ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନୂପୁର ଶର୍ମାଙ୍କ ବିବାଦୀୟ ଟିପ୍ପଣୀ : ଆରବ ରାଷ୍ଟ୍ରରେ ତେଜୁଛି ଭାରତ ବିରୋଧୀ ସ୍ୱର

ନୂଆଦିଲ୍ଲୀ : ଏକ ଟିଭି ବିତର୍କ କାର୍ଯ୍ୟକ୍ରମରେ ପୈଗମ୍ବର ମହମ୍ମଦଙ୍କ ପ୍ରତି ଜଣେ ବିଜେପି ନେତାଙ୍କ ବିବାଦୀୟ ବୟାନ ଏବେ ଭାରତ ସରକାରଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ହୋଇଛି। ବିଜେପିର ପୂର୍ବତନ ପ୍ରବକ୍ତା ନୂପୁର ଶର୍ମା ଜ୍ଞାନବ୍ୟାପି ମସଜିଦକୁ ନେଇ ଚାଲିଥିବା ଏକ ବିତର୍କ କାର୍ଯ୍ୟକ୍ରମରେ ମହମ୍ମଦଙ୍କ ସମ୍ପର୍କରେ ଏଭଳି କିଛି ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ ମୁସଲମାନ ସଂପ୍ରଦାୟ କ୍ଷୁବ୍ଧ ହୋଇଥିଲା। ଜାତୀୟ ସ୍ତରରେ ଏହି ପ୍ରସଙ୍ଗ ତୀବ୍ର ବିବାଦର କାରଣ ହେବା ପରେ ବିଜେପି ନୂପୁରଙ୍କୁ ଦଳରୁ ନିଲମ୍ବିତ କରିବା ସହିତ ଦଳର ଦିଲ୍ଲୀ ମିଡିଆ ସେଲ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ମଧ୍ୟ ଗତକାଲି ଦଳରୁ ବହିଷ୍କାର କରିଛି। ହେଲେ ଏତିକିରେ ଏହି ପ୍ରସଙ୍ଗ ଥମିବାର ନାଁ ଧରି ନାହିଁ। ବରଂ ପଶ୍ଚିମ ଏସିଆର ସବୁ ମୁସଲମାନ ରାଷ୍ଟ୍ର ଏହି ପ୍ରସଙ୍ଗକୁ ନେଇ ଭାରତକୁ ନାଲି ଆଖି ଦେଖାଇଛନ୍ତି।

ଏପରିକି ଅମାନବିକତାର ଚରମ ସୀମା ଲଘିଂଥିବା ଆଫଗାନିସ୍ତାନର ତାଲିବାନ ସରକାର ମଧ୍ୟ ଭାରତକୁ ଏ ସମ୍ପର୍କରେ ତାଗିଦ କରିବା ଆରମ୍ଭ କରିଛି। ସେହିପରି ସଂଖ୍ୟାଲଘୁଙ୍କ ଉପରେ ଅତ୍ୟାଚାର ଜାରି ରଖିଥିବା ପାକିସ୍ତାନ ମଧ୍ୟ ସୁଯୋଗ ହାତଛଡ଼ା କରିବାକୁ ପଛାଇ ନାହିଁ। ଫଳରେ ବିଗତ କିଛି ବର୍ଷ ଧରି ମୋଦୀ ସରକାରଙ୍କ ସମୟରେ ଆରବ ରାଷ୍ଟ୍ରମାନଙ୍କ ସହିତ ଭାରତର ପରିବର୍ଦ୍ଧିତ ସମ୍ପର୍କ ଏବେ କ୍ଷୁର୍ଣ୍ଣ ହେବାର ଆଶଙ୍କା ଦେଖାଯାଇଛି। ବିଗତ ଆଠ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ଆରବ, ମିଳିତ ଆରବ ଆମିରାତ୍(ୟୁଏଇ), ବାହରୈନ, କାତାର ଏବଂ ପାଲେଷ୍ଟାଇନ ଭଳି ବହୁ ଇସଲାମିକ ରାଷ୍ଟ୍ର ଗସ୍ତ କରି ଏଗୁଡିକ ସହ ଭାରତର ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି କରିବାକୁ ଉଦ୍ୟମ କରି ସଫଳ ହୋଇଥିଲେ। ଏହିକ୍ରମରେ ସାଉଦି ଆରବ, ୟୁଏଇ ଏବଂ ବାହରୈନ ଆଦି ରାଷ୍ଟ୍ରଗୁଡିକ ପକ୍ଷରୁ ମୋଦୀ ବହୁ ନାଗରିକ ସମ୍ମାନରେ ସମ୍ମାନିତ ମଧ୍ୟ ହୋଇଥିଲେ। କେବଳ ସମ୍ମାନର କଥା ନୁହେଁ, ଆରବ ରାଷ୍ଟ୍ରମାନଙ୍କ ସହ ମୁକ୍ତ ବାଣିଜ୍ୟିକ ଚୁକ୍ତି ଠାରୁ ଆରମ୍ଭ କରି ପଶ୍ଚିମ ଏସିଆ କ୍ବାଡ୍( ଭାରତ-ଆମେରିକା- ଇସ୍ରାଏଲ-ୟୁଏଇ) ଗଠନ ଏବଂ ଆରବ ସହଯୋଗ ପରିଷଦ(ଜିସିସି) ଚୁକ୍ତି ପାଇଁ ମଧ୍ୟ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। କିନ୍ତୁ ଏହି ବିବାଦୀୟ ଘଟଣା ପରେ ଏବେ ସବୁ ଆରବ ରାଷ୍ଟ୍ର ଭାରତକୁ ନାଲି ଆଖି ଦେଖାଇବା ଆରମ୍ଭ କରିଛନ୍ତି।

