ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ନିର୍ମଳାଙ୍କ ‘ନା’, କହିଲେ- କୌଣସି ରାଜ୍ୟକୁ ମିଳିବନି ସ୍ପେଶାଲ୍ ଷ୍ଟାଟସ୍

ଭୁବନେଶ୍ୱର : ଓଡ଼ିଶାକୁ ମିଳିବ ନାହିଁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାର ପ୍ରସ୍ତାବ ନାହିଁ କିମ୍ବା ଭବିଷ୍ୟତରେ ଏ ସଂକ୍ରାନ୍ତ କୌଣସି ଯୋଜନା ନାହିଁ ବୋଲି ରୋକ୍‌‌ଠୋକ୍‌‌ କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶ୍ରୀମତୀ ସୀତାରମଣ ଶୁକ୍ରବାର ବଜେଟ୍‌‌ ସଂକ୍ରାନ୍ତ ମତ ବିନିମୟ କାର୍ଯ୍ୟକ୍ରମରେ ଏହା ସ୍ପଷ୍ଟ କରିଦେଇଛନ୍ତି। ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଅଂଶ ବୃଦ୍ଧି କରାଯାଇଥିବାରୁ ପଞ୍ଚଦଶ ଅର୍ଥ କମିଶନ ସୁପାରିସ ଅନୁସାରେ କୌଣସି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଏପରିକି ଆଗାମୀ ଅର୍ଥ କମିଶନ ବୈଠକରେ ‘ବିପର୍ଯ୍ୟୟ’କୁ ମାନଦଣ୍ଡ ଭାବରେ ଗ୍ରହଣ କରି ଓଡ଼ିଶାକୁ ଧ୍ୟାନ କେନ୍ଦ୍ରୀତ (ଫୋକସ) ରାଜ୍ୟ ଭାବେ ଘୋଷଣା ସଂକ୍ରାନ୍ତ ଦାବି ନେଇ କୌଣସି ମତାମତ ରଖିନାହାନ୍ତି।

ଗତ ଜୁଲାଇ ମାସରେ ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଅବସରରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପ୍ରସଙ୍ଗ ଉଠିଥିଲା। ବାରମ୍ବାର ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶା ବିପୁଳ ଆର୍ଥିକ କ୍ଷତି ସହ୍ୟ କରୁଛି। ବାତ୍ୟା ନିରୋଧୀ ଭିତ୍ତିଭୂମି ସୃଷ୍ଟି କରିବା ସହିତ ଅଧିକ ଅର୍ଥ ଅନୁଦାନ ଦେବାର ଆବଶ୍ୟକତା ଅଛି। ବହୁ ଦିନ ହେଲା ଓଡ଼ିଶା ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରି ଆସୁଛି। ତେଣୁ ଏ ଦିଗରେ ନିତି ଆୟୋଗ ପଦକ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। ସେତେବେଳେ ନିତି ଆୟୋଗ ଉପାଧ୍ୟକ୍ଷ ଶ୍ରୀ ବେରୀ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଗୁରୁତର ଭାବେ ବିଚାର କରାଯାଇ ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ। ମାତ୍ର ଇତି ମଧ୍ୟରେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଅନ୍ୟପକ୍ଷରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି। ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବ ନାହିଁ ବୋଲି ସ୍ପଷ୍ଟ ଘୋଷଣା କରିଛନ୍ତି। ତେଲଙ୍ଗାନା ପରି ସମୃଦ୍ଧ ରାଜ୍ୟ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପାଇଥିବା ସତ୍ତ୍ବେ ଓଡ଼ିଶାକୁ ଅବହେଳା କରାଯାଇଛି।

