ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗାଁର ନାଁ ତାଳଗୋଛିଆ, ଏକ‌ କିମି ବିଲରେ ଚାଲିଲେ ଦେଖନ୍ତି ବାହାର ଦୁନିଆ

ଜଳେଶ୍ଵର : ଜଳେଶ୍ଵର ବ୍ଲକ ଅଧିନସ୍ଥ ପାଇକସିଦା ପଞ୍ଚାୟତରେ ତାଳଗୋଛିଆ ଗାଁ। ଗାଁରୁ ପାଇକସିଦା ପଞ୍ଚାୟତ ମୁଖ୍ୟାଳୟକୁ ରାସ୍ତାର ମୋଟ ଦୁରତ୍ଵ ୧.୭୦୦ କିମି ଅଟେ।ତେବେ ତାଳଗୋଛିଆ ଗାଁରୁ ପାଳ ସାନକସିଦା ଯାଏଁ ୭୦୦ ମିଟର ରାସ୍ତା ଗ୍ରାମ ଉନ୍ନୟନ ବିଭାଗ ଦ୍ବାରା ତିଆରି ହୋଇଥିବା ବେଳେ ଅବଶିଷ୍ଟ ପାଳ ସାନ କସିଦାରୁ ପାଇକସିଦା ଯାଏଁ ୧ କିମି ରାସ୍ତା ନାହିଁ।ବିଲ ହିଡରେ ହିଁ ଗ୍ରାମବାସୀ ସେହି ୧ କିମି ରାସ୍ତା ଚାଲିବା ପରେ ସେମାନେ ବାହର ଦୁନିଆ ଦେଖି ପାରନ୍ତି। ବର୍ଷା ଦିନେ ତ ଘରୁ ଗୋଡ଼ କାଢିବା ଏକ ପ୍ରକାରର ଅସମ୍ଭବ ଅଟେ।

ସାମାନ୍ୟ ବର୍ଷା ହେଲେ ଗୋବରା ନାଳ ପାଣି ଏତଦ୍ ଅଞ୍ଚଳରେ ପ୍ଳାବିତ ହୋଇଯାଏ।ଫଳରେ ବିଲବାଡି ବୁଡି ଯାଉଥିବାରୁ ଲୋକେ ପାଣି ଭିତରେ ହିଁ ପହଁରି ପହଁରି ଯାଆସ କରିବା ଛଡା ଅନ୍ୟ ଗତି ନାହିଁ।ଗାଁରେ ୨୦ ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଥିବାବେଳେ ସେମାନେ ଭତ୍ତା ପାଇବା ପାଇଁ ପାଇକସିଦା ପଞ୍ଚାୟତକୁ ଯାଇଥାନ୍ତି। ମାତ୍ର ବର୍ଷାଦିନେ ଭତ୍ତା ଆଣିବା ପାଇଁ ଯିବା ସମୟରେ ଅକଥନୀୟ ଦୁର୍ଦ୍ଦଶା ଭୋଗିଥାନ୍ତି।କେବଳ ବୟସ୍କ ଭତ୍ତାଧାରୀ ମାନଙ୍କ ଏହି ସମସ୍ୟା ନୁହେଁ।ପାଇକସିଦା ସମବାୟ ସମିତିକୁ ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା,ସାଧାରଣ ଚାଷୀ ମାନଙ୍କୁ ବର୍ଷ ତମାମ ଯିବାକୁ ପଡ଼ୁଥିବାରୁ ସେମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ସବୁଠାରୁ ଅଧିକ ସମସ୍ୟା ହୁଏ ଗାଁ ଗର୍ଭବତୀ,ପ୍ରସୂତି ଓ ଛୋଟ ଛୋଟ ପିଲାମାନଙ୍କୁ ପୋଲିଓ ଓ ଟିକା ଦେବାକୁ ନେବା ସମୟରେ।ରାସ୍ତା ଯେ ଗାଁର ଏକମାତ୍ର ସମସ୍ୟା ତାହା ନୁହେଁ ଗାଁରେ ଅଦ୍ୟାବଧି ବିଦ୍ୟୁତ ଟ୍ରାନ୍ସଫର୍ମର ମଧ୍ୟ ସ୍ଥାପନ ହୋଇପାରିନି।ପୌଡଶୀ ଷୋଳଷଣ୍ଡା ଗାଁ ରୁ ତାଳଗୋଛିଆ ଗାଁ କୁ ବିଜୁଳି ଆସିଥିବାରୁ ସାମାନ୍ୟ ଝଡ଼ ବର୍ଷା ହେଲେ ୩/୪ ଦିନ ଧରି ବିଦ୍ୟୁତ ସଂଯୋଗ ଛିନ୍ନ ହୋଇ ରହେ।

ଏସବୁ ଦାବି ଗୁଡ଼ିକ ପୂରଣ ପାଇଁ ଗ୍ରାମବାସୀଙ୍କ ତରଫରୁ   ଅତୀତରେ ନିର୍ବାଚିତ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଙ୍କ ନିକଟରେ ଲିଖିତ ଭାବେ ଜଣାଇ ଥିଲେ ମଧ୍ୟ ଦାବି ପୂରଣ ହୋଇନାହିଁ। ଏବେ ଗ୍ରାମବାସୀ ପାଇକସିଦା ପଞ୍ଚାୟତ ବଦଳରେ ବର୍ତ୍ତନା ପଞ୍ଚାୟତ ଅଧିନରେ ରହିବାକୁ ଚାହାଁନ୍ତି ବୋଲି ବାଲେଶ୍ବର ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଦାବି ଉପସ୍ଥାପନ କରିଛନ୍ତି। ଏଥି ସହିତ ଗାଁ କୁ ସବୁଦିନିଆ ରାସ୍ତା ନଥିବାରୁ ଏହାର ପ୍ରତିବାଦ ସ୍ବରୂପ ଗ୍ରାମବାସୀ ଆସନ୍ତା ୨୦୨୨ ମସିହା ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏସମ୍ପର୍କରେ ବାଲେଶ୍ଵର ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଲିଖିତ ଭାବେ ଜଣାଇ ଦେଇଛନ୍ତି।

Leave A Reply

Your email address will not be published.