ଡାକ୍ତରୀ ଅଭାବ ସମସ୍ୟାର ହେବ ସ୍ଥାୟୀ ସମାଧାନ : ରାଜ୍ୟରେ ଏମବିବିଏସ୍‍ ସିଟ୍‍ ସଂଖ୍ୟା ୧୨୫୦ରୁ ୧୭୫୦କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆବଶ୍ୟକ ସଂଖ୍ୟକ ମେଡିକାଲ କଲେଜଗୁଡ଼ିକ ପ୍ରତିଷ୍ଠା ହୋଇଚାଲିଛି। ଏହା ଦ୍ୱାରା ରାଜ୍ୟ ସରକାରଙ୍କ ଅଧିନସ୍ଥ ମେଡିକାଲ କଲେଜରେ ଏମ୍‍ବିବିଏସ୍‍ ସିଟ୍‍ ସଂଖ୍ୟା ୧୨୫୦ରୁ ୧୭୫୦କୁ ବୃଦ୍ଧି ପାଇବ। ଯାହା ଆଗାମୀ ଦିନରେ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟଶିକ୍ଷାରେ ଦେଖାଦେଉଥିବା ଅଭାବକୁ ପୂରଣ କରିବାରେ ଖୁବ୍‍ ସହାୟକ ହେବ ବୋଲି ଜଣାପଡ଼ିଛି।

ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ଶିକ୍ଷାର ଦ୍ରୁତ ଅଭିବୃଦ୍ଧି ଲକ୍ଷ୍ୟ ରଖି ୨୦୧୭-୧୮ରୁ ପର୍ଯ୍ୟାୟ କ୍ରମେ ନୂଆ ମେଡ଼ିକାଲ କଲେଜ ପ୍ରତିଷ୍ଠା କରୁଛନ୍ତି। ଏହି କ୍ରମରେ ୨୦୧୭-୧୮ରେ କୋରାପୁଟ/ବଲାଙ୍ଗୀରରେ ଓ ୨୦୧୮-୧୯ରେ ବାରିପଦା/ବାଲେଶ୍ୱରରେ ଓ ୨୦୨୧-୨୨ରେ ପୁରୀରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା କରି ସାରିଛନ୍ତି। ଅନୁରୂପ ଭାବେ ୨୦୨୨-୨୩ରେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନେସନାଲ ମେଡିକାଲ କମିଶନ (ଏନ୍‍ଏମ୍‍ସି)ର ମାନଦଣ୍ଡ ଅନୁଯାୟୀ ଆବଶ୍ୟକୀୟ ଭିତ୍ତିଭୂମି ଓ ନିର୍ଦ୍ଧାରିତ ସଂଖ୍ୟକ ପ୍ରାଧ୍ୟାପକ, ସହଯୋଗୀ ପ୍ରାଧ୍ୟାପକ ଓ ସହକାରୀ ପ୍ରାଧ୍ୟାପକଙ୍କୁ ନିଯୁକ୍ତି କରିସାରିଛନ୍ତି। ଭବାନୀପାଟଣାରେ (୨୦୨୩-୨୪), ଯାଜପୁର ଓ ଫୁଲବାଣୀରେ (୨୦୨୪-୨୫) ସରକାର ଗୋଟିଏ ଲେଖାଏଁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜାରି ରହିଛି। ରାଜ୍ୟ ସରକାର କେନ୍ଦୁଝର ଓ ସୁନ୍ଦରଗଡ଼ରେ ରାଜ୍ୟର ସ୍ୱାର୍ଥ ପାଇଁ ଦୁଇଗୋଟି ୧୦୦ ଏମ୍‍ବିବିଏସ୍‍ ସିଟ୍‍ବିଶିଷ୍ଟ ମେଡିକାଲ କଲେଜ ଖୋଲିବା ପାଇଁ ଏନ୍‍ଏମ୍‍ସିକୁ ଆବେଦନ କରିଛନ୍ତି। ଏନ୍‍ଏମ୍‍ସି ମାପଦଣ୍ଡ ଅନୁଯାୟୀ ପ୍ରଥମ ବର୍ଷରୁ ପ୍ରତ୍ୟେକରେ ୬ ଗୋଟି ପ୍ରାଧ୍ୟାପକ ୨୦ ଗୋଟି ସହଯୋଗୀ ପ୍ରାଧ୍ୟାପକ ଓ ୨୪ ଗୋଟି ସହକାରୀ ପ୍ରାଧ୍ୟାପକ ନିଯୁକ୍ତି ଦେବା ପରିପ୍ରେକ୍ଷୀରେ ସରକାର ବାଧ୍ୟ ହୋଇ ରାଜ୍ୟର ପୁରାତନ କଟକ ଓ ବ୍ରହ୍ମପୁରସ୍ଥିତ ମେଡିକାଲ କଲେଜରୁ ଏହି ଦୁଇ ନୂତନ ମେଡିକାଲ କଲେଜକୁ କିଛି ସହଯୋଗୀ ପ୍ରାଧ୍ୟାପକଙ୍କୁ ବଦଳି କରିଛନ୍ତି।

