ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଣଛାତ୍ରଙ୍କ କବ୍‌ଜାରେ ବାଣୀବିହାର, ନଷ୍ଟ ହେଉଛି ଶୈକ୍ଷିକ ପରିବେଶ

ଭୁବନେଶ୍ୱର : ପୁଣି ଅଶାନ୍ତ ହୋଇଛି ବାଣୀବିହାର କ୍ୟାମ୍ପସ। ଶନିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିସରରେ ଥିବା ଗୋଦାବରୀଶ(୪ ନମ୍ବର) ହଷ୍ଟେଲ ସମ୍ମୁଖରେ ଥିବା ଦୁଇଟି ଗାଡ଼ିକୁ ପୋଡ଼ି ଦେଇଥିବା ବେଳେ ଗୋଟିଏ ଗାଡ଼ିକୁ ଭାଙ୍ଗିରୁଜି ଦେଇଛନ୍ତି। ଯାହାକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଦେଖା ଦେବା ସହିତ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ ରବିବାର ହଷ୍ଟେଲରେ ତାଲା ପକାଇ ଦେଇଥିଲେ। ଏନେଇ ସହିଦ ନଗର ଥାନାରେ ମାମଲା ରୁଜୁ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ସହିତ ତଦନ୍ତ ପ୍ରକ୍ରିୟା ଜାରି ରଖିଛି। ସେହିପରି ବିଶ୍ୱବିଦ୍ୟାଳୟ ପକ୍ଷରୁ ମଧ୍ୟ ପିଜି ପରିଷଦ ଅଧ୍ୟକ୍ଷ ଡ. ଦୁର୍ଗା ଚରଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଶେଷଜ୍ଞ କମିଟି ଗଠନ କରାଯାଇଛି। ଅଣଛାତ୍ରଙ୍କ ଯୋଗୁଁ ଏହି ଘଟଣା ଘଟିଥିବା ଜଣା ପଡ଼ିଛି। ତେବେ କ୍ୟାମ୍ପସରେ ଅଣଛାତ୍ରମାନଙ୍କ ଯୋଗୁଁ ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀଙ୍କୁ ରାଗିଂ, ଛାତ୍ରୀମାନଙ୍କୁ କମେଣ୍ଟ ମାରିବା, ହଷ୍ଟେଲର ସିଟ୍‍ ମାଡ଼ି ବସିବା ଭଳି ଅନେକ ଅଭିଯୋଗ ବିଭିନ୍ନ ସମୟରେ ସାମ୍ନାକୁ ଆସିଛି। ଅଣଛାତ୍ରଙ୍କ ଯୋଗୁଁ କ୍ୟାମ୍ପସର ଶୈକ୍ଷିକ ପରିବେଶ ନଷ୍ଟ ହେଉଥିବା ଏବଂ କ୍ୟାମ୍ପସକୁ ଅଣଛାତ୍ରମୁକ୍ତ କରିବା ପାଇଁ କର୍ତ୍ତୃପକ୍ଷ ବିଭିନ୍ନ ସମୟରେ ଘୋଷଣା ମଧ୍ୟ କରିଛନ୍ତି। ତେବେ ଏହା କେବଳ ଘୋଷଣାରେ ହିଁ ସୀମିତ ରହିବା ଭଳି ମନେ ହେଉଛି।

