ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶିଷ୍ଟ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ

କଟକ: ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ ଘଟିଛି। କଟକ ଚଣ୍ଡି ରୋଡ୍ ସ୍ଥିତ ବାସଭବନରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଝରଣା କିଛି ଦିନ ହେବ ଅସୁସ୍ଥ ଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା। ତାଙ୍କ ମୃତ୍ୟୁରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।

୬୦ ଦଶକର ଓଡ଼ିଆ ସିନେମାରେ ଆଗଧାଡ଼ିର ଅଭିନେତ୍ରୀ ଥିଲେ ଝରଣା ଦାସ। କଟକର ଚାନ୍ଦିନି ଚୌକର ଏକ ଖ୍ରୀଷ୍ଟିୟାନ ଯୌଥ ପରିବାରରେ ତାଙ୍କର ଜନ୍ମ ହୋଇଥିଲା। ସମେସ୍ତ ତାଙ୍କୁ ଶ୍ରଦ୍ଧ।ରେ ଡାକୁଥିଲେ ଝୁମୁ। ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ। ନରସିଂହ ମହାପାତ୍ରଙ୍କ ଏକ ନାଟକରେ ପ୍ରଥମକରି ନାୟିକା ଭାବେ ଅଭିନୟ କରିଥିଲେ ଝରଣା। ତାଙ୍କ ବଡ଼ ଭାଇଙ୍କ ଅନ୍ତରଙ୍ଗ ବନ୍ଧୁ ଅଭିନେତା ଅକ୍ଷୟ ମହାନ୍ତି (କାଶ୍ୟପ) ଓ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି ଚାହୁଁଥିଲେ ଝୁମୁ ଅଭିନେତ୍ରୀ ହୁଅନ୍ତୁ । କଳାକାର ହେବାର କିଛି ପ୍ରତିଭା ବି ପିଲାଦିନୁ ଦେଖିବାକୁ ମିଳିଥିଲା ଝରଣା ଦାସଙ୍କ କ୍ଷେତ୍ରରେ ।

ସେ ଅନେକ ସମୟରେ ବାପାଙ୍କ ଗୀଟାର ଲୁଚାଇ ଲୁଚାଇ ବଜାଉଥିଲେ । ବିନା ତାଲିମରେ ସ୍କୁଲରେ ପଢୁଥିବା ସମୟରେ ଆକାଶବାଣୀ କଟକର ‘ଶିଶୁ ସଂସାର’ କାର୍ୟ୍ୟକ୍ରମରେ ଭାଗ ନେଉଥିଲେ । ଓଡ଼ିଶୀ ନୃତ୍ୟଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଥିଲେ ଝରଣା ଦାସ । ଚିତ୍ରତ୍ତୋଳକ ଦୀପକ ଦାସଙ୍କୁ ସେ ବିବାହ କରିଥିଲେ।

ମଲାଜହ୍ନ, ଅମଡ଼ା ବାଟ ଓ ଅଭିନେତ୍ରୀ ଆଦି କଥାଚିତ୍ରରେ ଅଭିନୟ କରି ସେ ବେଶ ଖ୍ୟାତି ଅର୍ଜନ କରିଥିଲେ । ୧୯୬୪ ମସିହାରେ ନିର୍ମିତ କଥାଚିତ୍ର ଅମଡ଼ା ବାଟ ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପାଦ ଥାପିଥିଲେ । ୧୯୬୫ ମସିହାରେ ନିର୍ମିତ ଚଳଚ୍ଚିତ୍ର ମଲାଜହ୍ନରେ ସତୀ ଭୂମିକାରେ ଅଭିନୟ କରି ସେ ଲୋକପ୍ରିୟତା ହାସଲ କରିପାରିଥିଲେ।

ସେ ଚଳଚ୍ଚିତ୍ର ବ୍ୟତୀତ, ଆକାଶବାଣୀ ଓ ଦୂରଦର୍ଶନ ସହିତ ମଧ୍ୟ ଜଡ଼ିତ ଥିଲେ । ଆ’ ଜହ୍ନରେ ଲେଖିବା ନାଁ, ଭାଗ୍ୟ ଚକ୍ର, ସୁନା ଭାଉଜ, ଟୋପାଏ ସିନ୍ଦୂର ଦି ପଟ ଶଙ୍ଖା, ଲାଲ ପାନ ବିବି, କସ୍ତୁରୀ, ସମୟ ବଡ଼ ବଳବାନ, ପୂଜାଫୁଲ, ହୀରାନୀଳା, ନିନାଦ, ଆଶାର ଆକାଶ, ମହାସତୀ ସାବିତ୍ରୀ, ଜ୍ୱାଇଁ ପୁଅ, ହିସାବ ନିକାଶ, ଟିକେ ହସ ଟିକେ ଲୁହ, ଶ୍ରୀ ଜଗନ୍ନାଥ, ଅଦିନ ମେଘ, ମାର୍ଗ, କା, ମଲାଜହ୍ନ, ଅଭିନେତ୍ରୀ, ନବଜନ୍ମ, ଅମଡ଼ା ବାଟ, ନାରୀ ଇତ୍ୟାଦି । ସେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ଜୟଦେବ ପୁରସ୍କାର,ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ଼, ଓଡ଼ିଶା ସୋସାଇଟି ଅଫ ଆମେରିକା ସମ୍ମାନ ଆଦି ଲାଭ କରିଥିଲେ ।

Leave A Reply

Your email address will not be published.