ଅପରପକ୍ଷରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ସମୁଦାୟ ୩୫ଟି ବିଭାଗରେ ମୋଟ ପ୍ରାଧ୍ୟାପକ ପଦବୀ ସଂଖ୍ୟା ୩୯ ଓ ତନ୍ମଧ୍ୟରୁ ୩୫ଟି ପଦବୀରେ ପ୍ରାଧ୍ୟାପକ କାର୍ଯ୍ୟରତ ଅଛନ୍ତି। ୪ ଗୋଟି ପଦବୀ ଖାଲି ଅଛି। ସେହିପରି ୮୧ ଗୋଟି ସହଯୋଗୀ ପ୍ରାଧ୍ୟାପକ ପଦବୀରୁ ୫୧ଟି ପଦବୀରେ ସହଯୋଗୀ ପ୍ରାଧ୍ୟାପକ କାର୍ଯ୍ୟରତ ଅଛନ୍ତି ଓ ୩୦ଟି ପଦବୀ ଖାଲି ଅଛି। ସେହିପରି ମୋଟି ୧୬୩ ସହକାରୀ ପ୍ରାଧ୍ୟାପକ ପଦବୀରୁ ୧୫୩ଟି ପଦବୀରେ ସହକାରୀ ପ୍ରାଧ୍ୟାପକ କାର୍ଯ୍ୟରତ ଅଛନ୍ତି ଓ ୧୧ଟି ପଦବୀ ଖାଲି ଅଛି। ଅନୁରୂପ ଭାବେ ରାଜ୍ୟ ସରକାର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟକୁୁ ଏକ ଅଗ୍ରଜ ମହାବିଦ୍ୟାଳୟ ହିସାବରେ ମଧ୍ୟ ପ୍ରାଧାନ୍ୟ ଦେଇ ଆସୁଛନ୍ତି। ଏହି ଅନୁକ୍ରମରେ ରାଜ୍ୟ ସରକାର ଗତ ୧୭ ଓ ୧୯ ତାରିଖରେ ଏହି ଭେଷଜ ମହାବିଦ୍ୟାଳୟରେ ୧୧ ଜଣ ସହକାରୀ ପ୍ରାଧ୍ୟାପକ, ୧୬ ଜଣ ଟିଉଟର ଓ ୪ ଜଣ ସିନିୟର ରେସିଡେଣ୍ଟଙ୍କୁ ନିଯୁକ୍ତି ଦେଇଛନ୍ତି।

ଅନୁରୂପ ଭାବେ ଗତ ୨୬ ତାରିଖରେ ୭ ଜଣ ସହଯୋଗୀ ପ୍ରାଧ୍ୟାପକଙ୍କୁ ଏଠାରେ ନିଯୁକ୍ତି ଦେଇଛନ୍ତି। ଏତଦ୍‍ବ୍ୟତୀତ ୩୫ ଜଣ ସିନିଅର ରେସିଡେଣ୍ଟଙ୍କ ଚୟନ ପ୍ରକ୍ରିୟା ଶେଷ ହୋଇସାରିଛି। ଚଳିତ ସପ୍ତାହରେ ସେମାନଙ୍କୁ ନିଯୁକ୍ତି ଦିଆଯିବ। ଏହି କ୍ରମରେ ବର୍ତ୍ତମାନ ସିନିଅର ରେସିଡେଣ୍ଟ ଓ ଟିଉଟର ମୋଟ ୧୬୪ ପଦବୀରେ ୯୧ ଜଣ କାର୍ଯ୍ୟରତ ଅଛନ୍ତି ଓ ଆଉ ୩୫ ଜଣ ସପ୍ତାହକ ମଧ୍ୟରେ କାର୍ଯ୍ୟରେ ଯୋଗଦେବେ। ୧୨୬ ଗୋଟି ପଦବୀ ପୂରଣ କରାଯାଇଛି। ସରକାର ପଦୋନ୍ନତି, ବଦଳି ଓ ଚୁକ୍ତିଭିତ୍ତିକ ନିଯୁକ୍ତି ମାଧ୍ୟମରେ ବଳକା ଥିବା ପଦବୀ ପୂରଣ ପାଇଁ ବିହିତ ପଦକ୍ଷେପ ନେବା ସହିତ ଏହି ଭେଷଜ ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ସୁବ୍ୟବସ୍ଥା କରୁଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।

Leave a comment