ନୋବେଲ ଶାନ୍ତି ପୁରସ୍କାର ପାଇଁ ମୋଦୀ ଦାବିଦାର ଏକ ଗୁଜବ, ମୁଁ ସେପରି କିଛି କହିନାହିଁ : ନୋବେଲ କମିଟି ଉପ-ସଭାପତି

ନୂଆଦିଲ୍ଲୀ : ଗତ ଦୁଇଦିନ ହେବ ଜାତୀୟ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାବେଲ ଶାନ୍ତି ପୁରସ୍କାର ପାଇଁ ବଡ଼ ଦାବିଦାର ବୋଲି ଚର୍ଚ୍ଚା ଚାଲିଥିଲା। ବିଶ୍ବର ସବୁଠୁ ବଡ଼ ଗଣତନ୍ତ୍ର ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ବୃଦ୍ଧି ପାଇଚାଲିଛି। ସାରା ଦୁନିଆକୁ ଶାନ୍ତିର ବାର୍ତ୍ତା ଦେଉଥିବା ମୋଦୀଙ୍କ ମୁଣ୍ଡରେ ନରୱେର ନୋବେଲ କମିଟି ନୋବେଲ ଶାନ୍ତି ପୁରସ୍କାର ରୂପକ ସୁନା କଳସ ଢାଳିବାର ସମ୍ଭାବନା ଦେଖାଦେଇଛି। ନୋବେଲ କମିଟିର ଉପମୁଖ୍ୟ ଆସଲେ ତୋଜେ ଏହା କହିଥିବାର ଏକ ଭିଡିଓ ଏବଂ ଟ୍ବିଟ୍ ପ୍ରସାର ହୋଇଥିଲା। ମୋଦୀ ହେଉଛନ୍ତି ଆଜିର ବିଶ୍ବରେ ନୋବେଲ ଶାନ୍ତି ପୁରସ୍କାର ପାଇଁ ସବୁଠୁ ଯୋଗ୍ୟ ବ୍ୟକ୍ତି। ସେ ନିଜେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜଣେ ସବୁଠୁ ବଡ଼ ପ୍ରଶଂସକ ବୋଲି ସେଥିରେ କହିଥିଲେ। ଯାହାକୁ ନେଇ ମୋଦୀଙ୍କ ସମର୍ଥକମାନେ ବି ଉତ୍ସାହିତ ହୋଇଯାଇଥିଲେ ।

କିନ୍ତୁ ଆଜି ସବୁ ଉତ୍ସାହରେ ଭଟ୍ଟା ପଡିଯାଇଛି। କାରଣ ଖୋଦ୍‌ ନୋବେଲ କମିଟିର ଉପମୁଖ୍ୟ ଆସଲେ ତୋଜେ ଏହି ଖବରକୁ ଖଣ୍ଡନ କରିବା ସହ କହିଛନ୍ତି ଏହା ସବୁ ଗୁଜବ। ସେ କହିଛନ୍ତି ସେ ନୋବେଲ କମିଟିର ଉପ-ସଭାପତିଭାବେ ନୁହେଁ, ବରଂ ଇଣ୍ଟରନ୍ୟାସନାଲ ପିସ ଏଣ୍ଡ ଅଣ୍ଡରଷ୍ଟାଣ୍ଡିଙ୍ଗର ନିର୍ଦେଶକଭାବେ ଓ ଦିଲ୍ଲୀର ଏନଜିଓ ଇଣ୍ଡିଆ ସେଣ୍ଟର ଫାଉଣ୍ଡେସନର ଜଣେ ଶୁଭେଚ୍ଛୁ ଭାବେ ଏକ କାର୍ଯ୍ୟକ୍ରମକୁ ଆସିଥିଲେ। ଏହି ସମୟରେ ସେ ଦେଇଥିବା ବକ୍ତବ୍ୟରେ ଯାହା କହିଛନ୍ତି ତାଙ୍କର ବ୍ୟକ୍ତିଗତ ମତ। ମୋଦୀ ହେଉଛନ୍ତି ସମ୍ପ୍ରତି ବିଶ୍ବର ସବୁଠୁ ଭରସାଯୋଗ୍ୟ ନେତା ଯାହାଙ୍କର ଦେଶ ଦେଶ ଭିତରେ ଯୁଦ୍ଧ ବନ୍ଦ କରିବା ଓ ଶାନ୍ତି ପ୍ରତିଷ୍ଠା କରିବାର କ୍ଷମତା ରହିଛି। ଯାହାକୁ ନେଇ ମୁଁ ନିଜସ୍ବ ମତ ରଖିଥିଲି। କିନ୍ତୁ ଏହାକୁ ନେଇ ଯେଉଁ ଚର୍ଚ୍ଚା କରାଯାଉଛି,ତାହା ସମ୍ପୁର୍ଣ୍ଣ ରୂପେ ଭୁଲ। ଏହି ଚର୍ଚ୍ଚାକୁ ଆଉ ଆଗକୁ ବଢିବାକୁ ଦିଆନଯାଉ ଓ ମୁଁ ସେପରି କିଛି କହିନାହିଁ।

