ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୦୨୪ ପରୀକ୍ଷା ପାଇଁ ୩ ଦଳର ପ୍ରସ୍ତୁତି : ରାଜ୍ୟ ରାଜନୀତିକୁ ସରଗରମ୍‍ କରିବ ଧାମନଗର ଉପନିର୍ବାଚନ

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନକୁ ପାଖାପାଖି ଦେଢ଼ବର୍ଷ ବାକି ଅଛି। ତେବେ ଏହାର ଅନ୍ୟୂନ ୬ ମାସ ଅର୍ଥାତ୍‍ ୨୦୨୩ ଡିସେମ୍ବର ବେଳକୁ ଦେଶରେ ସାଧାରଣ ନିର୍ବାଚନ ବିଗୁଲ ବାଜିବା ନେଇ କେହିକେହି ପୂର୍ବାନୁମାନ କଲେଣି। ଏହାକୁ ନେଇ ଜାତୀୟସ୍ତର ଠାରୁ ରାଜ୍ୟ ପର୍ଯ୍ୟନ୍ତ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜାତୀୟସ୍ତରରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏ ବିରୋଧରେ ନୂଆ ବିରୋଧୀ ମେଣ୍ଟ ଗଠନ ସମ୍ଭାବନା ଉଙ୍କି ମାରୁଛି। ଏହି ସ୍ଥିତିରେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ଗୋଟିଚାଳନା ଆରମ୍ଭ କରି ଦେଇଛନ୍ତି।

ରାଜ୍ୟରେ ଶାସକ ବିଜେଡି ସହ ଉଭୟ ବିଜେପି ଓ କଂଗ୍ରେସ ନିଜ ନିଜ ସ୍ତରରେ ସାଂଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ସମ୍ପ୍ରତି ପାର୍ବଣ ଋତୁ ଆରମ୍ଭ ହୋଇଥିବାବେଳେ ପୂଜା ମଧ୍ୟରେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ବିଭିନ୍ନ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ତେଣୁ ପୂଜା ଉତ୍ସବ ସହ ରାଜ୍ୟରେ ରାଜନୈତିକ ଗତିବିଧି ମଧ୍ୟ ବଢ଼ିବା ଆରମ୍ଭ ହୋଇଛି। ଆସନ୍ତା ୨୯ ତାରିଖରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ଓଡ଼ିଶା ଆସୁଛନ୍ତି। ଅକ୍ଟୋବର ୨ ତାରିଖରୁ ବିଜେପି ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିବାର ସୂଚନା ମିଳିଛି। କଂଗ୍ରେସର ‘ଭାରତ ଯୋଡ଼ୋ’ର ଓଡ଼ିଶା ସଂସ୍କରଣ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ବୋଲି କୁହାଯାଉଛି।

ଅନୁରୂପ ଭାବରେ ବିଜେଡି ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଥିବାରୁ ଚଳିତ ବର୍ଷ ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଅକ୍ଟୋବର ୨ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ବକାଳ ରାଜ୍ୟରେ କ୍ଷମତାସୀନ ବିଜେଡି ସର୍ବଦା ନିର୍ବାଚନ ନିମନ୍ତେ ପ୍ରସ୍ତୁତ ରହିଥାଏ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ରମାଗତ ଷଷ୍ଠଥର ମୁଖ୍ୟମନ୍ତ୍ରୀ ଭାବରେ ଅଧିଷ୍ଠିତ କରିବା ପାଇଁ ଦଳ ଆଗାମୀ ଦିନ ପାଇଁ ଅତ୍ୟନ୍ତ ଯୋଜନାବଦ୍ଧ ଭାବରେ କାର୍ଯ୍ୟ ଆରମ୍ଭ କରିଛି। ସାଂଗଠନିକ ପୁନର୍ଗଠନ ପ୍ରକ୍ରିୟା ଏବେ ପ୍ରାୟତଃ ଶେଷ ପର୍ଯ୍ୟୟରେ ପହଞ୍ଚିଛି, ଛାତ୍ରମାନଙ୍କୁ ସଂଗଠିତ କରିବା ପାଇଁ ଦଳ ପକ୍ଷରୁ କଲେଜମାନଙ୍କରେ କ୍ୟାମ୍ପସ କମିଟି ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦଳର ଛାମୁଆ ସଂଗଠନର ନବକଳେବର କରାଯାଇଛି।

