ଓଡ଼ିଆଙ୍କ କମାଲ୍: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ଭାବେ ଯୋଗଦେବେ କାମାକ୍ଷାନଗର ପୁଅ ପବିତ୍ର ମୋହନ ନାୟକ

କାମାକ୍ଷାନଗର: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ରରେ ବୈଜ୍ଞାନିକ ଭାବେ ଯୋଗ ଦେବେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୁଅ ପବିତ୍ର ମୋହନ ନାୟକ। ଅନଲାଇନ ଆବେଦନ ଏବଂ ବିକ୍ରମ ସାରାଭାଇ ମହାକାଶ କେନ୍ଦ୍ର ତରଫରୁ ପରିଚାଳିତ ହେଇଥିବା ଯାନ୍ତ୍ରିକ ସାକ୍ଷାତକାରର ଫଳାଫଳ ଅନୁଯାୟୀ ବସ୍ତୁ ବିଜ୍ଞାନ ବିଭାଗ ପାଇଁ ବୈଜ୍ଞାନିକ ଭାବେ ସର୍ବ ଭାରତୀୟ ସ୍ତରରେ ଯୋଗ୍ୟ ବିବେଚିତ ହେଇଛନ୍ତି।

ପବିତ୍ର ୨୦୦୮ ମସିହାରେ ଆଲୁତୁମା ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ପାଠ୍ୟକ୍ରମ ଶେଷ କରି ଢେଙ୍କାନାଳ ଜୁନିୟର କଲେଜରୁ ଯୁକ୍ତ ଦୁଇ ପାଠ୍ୟ କ୍ରମ ସାରିଲା ପରେ ଆଇ ଜି ଆଇଟି ସରାଙ୍ଗରୁ ଇଂଜିନିୟରିଙ୍ଗରେ ଡିଗ୍ରୀ କରିଥିଲେ। ଏହାପରେ ସେ ୨୦୧୮ ମସିହାରେ ଆଇଆଇଟି କାନପୁରରୁ ଏମଟେକ ଡିଗ୍ରୀ ହାସଲ କରିଥିଲେ। ପିଲାଟି ଦିନରୁ ବୈଜ୍ଞାନିକ ହେବାର ନିଶା ଥିଲା ପବିତ୍ର ମୋହନ ନାୟକଙ୍କର। ଏହା ପୂର୍ବରୁ ସେ ଚେନାଇରେ ଏକ ଅନ୍ତର୍ଜାତୀୟ କମ୍ପାନୀରେ କାର୍ଯ୍ୟରତ ଥିଲା ବେଳେ ପୂର୍ବରୁ ପରଳା ମହାରାଜା ଇଂଜିନିୟରିଙ୍ଗ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବାପା ଧବଳେଶ୍ବର ନାୟକ ଜଣେ ବ୍ୟବସାୟୀ ହେଇଥିଲା ବେଳେ ମାଆ ସଂଯୁକ୍ତା ନାୟକ ଜଣେ ଗୃହିଣୀ। ପବିତ୍ର ମୋହନ ନାୟକଙ୍କ ଏହି ସଫଳତା ରେ କାମାକ୍ଷାନଗର ଉପଖଣ୍ଡରେ ଖୁସିର ଲହରୀ ଖେଳିଯାଇଛି।

Leave a comment