ଆସଲେ ତୋଜେ ଆହୁରି ମଧ୍ୟ କହିଛନ୍ତି ଋଷ-ୟୁକ୍ରେନ ଯୁଦ୍ଧକୁ ବର୍ଷେରୁ ଅଧିକ ସମୟ ବିତିଛି । ଦୁଇ ଦେଶ ମଧ୍ୟରେ ବିବାଦ ଚରମସୀମାରେ ଥିଲେ ମଧ୍ୟ ଭାରତର କୂଟନୀତି ଗୋଟିଏ ବଡ ପ୍ରଭାବ ଦେଖାଉଛି । ବିବାଦର ସମାଧାନ ପାଇଁ ମୋଦୀ ହିଁ ଏକମାତ୍ର ଭରସା ବୋଲି ବିଭିନ୍ନ ବିଦେଶୀ ନେତା ଦାବି କରି ଆସୁଛନ୍ତି । ନିଜେ ୟୁକ୍ରେନ ଠାରୁ ଆରମ୍ଭ କରି ଜର୍ମାନୀ, ଆମେରିକା ସମେତ ଅନେକ ପାଶ୍ଚାତ୍ୟ ଦେଶର ନେତା କହିଛନ୍ତି ଭାରତ ଚାହିଁଲେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧ ରୋକିହେବ ।

ଯୁଦ୍ଧ ଭିତରେ ଉଭୟ ଋଷ ଏବଂ ୟୁକ୍ରେନ ସମେତ ବିଭିନ୍ନ ଦେଶର ନେତାଙ୍କ ସହ ଭାରତ ବୈଠକ କରିସାରିଛି । ଯୁଦ୍ଧ ସମୟରେ ଭାରତ ଋଷଠାରୁ ତେଲ ଆମଦାନୀ କରୁଛି । ଏହାକୁ ନେଇ ପାଶ୍ଚାତ୍ୟ ଦେଶ ଅସନ୍ତୋଷ ପ୍ରକାଶ କରିଛି । ହେଲେ ଭାରତର କୂଟନୀତି ଏବଂ ବଢୁଥିବା ପ୍ରଭାବ ଦେଖି ଏଯାବତ କୌଣସି ଦେଶ ମଧ୍ୟ ଭାରତ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବାକୁ ସାହାସ କରିନାହାନ୍ତି । ସେ କହିଛନ୍ତି, ଯୁଦ୍ଧ ବେଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଯୁଦ୍ଧ ରୋକିବା ନେଇ ଯେଉଁଭଳି ଭାବେ ମୋଦୀ ବୁଝାଇଛନ୍ତି ତାହା ପ୍ରଶଂସାଯୋଗ୍ୟ । ଅନ୍ତର୍ଜାତୀୟ ରାଜନୀତିରେ ଏଭଳି ନେତା ଆବଶ୍ୟକ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଶେଷ ଥର ପାଇଁ  ୨୦୧୪ରେ ଭାରତରୁ କୈଳାଶ ସତ୍ୟାର୍ଥୀ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ । ଶିଶୁ ନିର୍ଯ୍ୟାତନାକୁ ରୋକିବା କ୍ଷେତ୍ରରେ କାମ କରି ସେ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି । ଏଯାବତ ଭାରତର ୮ ଜଣ ବିଶ୍ୱର ଏହି ସର୍ବଶ୍ରେଷ୍ଠ ଓ ମର୍ୟ୍ୟାଦାଜନକ ପୁରସ୍କାର ପାଇଛନ୍ତି । ସ୍ୱିଡେନ ଦ୍ୱାରା ଦିଆଯାଉଥିବା ଏହି ପୁରସ୍କାର ନୋବେଲ ଫେଡେରେସନ ଦ୍ୱାରା ଆଲଫ୍ରେଡ ନୋବେଲଙ୍କ ସ୍ମୃତିରେ ୧୯୦୧ ମସିହାରୁ ଦିଆଯାଉଛି ।

Leave a comment