ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁପ୍ରିମକୋର୍ଟରେ ଆମ୍ ଆଦମୀ ପାର୍ଟିର ବଡ଼ ବିଜୟ, ଦିଲ୍ଲୀ ମେୟର ନିର୍ବାଚନରେ ଭୋଟ୍ ଦେଇପାରିବେ ନାହିଁ ମନୋନୀତ ସଦସ୍ୟ

ନୂଆଦିଲ୍ଲୀ : ଦିଲ୍ଲୀ ନଗର ନିଗମର ମେୟର ନିର୍ବାଚନ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ପ୍ରଥମ ବୈଠକରେ ହିଁ ଏମସିଡି ମେୟର ନିର୍ବାଚନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ୨୪ ଘଣ୍ଟା ମଧ୍ୟରେ ନୋଟିସ ଜାରି କରିବାକୁ କହିଛନ୍ତି କୋର୍ଟ। ଏହାଛଡ଼ା ମେୟର ନିର୍ବାଚନରେ ମନୋନୀତ ସଦସ୍ୟ ଭୋଟ୍ ଦେଇପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ରାୟ ଆପ୍ ପାଇଁ ଏକ ବଡ଼ ବିଜୟ ହୋଇଥିବା ବେଳେ ବିଜେପି ପାଇଁ ବଡ଼ ଝଟକା ହୋଇଛି।

ଆମ୍ ଆଦମୀ ପାର୍ଟିର ମେୟର ପ୍ରାର୍ଥୀ ଶେଲି ଓବରୟ ନିର୍ବାଚନରେ ​​ମନୋନୀତ କାଉନସିଲରମାନଙ୍କୁ ଭୋଟ୍ ଅଧିକାର ପ୍ରଦାନ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ମେୟର ନିର୍ବାଚନ କରାଯାଉ ବୋଲି ଶେଲି ଦାବି କରିଥିଲେ। ଏହାପୂର୍ବରୁ ସୋମବାର ଯେତେବେଳେ ଏହି ମାମଲାର ଶୁଣାଣି ହୋଇଥିଲା ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ କହିଥିଲେ ଯେ ଏମସିଡି ବୈଠକରେ ମନୋନୀତ ସଦସ୍ୟଙ୍କ ଭୋଟ୍ ଦେବାର ଅଧିକାର ନାହିଁ। ଏହା ପରେ ଉପରାଜ୍ୟପାଳ ଫେବୃଆରୀ ୧୬ରେ ହେବାକୁ ଥିବା ନିର୍ବାଚନକୁ ସ୍ଥଗିତ ରଖିଥିଲେ ।

ଆପ୍ ସଂଯୋଜକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ରାୟକୁ ସ୍ବାଗତ କରିଛନ୍ତି । ସେ କହିଛନ୍ତି – ଗଣତନ୍ତ୍ରର ବିଜୟ ହୋଇଛି । ସୁପ୍ରିମକୋର୍ଟଙ୍କୁ ଅନେକ ଧନ୍ୟବାଦ । ଅଢ଼େଇ ମାସ ପରେ ଦିଲ୍ଲୀ ଏବେ ମେୟର ପାଇବ। ଏଲଜି ଏବଂ ବିଜେପି କିପରି ଦିଲ୍ଲୀରେ ବେଆଇନ ଏବଂ ଅସାମ୍ବିଧାନିକ ଆଦେଶ ପାରିତ କରୁଛନ୍ତି ତାହା ପ୍ରମାଣିତ ହୋଇଯାଇଛି ।

ଦଶ ଜଣ ମନୋନୀତ ଏମସିଡି ସଦସ୍ୟଙ୍କୁ ଭୋଟ୍ ଦେବାର ଅନୁମତି ନେଇ ଏଲଜି ଭିକେ ସକ୍ସେନାଙ୍କ ନିଷ୍ପତ୍ତିକୁ ଆପ୍ ବିରୋଧ କରିଥିଲା । ଏହି କାରଣରୁ ଜାନୁଆରୀ ୬, ୨୪ ଏବଂ ଫେବୃଆରୀ ୬ରେ ଏମସିଡି ବୈଠକରେ ବିଜେପି ଓ ଆପ୍ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ଫଳରେ ତିନି ଥର ମେୟର ନିର୍ବାଚନ ହୋଇପାରିନଥିଲା । ମ୍ୟୁନିସିପାଲିଟି କର୍ପୋରେସନ୍ ଅଫ୍ ଦିଲ୍ଲୀ ଆକ୍ଟରେ ମଧ୍ୟ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ ମନୋନୀତ ସଦସ୍ୟ କିମ୍ବା ଏଲ୍ଡରମ୍ୟାନ ଏମସିଡି ବୈଠକରେ ଭୋଟ୍ ଦେଇ ପାରିବେ ନାହିଁ।

Leave A Reply

Your email address will not be published.