ଏ ପ୍ରସଙ୍ଗରେ ଦାବି ସମୟରେ କେନ୍ଦ୍ର ସରକାର ଓ କେନ୍ଦ୍ରମନ୍ତ୍ରୀମାନେ ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିସକୁ ବାହାନା କରି ଖସି ଯିବାକୁ ଉଦ୍ୟମ କରୁଛନ୍ତି। ଅନୁଦାନ ହାର ବୃଦ୍ଧି ପରେ ସ୍ୱତନ୍ତ୍ର ରାଜ୍ୟ ଦାବି ଅଯଥାର୍ଥ ବୋଲି କେନ୍ଦ୍ର ମନ୍ତ୍ରୀମାନେ ପୂର୍ବରୁ କହିଛନ୍ତି ଓ ନିର୍ମଳା ଆଜି ତାହାକୁ ପୁନର୍ବାର ଦୋହରାଇଛନ୍ତି। ମାତ୍ର ବିଡ଼ମ୍ବନା ହେଉଛି ଓଡ଼ିଶାର ବାସ୍ତବିକ ସମସ୍ୟା ଓ ବିପର୍ଯ୍ୟୟଜନିତ କ୍ଷତିକୁ କେନ୍ଦ୍ର ସରକାର ଆଦୌ ଗୁରୁତ୍ୱ ଦେଉ ନାହାନ୍ତି। ବିପର୍ଯ୍ୟୟ ପ୍ରବଣ ଓଡ଼ିଶା ପ୍ରତିବର୍ଷ ବନ୍ୟା, ବାତ୍ୟା, ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ଗତ ୫ ଦଶନ୍ଧି ମଧ୍ୟରେ ୩୫ ଥର ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ସହ ଜୁଝିଛି, ବିପୁଳ କ୍ଷତିର ସମ୍ମୁଖୀନ ହୋଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ୧୦ଟି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ସହ ୬ ବର୍ଷ ମରୁଡ଼ି ଓ ଭୟଙ୍କର ବନ୍ୟା ଯୋଗୁଁ ବିପୁଳ କ୍ଷତିଗ୍ରସ୍ତ ହୋଇଛି। ଏପରିକି ବନ୍ୟା, ବାତ୍ୟା, ମରୁଡ଼ି ପରି ବିପର୍ଯ୍ୟୟ ସମ୍ମୁଖୀନ ହେବା ପରେ ଓଡ଼ିଶାର କ୍ଷତି ଓ ଦାବି ଅନୁରୂପ ସହାୟତା କେନ୍ଦ୍ର ସରକାର ପ୍ରଦାନ କରିନାହାନ୍ତି। ବିଡ଼ମ୍ବନା ହେଉଛି ବିଭିନ୍ନ ସମୟରେ ଘୋଷିତ ସହାୟତା ମଧ୍ୟ ଓଡ଼ିଶାକୁ ମିଳିପାରି ନାହିଁ।

ଅନ୍ୟପକ୍ଷରେ ବିଭିନ୍ନ ଯୋଜନାରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଓ ଅନ୍ୟ କିଛି ରାଜ୍ୟକୁ ଅନୁଦାନ ପରିମାଣ ୯୦:୧୦ ରଖା ଯାଇଥିବାବେଳେ ଓଡ଼ିଶାକୁ ଏହି ଅନୁପାତ ୬୦:୪୦ ବା ୫୦:୫୦କୁ ହ୍ରାସ ହୋଇ ସାରିଛି। ୮ଟି କେନ୍ଦ୍ରୀୟ ଯୋଜନାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ଓ ୩୩ଟି କାର୍ଯ୍ୟକ୍ରମରେ ଅନୁଦାନ ହ୍ରାସ କରାଯାଇଛି। ଯାହାଫଳରେ ଆର୍ଥିକ ଦୃଷ୍ଟିରୁ ଓଡ଼ିଶା କ୍ଷତିଗ୍ରସ୍ତ ହୋଇଛି ଏବଂ ବାରମ୍ବାର ସ୍ୱତନ୍ତ୍ର ବା ଧ୍ୟାନ କେନ୍ଦ୍ରୀତ ରାଜ୍ୟ ମାନ୍ୟଦା ଦାବି କରି ଆସିଛି।

Leave a comment