ଅନୁରୂପ ଭାବରେ ନିକଟ ଅତୀତରେ ଦଳ ପକ୍ଷରୁ ଧର୍ମଶାଳାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଛି ଏବଂ ଆଗାମୀ ଦିନରେ ଏହାକୁ ରାଜ୍ୟବ୍ୟାପୀ କରାଯିବାକୁ ଯୋଜନା ହୋଇଛି। ଦଳର ଭୋଟ ସଂଖ୍ୟାକୁ ଦେଢ଼ କୋଟିରେ ପହଞ୍ଚାଇବାକୁ ଏକ ଲକ୍ଷ୍ୟଭେଦୀ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୨୯ ତାରିଖ ଦିନ ଭୁବନେଶ୍ୱରରେ ବିଜୁ ଜନତା ଦଳର ଛାମୁଆ ସଂଗଠନର ବୈଠକ ହେବା ନେଇ ସୂଚନା ମିଳିଛି। ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୁବ, ଛାତ୍ର ଓ ମହିଳା ବିଜେଡିଙ୍କୁ ଆଗାମୀ ରଣନୀତି ସମ୍ପର୍କରେ ଗୁରୁମନ୍ତ୍ର ଦେବେ।

ଅପରପକ୍ଷେ ପୁରୀଠାରେ ପ୍ରଶିକ୍ଷଣ ଶିବିର ପରେ ଆସନ୍ତା ୨୯ରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ଦଳର ପଞ୍ଚାୟତସ୍ତରୀୟ ନେତାଙ୍କଠାରୁ ଆରମ୍ଭ କରି ରାଜ୍ୟ ପଦାଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ସଂଗଠନକୁ ଦୃଢ଼ କରିବାକୁ ମନ୍ତ୍ର ଦେବେ। ଅଗଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଦଳର ନେତାମାନଙ୍କୁ ବିଭିନ୍ନ ଟାସ୍କ ଦେଇ ଯାଇଛନ୍ତି। ଗତ ସାଧାରଣ ନିର୍ବାଚନରେ ଯେଉଁ ଲୋକସଭା କ୍ଷେତ୍ରରେ ବିଜେପିର ବିଜୟ ହୋଇଥିଲା ସେଠାରେ ଅନ୍ୟୂନ ୧୦୦ ବୁଥ୍‍ ଏବଂ ସବୁ ବିଧାନସଭା କ୍ଷେତ୍ରର ସର୍ବନିମ୍ନ ୨୫ଟି ବୁଥ୍‍କୁ ଶସକ୍ତ କରିବାକୁ ବିଜେପି ଯୋଜନା ପ୍ରସ୍ତୁତ କରିଛି। ଏହା ସହ ‘ଲୋକସଭା ପ୍ରବାସ କାର୍ଯ୍ୟକ୍ରମ’ରେ କେନ୍ଦ୍ରମନ୍ତ୍ରୀମାନେ ନିୟମିତ ଓଡ଼ିଶା ଆସି ଦଳୀୟ ସାଂଗଠନିକ ସ୍ଥିତି ଅନୁଧ୍ୟାନ କରିବେ। ଦଶହରା ପରେ ପରେ ସାଂଗଠନିକ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରାଯିବ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି।

