍ପତ୍ତି ବିରୋଧରେ ଜିଲ୍ଲାପାଳ କିମ୍ୱା ଜିଲ୍ଲାପାଳ ପାହ୍ୟାରୁ କମ୍‌‌ ହୋଇ ନ ଥିବା ଅଧିକାରୀଙ୍କ ପାଖରେ ଅପିଲ ଦାଖଲ ହୋଇପାରିବ। କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ବିବାଦ ହେବାରୁ ଏ ସଂକ୍ରାନ୍ତ ମାମଲା ହାଇକୋର୍ଟକୁ ଯାଇଥିଲା। ଏହି ଘଟଣାରେ ଏକ ନୂଆ ଆଇନ୍‌‌ ପ୍ରୟଣନ ନେଇ ରାଜ୍ୟ ସରକାର କୋର୍ଟଙ୍କୁ ଅବଗତ କରାଇଥିଲେ।

Leave A Reply

Your email address will not be published.