ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡ୍ରାଇଭିଂ ଲାଇସେନ୍ସ ନେବାରେ ଓଡ଼ିଶାର ମହିଳାଙ୍କ ସଂଖ୍ୟା ସର୍ବାଧିକ, ୫ବର୍ଷରେ ୩୩ ପ୍ରତିଶତ ବୃଦ୍ଧ

ଭୁବନେଶ୍ୱର : ‘ଅବଳା ଦୁର୍ବଳା’ ଭଳି ଦୀର୍ଘକାଳ ଧରି ଚାଲି ଆସିଥିବା କଥାକୁ ସାମ୍ପ୍ରତିକ ସମୟରେ ଭୁଲ ବୋଲି ପ୍ରମାଣିତ କରି ସାରିଛନ୍ତି ମହିଳା। ପରିବାରର ମଙ୍ଗ ଧରିଥିବା ମହିଳା ଏବେ ସଶକ୍ତ ହୋଇଛନ୍ତି ଏବଂ ଗାଡ଼ି ଷ୍ଟିଅରିଂ ଧରି ରାସ୍ତାରେ ବି ରାଜୁତି ଆରମ୍ଭ କରିଛନ୍ତି। ପୁରୁଷ କୈନ୍ଦ୍ରିକ ସମାଜରେ ନିଜର ଅସ୍ତିତ୍ୱ ଜାହିର୍‍ କରିବା ସହ ରୋଜଗାର କରି ନିଜ ପରିବାର ଲୋକଙ୍କ ସହ କାନ୍ଧ ମିଳାଇବା ପାଇଁ ସେମାନଙ୍କର ପଦକ୍ଷେପ ପ୍ରଶଂସା ଯୋଗ୍ୟ। ଆଉ ଏଥିପାଇଁ ଗ୍ରାମାଞ୍ଚଳ ତଥା ସହରାଞ୍ଚଳର ମହିଳାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି ସୁଯୋଗ। ବର୍ତ୍ତମାନ ରାଜ୍ୟରେ ମହିଳା ଡ୍ରାଇଭରଙ୍କ ସଂଖ୍ୟା ବୃଦ୍ଧିପାଇଛି। ଜୀବନରେ ନୂଆ ରାହା ଦେଖାଇଛି ଡିଟିଆଇ। ମହିଳାମାନେ ଏବେ ଉଭୟ ଭାରୀ ଓ ହାଲୁକା ଯାନ ଚାଳନା ପ୍ରଶିକ୍ଷଣ ନେଇ ଷ୍ଟିୟରିଂ ଧରିଛନ୍ତି।

ଗତ ୫ବର୍ଷ ମଧ୍ୟରେ ମହିଳା ଡ୍ରାଇଭରଙ୍କ ସଂଖ୍ୟା ଓଡ଼ିଶାରେ ୩୩ପ୍ରତିଶତ ବୃଦ୍ଧି ପାଇଛି। ୨୦୧୭ ମସିହାରେ ୨୫୦୮୬ ମହିଳା ଡ୍ରାଇଭିଂ ଲାଇସେନ୍ସ ପାଇଥିଲେ। ୨୦୨୧ରେ ଏହା ୩୩୬୬୬କୁ ବୃଦ୍ଧି ପାଇଛି। ୨୦୧୯ ଓ ୨୦୨୦ ମସିହା ମହିଳା ଡ୍ରାଇଭିଂ ଲାଇସେନ୍ସଧାରୀଙ୍କ ସଂଖ୍ୟା ୩୬ହଜାରରୁ ଊର୍ଦ୍ଧ୍ବ ଥିଲା। ମହିଳାଙ୍କୁ ସଶକ୍ତ କରିବା ଓ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ପରିବହନ ବିଭାଗ ଓ ଓଡ଼ିଶା ସରକାର ମହିଳାମାନଙ୍କୁ ଡ୍ରାଇଭିଂ ଟ୍ରେନିଂ ସ୍କୁଲ ଭୁବନେଶ୍ୱର ଓ ଏଚ୍‍ଏମ୍‍ଭି ଡ୍ରାଇଭିଂ ଟ୍ରେନିଂ ଇନ୍‍ଷ୍ଟିଚ୍ୟୁଟ୍‍ ଛତିଆରେ ମାଗଣା ବୃତ୍ତିଗତ ଡ୍ରାଇଭିଂ ତାଲିମ ପ୍ରଦାନ କରିଛନ୍ତି। ବର୍ଷ ବର୍ଷ ଧରି ଉଭୟ ଅନୁଷ୍ଠାନରେ ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ୨୦୧୬-୧୭ରେ ଭୁବନେଶ୍ୱର ଡିଟିଏସ୍‍ରେ ୨୫ଜଣ ମହିଳା ପ୍ରଶିକ୍ଷଣ ନେଇଥିଲେ। ବର୍ତ୍ତମାନ ୯୦ଜଣ ମହିଳା ପ୍ରଶିକ୍ଷଣ ନେଇ ବ୍ୟବସାୟିକ ଯାନ ଚଳାଇବା ପାଇଁ ଶିକ୍ଷା ନେଉଛନ୍ତି। ସେମାନଙ୍କ ମଧ୍ୟରୁ ୬୦ଜଣ କ୍ୟାପିଟାଲ ରିଜିଅନ୍‍ ଅର୍ବାନ୍‍ ଟ୍ରାନ୍ସପୋର୍ଟ ସହ ଜଡ଼ିତ।

