ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଓଡ଼ିଶାର କଳା, ସଂସ୍କୃତିର ପ୍ରଚାର ଓ ମନୋରଞ୍ଜନ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବ ‘ଷ୍ଟାର୍ କିରଣ’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଦେଶର ପ୍ରମୁଖ ଚ୍ୟାନେଲ ଡିଜ୍ନୀ ଷ୍ଟାରର ଓଡ଼ିଆ ଚ୍ୟାନେଲ ‘ଷ୍ଟାର କିରଣ’ ଓଡ଼ିଶାର କଳା, ସଂସ୍କୃତିର ପ୍ରଚାର କରିବା ସହିତ ମନୋରଞ୍ଜନ କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିବ। ଟେଲିଭିଜନ୍ ନେଟୱର୍କ ଡିଜ୍ନୀ ଷ୍ଟାର ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ‘ଷ୍ଟାର୍ କିରଣ’ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଖୁସିବ୍ୟକ୍ତ କରିବା ସହିତ ଚ୍ୟାନେଲର ଟିମ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥି ସହିତ ଏହି ନୂତନ ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଓଡ଼ିଶାର ଯୁବପ୍ରତିଭାମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଡିଜ୍ନୀ ଷ୍ଟାରର ଓଡ଼ିଆ ଚ୍ୟାନେଲ ‘ଷ୍ଟାର କିରଣ’ ଶୁଭାରମ୍ଭ ଉତ୍ସବରେ ଡିଜ୍ନୀ ଷ୍ଟାରର ଏଣ୍ଟରଟେନ୍ମେଣ୍ଟ ଚ୍ୟାନେଲ ନେଟ୍ୱାର୍କ ହେଡ୍ କେଭିନ୍ ଭାଜ୍, ରିଜିଓନାଲ୍ ବିଜିନେସ୍ ହେଡ଼୍ ଆଲୋକ ଜୈନ, ଷ୍ଟାର୍ ଜଲସା ଓ ଷ୍ଟାର୍ କିରଣର ବିଜିନେସ୍ ହେଡ଼୍ ଅଭିଷେକ୍ ମଣ୍ଡଳ, ଯୋଗାଯୋଗ ମୁଖ୍ୟ ଗର୍ଗ ଚେରିଆନ୍ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ପ୍ରଥମଥର ପାଇଁ ଷ୍ଟାର କିରଣର ଲେଜର ଟୁଇଷ୍ଟ ପ୍ରଦର୍ଶିତ ହୋଇଥିଲା।

ଷ୍ଟାର କିରଣ ଓଡ଼ିଆ ଦର୍ଶକଙ୍କ ମଧ୍ୟରେ ନୂତନ ମାନଦଣ୍ଡ ସୃଷ୍ଟି କରିବାକୁ ଏକ ଦର୍ଶନ ସହିତ ଓଡ଼ିଶାରେ ଯାତ୍ରା ଆରମ୍ଭ କରିଥିବା ଶ୍ରୀ ଭାଜ୍ କହିଛନ୍ତି। କିମ୍ବଦନ୍ତୀ ଚରିତ୍ରମାନଙ୍କ ମାଧ୍ୟମରେ ଆକର୍ଷଣୀୟ କାହାଣୀ ପ୍ରଦର୍ଶନ କରି ଦର୍ଶକଙ୍କୁ ମନୋରଞ୍ଜନ ପ୍ରଦାନ କରିବାର ଯୋଜନା ରଖାଯାଇଛି। ପ୍ରେରଣା, ଆଶା ଓ ପ୍ରଗତିର କାହାଣୀ ସହିତ ଓଡ଼ିଶାର ସଂସ୍କୃତି ଓ ମୂଲ୍ୟବୋଧ ଆଧାରିତ ବିଷୟବସ୍ତୁ ଉପରେ ଦର୍ଶକ ମନୋରଞ୍ଜନର ଖୋରାକ ପାଇବେ। ଏହି ନେଟ୍ୱାର୍କ ଏସ୍ଡି ଓ ଏଚ୍ଡି ଚ୍ୟାନେଲରେ ଶୁଭାରମ୍ଭ କରାଯିବ। ଆସନ୍ତା ୬ ତାରିଖରେ ଏହି ଚ୍ୟାନେଲର ପ୍ରିମିୟର୍ ଆରମ୍ଭ ହେବ। ଓଡ଼ିଶାରେ ପ୍ରଥମ ଆଞ୍ଚଳିକ ଏଚ୍ଡି ଚ୍ୟାନେଲଭାବେ ପ୍ରସାରିତ ହେବ ବୋଲି ଶ୍ରୀ ଭାଜ୍ କହିଛନ୍ତି। ଡିଜ୍ନୀ ଷ୍ଟାର୍ର ସପ୍ତମ ଆଞ୍ଚଳିକ ଭାଷାଭିତ୍ତିକ ଚ୍ୟାନେଲଭାବେ ଷ୍ଟାର କିରଣ ଓଡ଼ିଶାକୁ ଆସୁଛି। ଷ୍ଟାର କିରଣ ସହିତ ବିଭିନ୍ନ ସକରାତ୍ମକ ତଥା ଗୁଣବତ୍ତା ବିଶିଷ୍ଟ କାହାଣୀ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶାର ଦର୍ଶକମାନଙ୍କୁ ଟିଭି ଦେଖିବାର ଅଭିଜ୍ଞତାକୁ ଆହୁରି ବୃଦ୍ଧି କରିବାକୁ ଡିଜ୍ନୀ ଷ୍ଟାର ଲକ୍ଷ୍ୟ ରଖାଯାଇଛି।