ଉତ୍କଳ ବିଶ୍ୱବିଦ୍ୟାଳୟରେ ପୂର୍ବରୁ ଛାତ୍ର ରାଜନୀତି ଏବଂ ପତିଆରା ଦଖଲ ଲାଗି ଉତ୍ତେଜନା ହେଉଥିବା ବେଳେ କ୍ୟାମ୍ପସରେ ରାଗିଂକୁ ନେଇ ତୁମୂଳକାଣ୍ଡ ଘଟିଯାଇଛି। ଉତ୍କଳ ବିଶ୍ୱବ୍ୟିାଳୟରେ ଉତ୍ତେଜନା କିଛି ନୂଆକଥା ନୁହେଁ। ବିଭିନ୍ନ ପ୍ରସଙ୍ଗକୁ ନେଇ କ୍ୟାମ୍ପସ ଅନେକ ସମୟରେ ବିଶୃଙ୍ଖଳିତ ହୋଇଛି। ହେଲେ ଏମସ୍ତ ଘଟଣାର ପ୍ରମୁଖ କାରଣ ହେଉଛନ୍ତି ଅଣଛାତ୍ର। ଏନେଇ ମଧ୍ୟ କର୍ତ୍ତୃପକ୍ଷ ବେଶ ଭଲ ଭାବେ ଅବଗତ। ହେଲେ ଏହାର ସମାଧାନ ପାଇଁ ସେପରି କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। କିଛିଦିନ ପୂର୍ବରୁ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା ଲାଗିଥିବାବେଳେ ଅଣଛାତ୍ରଙ୍କ ସମ୍ପୃକ୍ତି ପାଇଁ ଏଭଳି ଘଟଣା ଘଟିଥିବା କୁଳପତି ଉପଲବ୍ଧି କରି କ୍ୟାମ୍ପସରେ ସ୍ମାର୍ଟ ଆଇଡି ବ୍ୟବସ୍ଥା ଲାଗୁ କରିବା ପାଇଁ ଯୋଜନା କରିଥିଲେ। ସେହିପରି ସୁରକ୍ଷା ବ୍ୟବସ୍ଥା ପାଇଁ ସିସିଟିଭି କାର୍ଯ୍ୟକ୍ଷମ ଓ ସୁରକ୍ଷାକର୍ମୀ ମୁତୟନ ଦିଗରେ ଅଧିକ ଗୁରୁତ୍ୱ ଦେବେ ବୋଲି କହିଥିଲେ। ହେଲେ କ୍ୟାମ୍ପସରେ ବିଗତ କିଛିଦିନ ହେବ ଅଣଛାତ୍ରଙ୍କୁ ନେଇ ଉତ୍ତେଜନା ପ୍ରକାଶ ପାଉଛି। ଛାତ୍ର ରାଜନୀତି ପରିବର୍ତ୍ତେ କ୍ୟାମ୍ପସକୁ କବ୍‍ଜା କରି ରଖିଥିବା କିଛି ଅସାମାଜିକ ଅଣଛାତ୍ରଙ୍କ ରାଜୁତି ଅନେକ ବୃଦ୍ଧି ପାଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରୁଛନ୍ତି। କିଛିଦିନ ପୂର୍ବରୁ ଏହି ଅଣଛାତ୍ରଙ୍କ ରାଗିଂକୁ ନେଇ ଦୁଇ ଗୋଷ୍ଠୀର ଛାତ୍ର ହାତାହାତି ହୋଇଥିଲେ। ଉକ୍ତ ଘଟଣାରେ ଦୁଇଜଣ ଛାତ୍ର ଗୁରୁତର ଆହତ ମଧ୍ୟ ହୋଇଥିଲେ। ପୁଲିସ ନିକଟରେ ଏନେଇ ଅଭିଯୋଗ ମଧ୍ୟ ହୋଇଥିଲା। ତେବେ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଅଣଛାତ୍ରମାନଙ୍କୁ ନେଇ ବାରମ୍ବାର ଅଶାନ୍ତ ହେବା ସହିତ ଶୈକ୍ଷିକ ବାତାବରଣ ମଧ୍ୟ ବାଧାପ୍ରାପ୍ତ ହେଉଥିବାବେଳେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ହୁଗୁଳା ହୋଇଯାଇ ଥିବା ଅଭିଯୋଗ ହେଉଛି।

ଅପରପକ୍ଷେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସିସିଟିଭି କ୍ୟାମେରା ଖାଲି ନାମକୁ ମାତ୍ର ଲାଗିଛି। ଅଧିକାଂଶ କ୍ୟାମେରା ଭାଙ୍ଗିରୁଜି ଯାଇଥିବାବେଳେ ଅନେକର ସଂଯୋଗ ମଧ୍ୟ ନାହିଁ। ଫଳରେ ଛାତ୍ରୀଙ୍କୁ କମେଣ୍ଟ ମରାଯିବା, କ୍ୟାମ୍ପସରୁ ଛିନତାଇ ହେବା ତଥା ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଭଳି ଅନେକ ଅପରାଧିକ କାର୍ଯ୍ୟ ଘଟୁଛି। କର୍ତ୍ତୃପକ୍ଷ ଏ ସମ୍ପର୍କରେ ସବୁଜାଣି ମଧ୍ୟ ଚୁପ୍‍ ରହୁଛନ୍ତି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଶନିବାର ୪ ନମ୍ବର ହଷ୍ଟେଲରେ ଦୁର୍ବୃତ୍ତ ଗାଡ଼ି ଭଙ୍ଗାରୁଜା କଲେ। ଗାଡ଼ି ମଧ୍ୟ ପୋଡ଼ିଲେ। ହେଲେ ସୁରକ୍ଷାକର୍ମୀ କିମ୍ବା ସିସିଟିଭି କ୍ୟାମେରା କାହାରି ନଜରରେ ଏମାନେ ଆସିଲେନି। କାଣ୍ଡ କିଏ ଭିଆଇଛି ସେନେଇ କାହା ପାଖରେ କୌଣସି ସୂଚନା ନାହିଁ। ଏଥିରୁ ହିଁ କ୍ୟାମ୍ପସର ସୁରକ୍ଷା ବ୍ୟବସ୍ଥା ସହଜରେ ଅନୁମେୟ। ତେବେ ଏ ସମ୍ପର୍କରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିବାବେଳେ ସେ ସୁରକ୍ଷା ବ୍ୟବସ୍ଥା ନେଇ ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ସେହିପରି ଘଟଣାକୁ ନେଇ କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗି ରହିଥିବାବେଳେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପୁଲିସ ମୁତୟନ କରାଯାଇଛି।

Leave A Reply

Your email address will not be published.