ଦ୍ୱାରପାଳ ନୁହେଁ ଦରକାର ପଡିଲେ କ୍ରୀତଦାସ ହେବୁ, ଓଡ଼ିଶାବାସୀଙ୍କ ସେବା ପାଇଁ ନିଜକୁ ସମର୍ପି ଦେବୁ : ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ବର : ଓଡ଼ିଶାର ଲୋକଙ୍କ କାମ ପାଇଁ ଦ୍ବାରପାଳ କ’ଣ, କ୍ରୀତଦାସ ହେବାକୁ ରାଜି ଅଛି। ଆଉ ମୋ ଦଳ ବିଜୁ ଜନତା ଦଳର ମୁଲିଆ ହେବାକୁ ବି ପ୍ରସ୍ତୁତ ଅଛି। ଆଜି ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ନବରଙ୍ଗପୁର ଗସ୍ତ ସମୟରେ ସର୍କିଟ୍ ହାଉସ୍ର ଅଭିଯୋଗ ଶୁଣାଣି ଚାଲିଥିବା ବେଳେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଲୋକମାନଙ୍କ ସହ ରହି ଶୃଙ୍ଖଳିତ ଭାବେ ଧାଡ଼ିରେ ଯିବାକୁ କହୁଥିଲେ। ଏହି ସମୟର ଭିଡିଓକୁ ନେଇ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ କରିଥିବା ଆକ୍ଷେପମୂଳକ ଖବର ପ୍ରସାରଣ ଉପରେ ପ୍ରତିକ୍ରିୟା ରଖି ପ୍ରଣବ ପ୍ରକାଶ ଦାସ କହିଛନ୍ତି ଦ୍ୱାରପାଳ ନୁହେଁ ଦରକାର ପଡିଲେ କ୍ରୀତଦାସ ହେବୁ, ଓଡ଼ିଶାବାସୀଙ୍କ ସେବା ପାଇଁ ନିଜକୁ ସମର୍ପି ଦେବୁ।
ଓଡ଼ିଶାର ଲୋକଙ୍କ ପାଇଁ ଦ୍ବାରପାଳ କ’ଣ, କ୍ରୀତଦାସ ହୋଇଯିବି: ପ୍ରଣବ ପ୍ରକାଶ ଦାସ pic.twitter.com/z5d9baWJ0D
— Sakala (ସକାଳ) (@TheSakala) March 18, 2023
ନିର୍ଦ୍ଦିଷ୍ଟ ଗଣମାଧ୍ୟମ କରିଥିବା ଆକ୍ଷେପମୂଳକ ଖବରକୁ ନେଇ ସେ କହିଛନ୍ତି ଏଭଳି ମଧ୍ୟଯୁଗୀୟ ମାନସିକତାରୁ ଊର୍ଦ୍ଧ୍ବକୁ ଆସି ଖବର କରନ୍ତୁ। ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ନବରଙ୍ଗପୁରରୁ ବିପୁଳ ସମର୍ଥନ ମିଳିଥିଲା । ନିର୍ବାଚନ ପରେ ନବରଙ୍ଗପୁରର ବିଭିନ୍ନ ସମସ୍ୟାକୁ ନେଇ ଏଠାକାର ଲୋକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ଲୋକଙ୍କ ସମସ୍ୟା ଶୁଣି ଏହାର ସମାଧାନ ପାଇଁ ନବରଙ୍ଗପୁର ଆସିଥିଲେ ।
ସେ କହିଛନ୍ତି ଯେ, ‘ମୁଁ ଏଠାକାର ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ କଥା ହେବାକୁ ଡାକିଥିଲି । ମୁଁ ଡାକିଥିବା ଲୋକେ ବାହାରେ ଛିଡା ହେବେ ଆଉ ମୁଁ ଭିତରେ ବସିବି, ଏଭଳି ମାନସିକତାରେ ଆମେ ବିଶ୍ବାସ କରୁନୁ । ଆମେ କଥାରେ ନୁହେଁ, କାମରେ ବିଶ୍ବାସ କରୁ । ଦଳର ସୁପ୍ରିମୋ ସବୁବେଳେ କୁହନ୍ତି, ଆମେ ରାଜନେତାମାନେ ଲୋକଙ୍କ ସେବକ । ସେହି ଆଦର୍ଶରେ ଆମେ ଲୋକଙ୍କ ପାଇଁ କାମ କରୁଛୁ । ଆଉ ନବରଙ୍ଗପୁରବାସୀ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ଓ ବିଶ୍ବାସ ରଖି ଜିତାଇ ଆସୁଛନ୍ତି । ଆମେ ଲୋକଙ୍କ ସେବକ । ସେମାନଙ୍କ ପାଇଁ କାମ କରୁଛୁ ।’