ଚ୍ୟାନେଲରେ ପୌରାଣିକ କାହାଣୀ ସହିତ ଆହୁରି ଅଧିକ ଅନେକ ଲୋକପ୍ରିୟ ତଥା ରୋମାଞ୍ଚକ ବିଷୟବସ୍ତୁ ସ୍ଥାନ ପାଇବ। ଏହାସହିତ ବିଭିନ୍ନ ଓଡ଼ିଆ ଚଳଚ୍ଚିତ୍ର ପ୍ରେମମ୍, ଦିଲ୍‌ରେ ଅଛି ତୋର ନାଁ, ଗୁପ୍ଚୁପ୍ ଏବଂ ମହାବାହୁ ଭଳି କିଛି ଚଳଚ୍ଚିତ୍ର ପ୍ରସାରଣ କରାଯିବ। ସେହିପରି ପ୍ରେମ କାହାଣୀକୁ ନେଇ ‘ତୁ କହିବୁ ନା ମୁଁ’, ଆଦିବାସୀ ବାଳିକା ଉପରେ ଆଧାରିତ ‘ସୁହାଗ ସିନ୍ଦୁର’, ଗୃହିଣୀଙ୍କ କାହାଣୀକୁ ନେଇ ‘ଶାନ୍ତି’ ଏବଂ ଜଣେ ସାଧାରଣ ବାଳିକାର କାହାଣୀକୁ ନେଇ ‘କିଏ ପର କିଏ ଆପଣାର’ ଧାରାବାହିକ ସୋମବାରଠାରୁ ଶନିବାର ପର୍ଯ୍ୟନ୍ତ ପ୍ରସାରିତ ହେବ। ଏଥିପାଇଁ ଧାରାବାହିକଗୁଡିକର ପ୍ରୋମୋ ପ୍ରଦର୍ଶିତ ହୋଇଥିଲା।

ଦେଶର ପ୍ରମୁଖ ମିଡ଼ିଆଭାବେ ପରିଚିତ ଡିଜ୍ନୀ ଷ୍ଟାର୍ ଭାରତ ସହିତ ୧ଶହରୁ ଊଦ୍ଧ୍ୱର୍ ଦେଶରେ ଟିଭିରେ ଗୋଟିଏ ମାସରେ ୭ଶହ୫୦ଲକ୍ଷରୁ ଊଦ୍ଧ୍ୱର୍ ଦର୍ଶମାନଙ୍କ ପାଖରେ ପହଞ୍ଚିପାରିଛି। ଷ୍ଟାର୍ କିରଣ ମଧ୍ୟ ଓଡ଼ିଆ ଦର୍ଶକଙ୍କ ନିକଟରେ ମନୋରଞ୍ଜନ କ୍ଷେତ୍ରରେ ଖୁବ୍ କମ୍ ଦିନ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବ ବୋଲି ରିଜିଓନାଲ୍ ବିଜିନେସ୍ ହେଡ଼୍ ଆଲୋକ ଜୈନ ଆଶାବ୍ୟକ୍ତ କରିଛନ୍ତି। ଏଥିରେ ପ୍ରଯୋଜକ ଅକ୍ଷୟ ପରିଜା, ପ୍ରଦ୍ୟୁମ୍ନ ଲେଙ୍କା, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ, ବାବୁସାନ୍ ମହାନ୍ତି, ଅମ୍ଳାନ ଦାସ, ଅଭିନେତ୍ରୀ ପ୍ରକୃତି ମିଶ୍ର, ନୈନା ଦାସ, ଭୂମିକା ଦାଶ, ପୁନମ୍ ମିଶ୍ର ପ୍ରମୁଖ ବହୁ ବିଶିଷ୍ଟ ଅଭିନେତା ଅଭିନେତ୍ରୀଙ୍କ ସମେତ ନବାଗତା କଳାକାର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Leave A Reply

Your email address will not be published.