ଓଡ଼ିଆ ଯୁବକଙ୍କୁ ଦିଲ୍ଲୀରେ ଗୁଳିକରି ହତ୍ୟା

ବାହାନଗା: ରାଜଧାନୀ ଦିଲ୍ଲୀରେ ଜଣେ ଓଡ଼ିଆ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିବାର ଜଣାପଡ଼ିଛି। ହତ୍ୟାକାଣ୍ଡରେ ଶିକାର ହୋଇଥିବା ଯୁବକ ଜଣକ ହେଲେ ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ ଇଚ୍ଛାପୁର ଗ୍ରାମର ଗେଣ୍ଡୁଆ ମଳିକଙ୍କ ପୁତ୍ର ନରେଶ(୨୧)। ନରେଶ ପରିବାରର ଗୁଜୁରାଣ ମେଣ୍ଟାଇବା ପାଇଁ ଦିଲ୍ଲୀରେ ଏକ ହୋଟେଲରେ କାର୍ଯ୍ଯ କରୁଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ହୋଟେଲରୁ ଭଡା ଘରକୁ ବିଶ୍ରାମ ପାଇଁ ଫେରୁଥିବା ସମୟରେ କିଛି ଦୁର୍ବୁତ୍ତ ତାଙ୍କୁ ଅତର୍କିତ ଆକ୍ରମଣ କରି ଗୁଳିମାରି ଫେରାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଥିଲେ ମଧ୍ୟ ନରେଶକୁ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରକାଶ ଥାଉକି ବିଗତ ଆଠ ବର୍ଷ ପୂର୍ବେ ନରେଶର ବାପା ସାପ କାମୁଡ଼ାରେ ମୃତ୍ୟୁବରଣ କରିଥିବା ବେଳେ ପରିବାରର ବୋଝ ବଡ଼ ପୁଅ ନରେଶ ଉପରେ ପଡିଥିଲା। ତେବେ ନରେଶଙ୍କ ଅକାଳ ବିୟୋଗରେ ଇଚ୍ଛାପୁର ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଆସନ୍ତା କାଲି ତାଙ୍କ ମର ଶରୀର ଗ୍ରାମରେ ପହଞ୍ଚିବାର ସୂଚନା ମିଳିଛି।

Leave a comment