ଜନ୍ମଦିନରେ ନିଆରା ରେକର୍ଡ; ୭୦ ଫୁଟ ଗଭୀର ସମୁଦ୍ରରେ ସ୍କୁବା ଡାଇଭ୍‌ କରି ଜନ୍ମଦିନ ପାଳିଲେ ଓଡ଼ିଆ ଝିଅ ତିସ୍ୟା

ସମ୍ବଲପୁର: ଓଡ଼ିଶାର ସର୍ବ କନିଷ୍ଠ ଜୁନିୟର ଆଡ଼ଭାନସଡ୍‌ ଓପନ ୱାଟର ସ୍କୁବା ଡାଇଭର ହେଲେ ଓଡ଼ିଆ ଝିଅ ତିସ୍ୟା। ତାହା ପୁଣି ଓମାନ ଉପସାଗରରେ। ଦୁବାଇରେ ରହୁଥିବା ତିସ୍ୟା ପାଣିଗ୍ରାହୀ ୭୦ ଫୁଟ ସ୍କୁବା ଡାଇଭିଂ କରି ଏକ ନିଆରା ରେକର୍ଡ କରିଛନ୍ତି। ସମ୍ବଲପୁରରେ ଜନ୍ମ ଓ ଦୁବାଇରେ ପରିବାର ସହ ରହୁଥିବା ଓଡ଼ିଆ ଝିଅ ତିସ୍ୟା ପାଣିଗ୍ରାହୀ ନିଜର ୧୨ତମ ଜନ୍ମଦିନ (ଜୁନ ୮) ଅବସରରେ ଏଭଳି ଦୁଃସାହସିକ ଜଳକ୍ରୀଡ଼ା କରିଛନ୍ତି। ଜୁନ୍ ୮ ରେ ଓମାନ ଉପସାଗରରେ ୭୦ ଫୁଟ ସ୍କୁବା ଡାଇଭ କରିଥିଲେ ଏବଂ ଜୁନ୍ ୯ରେ ଓଡିଶାର ସର୍ବ କନିଷ୍ଠ ଜୁନିଅର ଆଡଭାନ୍ସଡ ଓପନ୍ ୱାଟର ସ୍କୁବା ଡାଇଭରର ଲାଇସେନ୍ସ ପାଇଛନ୍ତି। ଏହି ଆଡଭାନ୍ସଡ୍ ଲାଇସେନ୍ସ ପାଇଁ କେବଳ ୧୨ ବର୍ଷ ବୟସରେ ହିଁ ଆବେଦନ କରାଯାଇଥାଏ। ସବୁଠୁ ତାତ୍ପର୍ଯ୍ୟର କଥା ହେଉଛି ତିସ୍ୟାଙ୍କୁ ଯେଉଁଦିନ ୧୨ବର୍ଷ ବୟସ ହେଲା ସେହିଦିନ ହିଁ ସେ ଏହି ଦୁଃସାହସିକ ଜଳକ୍ରୀଡ଼ା କରି ଲାଇସେନ୍ସ ପାଇଛନ୍ତି।

ତିସ୍ୟା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ର ପୂର୍ବ ଉପକୂଳରେ ଥିବା ମାର୍ଟିନି ରକ୍ ଡାଇଭ୍ ସାଇଟର ସମୁଦ୍ରରେ ୭୦ ଫୁଟ ଗଭୀରତାକୁ ଯାଇ ସେ ନିଜ ଜନ୍ମଦିନ ପାଳନ କରିଛନ୍ତି । ଏହି ସ୍କୁବା ଡାଇଭ ସମୟରେ ସାଥିରେ ଥିଲେ ତାଙ୍କ ବାପା ପ୍ରିୟଦର୍ଶୀ ପାଣିଗ୍ରାହୀ। ପ୍ରିୟଦର୍ଶୀ ନିଜେ ମଧ୍ୟ ୨୦୧୨ରୁ ଜଣେ ସ୍ୱୀକୃତିପ୍ରାପ୍ତ ସ୍କୁବା ଡାଇଭର ଅଟନ୍ତି । ତିସ୍ୟା ଏହି ପାଠ୍ୟକ୍ରମର ଧାର୍ଯ୍ୟ ୫ଟି ଡାଇଭ୍ ସଫଳତାର ସହିତ ସମାପ୍ତ କରିବା ପରେ ଜୁନ୍ ୯ ତାରିଖ ଦିନ ପିଏଡିଆଇ (ପ୍ରଫେସନାଲ୍ ଆସୋସିଏସନ୍ ଅଫ୍ ଡାଇଭିଂ ଇନଷ୍ଟ୍ରକଟର୍ସ) ପକ୍ଷରୁ ତାଙ୍କୁ ଜୁନିୟର ଆଡଭାନ୍ସଡ୍ ଓପନ୍ ୱାଟର ସ୍କୁବା ଡାଇଭର ଲାଇସେନ୍ସ ପାଇଛନ୍ତି। ପିଏଡିଆଇ ହେଉଛି ବିଶ୍ୱର ସର୍ବବୃହତ ସ୍କୁବା ଡାଇଭିଂ ଟ୍ରେନିଂ ଏବଂ ସାର୍ଟିଫିକେସନ୍ ସଂସ୍ଥା।

