ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନା ନୂଆ XE ଭାରିଆଣ୍ଟକୁ ନେଇ ଭୟଭୀତ ହେବାର ଆଵଶ୍ୟକତା ନାହିଁ : ଡିଏମଇଟି

ଭୁବନେଶ୍ବର : କରୋନାର ନୂଆ XE ଭାରିଆଣ୍ଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି। ଏହି ନୂଆ ଭାରିଆଣ୍ଟକୁ ନେଇ ଭୟଭୀତ ହେବାର ଆଵଶ୍ୟକତା ନାହିଁ ବୋଲି ଡିଏମଇଟି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭାରତରେ XE ଭାରିଆଣ୍ଟ ଚିହ୍ନଟ ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏହାକୁ ଅସ୍ବୀକାର କରିଛନ୍ତି। ଏହା କେତେ ସଂକ୍ରାମକ ତାହା ଉପରେ ତର୍ଜମା ଚାଲିଛି। ଏହା ପ୍ରାଥମିକ ଅବସ୍ଥାରେ ଅଛି।

ଡିଏମଇଟି ପୁଣି କହିଛନ୍ତି ଯେ ଆମେ ନିୟମ ମାନିବା , ମାସ୍କ ପିନ୍ଧିବା ଜରୁରୀ। ଗହଳି ଚହଳିରେ ମାସ୍କ ପିନ୍ଧିବା ଜରୁରୀ। ଅନ୍ୟ ରାଜ୍ୟରେ ମାସ୍କ ପ୍ରତ୍ୟାହାର ହେଲାଣି, ଓଡ଼ିଶାରେ ହେବ କି ନହେବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ ବୋଲି ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତକାଲି ବିଏମସି ପକ୍ଷରୁ କୁହାଯାଇଥିଲା ଯେ ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଶରୀରରେ ଏହି XE ଭୁତାଣୁ ଚିହ୍ନଟ ହୋଇଥିଲା। ୫୦ ବର୍ଷୀୟା ଉକ୍ତ ମହିଳା ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ତେବେ ତାଙ୍କ ଶରୀରରେ କୌଣସି ଲକ୍ଷଣ ନାହିଁ ଓ ସେ ମଧ୍ୟ ଦୁଇଟି ଡୋଜ୍ ଟିକା ନେଇଛନ୍ତି । ଦେଶରେ କରୋନା ଭୁତାଣୁର XE ଭାରିଆଣ୍ଟ ଚିହ୍ନଟ ହୋଇଥିବା କଥା ବୃହତ୍ ମୁମ୍ବାଇ ମହାନଗର ନିଗମ (ବିଏମସି ) ପକ୍ଷରୁ ଘୋଷଣା କରାଯିବାର କିଛି ଘଣ୍ଟା ମଧ୍ୟରେ ତାହାକୁ ଖଣ୍ଡନ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

ମୁମ୍ବାଇରେ ଚିହ୍ନଟ ହୋଇଥିବା ସଂଦିଗ୍ଧ ଆକ୍ରାନ୍ତ ପ୍ରକୃତରେ XE ଆକ୍ରାନ୍ତ ନୁହଁନ୍ତି । କାରଣ ତାଙ୍କର ଜିନୋମ ସିକ୍ବେନ୍ସିଂ କରାଯିବା ପରେ ସେଥିରେ ଏକ୍ସଇ ଭାରିଆଣ୍ଟ ନଥିବା ଜଣାପଡ଼ିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି । ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଧିନସ୍ଥ ଇନସାକଗ୍ (କରୋନା ଭାଇରସ ଜିନୋମ ସିକ୍ବେନ୍ସିଂ ପାଇଁ ଗଠିତ ବିଶେଷଜ୍ଞ ଗୋଷ୍ଠୀ)ର ବିଶେଷଜ୍ଞମାନଙ୍କ ଦ୍ବାରା ସଂପୃକ୍ତ ମହିଳାଙ୍କ ନମୁନାରେ ଚିହ୍ନଟ ହୋଇଥିବା ଜିନୋମ ଚିତ୍ର XEର ଜିନୋମ ଚିତ୍ର ସହ ମେଳ ଖାଉନାହିଁ ।

ଉଲ୍ଲେଖଯୋଗ୍ୟ ବ୍ରିଟେନରେ ପ୍ରଥମକରି ଚିହ୍ନଟ ହୋଇଥିବା ଓମିକ୍ରନ XE ଓମିକ୍ରନର ଦୁଇଟି ଭାରିଆଣ୍ଟ-ବିଏ.୧ ଓ ବିଏ.୨ର ମିଶ୍ରଣରୁ ସୃଷ୍ଟି ହୋଇଛି। ବର୍ତ୍ତମାନେ ସମଗ୍ର ବିଶ୍ବରେ ଅଳ୍ପ କେତୋଟି XE ମାମଲା ଦେଖାଦେଇଛି। ତେବେ ଏହା ଓମିକ୍ରନର ସବୁ ଭାରିଆଣ୍ଟ ତୁଳନାରେ ସର୍ବାଧିକ ସଂକ୍ରାମକ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି।

Leave A Reply

Your email address will not be published.