ଛତିଆରେ ମଧ୍ୟ ଏଚ୍‍ଏମ୍‍ଭି ଡିଟିଆଇରେ ମହିଳାଙ୍କ ନାମ କ୍ରମାଗତଭାବେ ବୃଦ୍ଧି ପାଇଛି। ଗତ ୩-୪ବର୍ଷ ମଧ୍ୟରେ ପ୍ରାୟ ୬୦ଜଣ ମହିଳାଙ୍କୁ ତାଲିମ ଦିଆଯାଇଛି। ପ୍ରଶିକ୍ଷଣ ଡ୍ରାଇଭରମାନଙ୍କୁ ଏହି ଅନୁଷ୍ଠାନ ଜୀବିକା ଏବଂ ଚାକିରୀଜନିତ ସହାୟତା ଯୋଗାଇଦେଇଛନ୍ତି। ସେମାନଙ୍କ ମଧ୍ୟରୁ କିଛିଜଣ ପାଠ୍ୟକ୍ରମକୁ ସଫଳତାର ସହ ସମାପ୍ତ କରିବା ପରେ ଘରୋଇ ଓ ସରକାରୀ ଏଜେନ୍ସିଗୁଡିକରେ କାର୍ଯ୍ୟରତ ଅଛନ୍ତି। ମହିଳା ପ୍ରଶିକ୍ଷକମାନେ ସଫ୍ଟ ସ୍କିଲ ସହିତ ନିୟମିତ ଭାବରେ ଡ୍ରାଇଭିଂ ମଧ୍ୟ ଶିଖାଉଛନ୍ତି ବୋଲି ଛତିଆର ଅଧ୍ୟକ୍ଷ ସାଦିକ୍‍ ହୁସେନ୍‍ ସୟଦ୍‍ ସୂଚନା ଦେଇଛନ୍ତି। ଏଥିପାଇଁ ୩୦ଦିନର ଆବାସିକ ଏଚ୍‍ଏମ୍‍ଭି ଡ୍ରାଇଭିଂ ତାଲିମ ପ୍ରଦାନ କରାଯାଉଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମହିଳାମାନଙ୍କ ଦକ୍ଷତା ବିକାଶ ଜରିଆରେ କର୍ମନିଯୁକ୍ତି ଯୋଗାଇବା ପାଇଁ ଏସ୍‍ଟିଏ ଏବଂ ରାଜ୍ୟ ରୋଜଗାର ମିଶନ ପକ୍ଷରୁ ସ୍ୱତନ୍ତ୍ର ଯୋଜନାରେ ପ୍ରଶିକ୍ଷଣ ଦିଆଯାଉଛି।

ଏସମ୍ପର୍କରେ ସଡ଼କ ସୁରକ୍ଷା ଯୁଗ୍ମ କମିଶନର ସଞ୍ଜୟ ବିଶ୍ୱାଳ କହିଛନ୍ତି ରାଜ୍ୟରେ ମହିଳା ଡ୍ରାଇଭରଙ୍କ ସଂଖ୍ୟା ବୃଦ୍ଧି ହୋଇଛି। ମାତ୍ର ଅନ୍ୟ ରାଜ୍ୟ ତୁଳନାରେ ଏହି ସଂଖ୍ୟା ଆଗକୁ ଆହୁରି ବୃଦ୍ଧି ପାଇବ। ମହିଳାମାନେ ଗାଡି ଚଳାଇବା ଶିଖିବା ଦ୍ୱାରା ଆତ୍ମବିଶ୍ୱାସ ବଢ଼ିବା ସହ ସେମାନଙ୍କ ଦୈନନ୍ଦିନ ଯାତ୍ରା ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ନାହାଁନ୍ତି। ପ୍ରଶିକ୍ଷାର୍ଥୀଙ୍କ ପ୍ରଶିକ୍ଷଣ, ରହିବା, ଖାଦ୍ୟପେୟର ସମ୍ପୂର୍ଣ୍ଣ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଥିବାବେଳେ ସେମାନଙ୍କୁ ଚାକିରୀ ଯୋଗାଇ ଦିଆଯାଉଛି। ଆଗକୁ ଆହୁରି ଅଧିକ ମହିଳାଙ୍କୁ ସୁଯୋଗ ଦିଆଯିବ।

Leave A Reply

Your email address will not be published.