ସାଉଦି ଆରବ ପରେ ଇରାନ, କ୍ବାତାର, କୁଏତ, ୟୁଏଇ ଏବଂ ବାହରୈନ ଭଳି ବହୁ ରାଷ୍ଟ୍ରମାନଙ୍କ ପକ୍ଷରୁ ଭାରତୀୟ ରାଷ୍ଟ୍ରଦୂତମାନଙ୍କୁ ସମନ କରାଯିବା ସହିତ ଏହାକୁ କଡ଼ା ନିନ୍ଦା କରାଯାଇଛି। ପରେ ପରେ ତାଲିବାନ ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହିତ ଭାରତ ସରକାର ଏଭଳି ଘଟଣାକୁ ପ୍ରଶୟ ନ ଦିଅନ୍ତୁ ବୋଲି କହିଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏହି କ୍ରମରୁ ଓହରି ନାହାନ୍ତି। ଭାରତରେ ବିଜେପି ସରକାର ଧାର୍ମିକ ସ୍ବାଧୀନତାରେ ଆଞ୍ଚ ଆଣିଛନ୍ତି ଏବଂ ଏଠାରେ ମୁସଲମାନମାନଙ୍କ ଉପରେ ଅତ୍ୟାଚାର କରାଯାଉଛି ବୋଲି ଟ୍ବିଟ୍ କରିଛନ୍ତି। କେବଳ ସେତିକି ନୁହେଁ, ଇସଲାମିକ ରାଷ୍ଟ୍ର ସହଯୋଗ ସଂଗଠନ(ଓଆଇସି) ପକ୍ଷରୁ ଭାରତକୁ କୈଫିୟତ ମଗାଯାଇଛି।

ଅନେକ ଆରବ ରାଷ୍ଟ୍ରରେ ମଲ ଏବଂ ସୁପରମାର୍କେଟରେ ଭାରତୀୟ ସାମଗ୍ରୀକୁ ବର୍ଜନ କରିବାକୁ ଆହ୍ବାନ ଦିଆଯାଇଛି। କିନ୍ତୁ ଦିନକୁ ଦିନ ଘଟଣାକ୍ରମର ମୋଡ଼ ବଦଳୁଥିବା ବେଳେ ଭାରତ ମଧ୍ୟ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିଛି। ଗତକାଲି କୁଏତ ଏବଂ କାତାର ଆଦି ରାଷ୍ଟ୍ରଙ୍କ ପକ୍ଷରୁ ପ୍ରତିବାଦ ଜଣାଯାଇଥିଲା ବେଳେ ଭାରତ ପକ୍ଷରୁ ସମ୍ବେଦନ ପୂର୍ବକ ଉତ୍ତର ଦିଆଯାଇଥିଲା। ପୈଗମ୍ବର ମହମ୍ମଦଙ୍କ ପ୍ରତି ଦିଆଯାଇଥÒବା ବିବାଦୀୟ ମନ୍ତବ୍ୟ ଭାରତ ସରକାରଙ୍କ ନୁହେଁ ବରଂ ବ୍ୟକ୍ତିଗତ ମନ୍ତବ୍ୟ ବୋଲି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯିବା ସହିତ ଏଥିପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇସାରିଥିବା ମଧ୍ୟ ମନ୍ତ୍ରାଳୟ ପ୍ରବକ୍ତା କହିଥିଲେ।

ଏହାସତ୍ତ୍ବେ ଇସଲାମିକ ରାଷ୍ଟ୍ରମାନଙ୍କ ଆଭିମୁଖ୍ୟ ବଦଳି ନଥିବାରୁ ସୋମବାର ଭାରତ ପକ୍ଷରୁ ଓଆଇସିକୁ କଡ଼ା ଜବାବ ଦିଆଯାଇଛି। ଓଆଇସି ଅବାଞ୍ଛିତ ଏବଂ ସଙ୍କୀର୍ଣ୍ଣ ଚିନ୍ତାଧାରାରୁ ଦୂରେଇ ରହିବା ସହିତ ସାଂପ୍ରଦାୟିକ ଆଭିମୁଖ୍ୟ ବନ୍ଦ କରୁ ଏବଂ ସବୁ ଧର୍ମକୁ ଉଚିତ ସମ୍ମାନ ଜଣାଉ ବୋଲି ଭାରତ ସରକାର କହିଛନ୍ତି। ସେହିପରି ପାକିସ୍ତାନ ସରକାରଙ୍କୁ ଚେତାବନୀ ଦେଇ ଭାରତ କହିଛି ଯେ, ଯେଉଁଠି ହିନ୍ଦୁ, ଶିଖ୍, ଖ୍ରୀଷ୍ଟିଆନ ଏବଂ ଅହମ୍ମଦିଆଙ୍କ ଉପରେ ପାକିସ୍ତାନ ନିତିଦିନ ଅତ୍ୟାଚାର କରି ଚାଲିଛି , ସେମାନଙ୍କ ସୁରକ୍ଷାକୁ ନେଇ ଆଖି ବୁଜି ଦେଇଛି ସେଠାରେ ଭାରତକୁ କୌଣସି ଶିକ୍ଷା ନଦେଉ। ପାକିସ୍ତାନର ଏଭଳି ମନ୍ତବ୍ୟ କେବଳ ଭାରତରେ ସାଂପ୍ରଦାୟିକ ହଂସା ବଢାଇବା ଉଦ୍ଦେଶ୍ୟରେ ପ୍ରେରିତ ବୋଲି ଭାରତ କହିଛି।

Leave A Reply

Your email address will not be published.