ଏହି ପରିପ୍ରେକ୍ଷୀରେ ରାଜ୍ୟରେ ନିଜର ଶେଷ ଯୁଦ୍ଧ ପାଇଁ ‘କର ବା ମର’ ନୀତିରେ ରାଜ୍ୟ କଂଗ୍ରେସ କାର୍ଯ୍ୟ କରିବ ଓ ଦଳୀୟ କାର୍ଯ୍ୟକ୍ରମକୁ କ୍ରିୟାଶୀଳ କରିବାକୁ ଅଣ୍ଟା ଭିଡ଼ିଛି। ‘ଭାରତ ଯୋଡ଼ୋ’ ଯାତ୍ରା ଦେଶବ୍ୟାପୀ କଂଗ୍ରେସ କର୍ମୀଙ୍କ ମନରେ ନୂଆ ଉତ୍ସାହ ଆଣିଛି ଏବଂ ଏହାକୁ ନେଇ ଓଡ଼ିଶାର କଂଗ୍ରେସ ନେତାଏ ଉତ୍ସାହିତ। ଦଶହରା ପରେ ପରେ ସାଙ୍ଗଠନିକ ପୁନର୍ବିନ୍ୟାସ କରି କଂଗ୍ରେସ ଆଗାମୀ ଦିନ ପାଇଁ ପ୍ରସ୍ତୁତି ଆରମ୍ଭ କରିବ ବୋଲି ସୂଚନା ମିଳିଛି। ଉଭୟ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତାକୁ ନେଇ ଦଳ ରାସ୍ତାକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ନେଇ ଦଳର ଜଣେ ବରିଷ୍ଠ ନେତା କହିଛନ୍ତି।

ତେଣୁ ଆଗାମୀ ଦିନରେ ଧାମନଗର ଉପନିର୍ବାଚନ ସବୁ ରାଜନୈତିକ ଦଳ ପାଇଁ ‘୨୪’ ପରୀକ୍ଷାର ଅଭ୍ୟାସ ମ୍ୟାଚ୍‍ ହେବ ବୋଲି କୁହାଯାଉଛି। ବିରୋଧୀ ଦଳ ଉପନେତା ତଥା ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ଧାମନଗର ଉପନିର୍ବାଚନ ପାଇଁ ବାଟ ଖୋଲିଛି। ବିଜେପି ନିଜର ଏହି ଆସନକୁ ପୁଣି ଦଖଲ କରିବ ବୋଲି ଦୃଢ଼ୋକ୍ତି ବାଢୁଥିବାବେଳେ ପୂର୍ବ ଉପନିର୍ବାଚନ ପରି ଧାମନଗର ନିମନ୍ତେ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି। ଉପନିର୍ବାଚନରେ ଅପରାଜେୟ ରେକର୍ଡ଼କୁ ଅବ୍ୟାହତ ରଖିବାକୁ ଦଳ ଆଗୁଆ ରଣନୀତି ପ୍ରସ୍ତୁତ କରୁଛି। ଏହା ମଧ୍ୟରେ କଂଗ୍ରେସ ଉପନିର୍ବାଚନଗୁଡ଼ିକରେ ନିଜର ‘ବିପର୍ଯ୍ୟୟ’ ରେକର୍ଡ଼କୁ ରୋକି କିଛି ଭୋଟ ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଛି। ଏହି ପରିପ୍ରେକ୍ଷୀରେ ଗାନ୍ଧୀ ଜୟନ୍ତୀ ଓ ଦଶହରା ପରେ ତିନି ଦଳ ନିଜନିଜର ଆଭିମୁଖ୍ୟ ଓ ଦୃଷ୍ଟିଭଙ୍ଗୀକୁ ନେଇ ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ ବୋଲି ସୂଚନା ମିଳିଛି। ତେଣୁ ଆଉ କିଛିଦିନର ବ୍ୟବଧାନ ପରେ ରାଜ୍ୟ ରାଜନୀତିରେ ପ୍ରତ୍ୟହ ନୂଆ ନୂଆ ଘଟଣାବଳୀ ଦେଖିବାକୁ ମିଳିପାରେ ବୋଲି ରାଜନୈତିକ ତଥ୍ୟାଭିଜ୍ଞମାନେ ମନେ କରୁଛନ୍ତି।

Leave A Reply

Your email address will not be published.