ତିସ୍ୟା କହିଛନ୍ତି ଯେ ‘ମୁଁ ସ୍କୁବା ଡାଇଭିଂକୁ ଉପଭୋଗ କରେ ଏବଂ ଜଳ ଜଗତ ମୋତେ ଆକର୍ଷିତ କରେ। ଜୁନିଅର ଓପନ୍ ୱାଟର ଡାଇଭର୍ ହୋଇଥିବାରୁ ମୋତେ ୪୦ ଫୁଟ ପର୍ଯ୍ୟନ୍ତ ବୁଡ଼ିବାକୁ ଅନୁମତି ଦିଆଗଲା। ମୋତେ ୧୨ବର୍ଷ ହେବା ସମୟକୁ ମୁଁ ଅପେକ୍ଷା କରିଥିଲି। ଯାହା ଦ୍ୱାରା ମୁଁ ଜୁନିଅର ଆଡଭାନ୍ସଡ୍ ପାଠ୍ୟକ୍ରମ କରିପାରିବି ଏବଂ୭୦ ଫୁଟ ପର୍ଯ୍ୟନ୍ତ ବୁଡ଼ି ପାରିବି।’

ତିସ୍ୟାଙ୍କ ସ୍କୁବା ଡାଇଭିଂର ଏହି ସଫଳତାରେ ଖୁସି ଜାହିର କରିଛନ୍ତି ବାପା ପ୍ରିୟଦର୍ଶୀ। ସେ କହିଛନ୍ତି ଯେ ‘ମୁଁ ଖୁସି ଯେ ତିସ୍ୟା ସ୍କୁବା ଡାଇଭ ପ୍ରତି ଆଗ୍ରହୀ ଏବଂ ଏହାକୁ ବହୁତ ଉତ୍ସାହର ସହିତ ଅନୁସରଣ କରୁଛନ୍ତି। ତାଙ୍କ ସହ ସ୍କୁବା ଡାଇଭ କରି ଜଳ ଜଗତକୁ ଅନୁସନ୍ଧାନ କରିବା ଏବଂ ଏହାକୁ ଉପଭୋଗ କରିବା ଏକ ବଡ଼ ଅନୁଭବ’ ।

ସମ୍ବଲପୁରର ପ୍ରିୟଦର୍ଶୀ ପାଣିଗ୍ରାହୀ ଏବଂ ସୌମିତ୍ରି ନନ୍ଦଙ୍କ ଝିଅ ଓ ବିଶିଷ୍ଟ ରାଜେନତା ସ୍ବର୍ଗତଃ ଶ୍ରୀବଲ୍ଲଭ ପାଣିଗ୍ରାହୀ ଏବଂ ସ୍ବର୍ଗତାଃ ସୁନନ୍ଦା ପାଣିଗ୍ରାହୀଙ୍କ ନାତୁଣୀ ହେଉଛନ୍ତି ତିସ୍ୟା। ସମ୍ବଲପୁରର ପୂର୍ବତନ ବିଧାୟକ ଡ. ରାସେଶ୍ୱରୀ ପାଣିଗ୍ରାହୀଙ୍କ ବି ନାତୁଣୀ ହେବେ ତିସ୍ୟା।

Leave a comment