ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅବସର ପରେ ଆଉ ଦୌଡ଼ିବାକୁ ପଡ଼ିବନି, ମାସକ ମଧ୍ଯରେ ମିଳିବ ପେନସନ୍

ଭୁବନେଶ୍ବର: ଏଣିକି ନିୟମ ଅନୁସାରେ ସରକାରୀ ଚାକିରିରୁ ଅବସର ନେବାର ମାସକ ପରେ ପେନସନ୍ ଦେବାକୁ ଉଦ୍ୟମ କରାଯିବ। ଏ କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ କରି ଅବସର ନେବାର ମାସକ ପରେ ପେନସନ ପ୍ରଦାନ ବ୍ୟବସ୍ଥା କରାଯିବ। ପେନସନ ଦେବା ଦାୟିତ୍ବରେ ଥିବା ଆକାଉଣ୍ଟାଣ୍ଟ ଜେନେରାଲ ଆଜି ରାଜ୍ୟସ୍ତରୀୟ ସ୍ବତନ୍ତ୍ର ପେନସନ୍ ଅଦାଲତରେ ଏହି ସୂଚନା ଦେଇଛନ୍ତି। ଏଥିପାଇଁ ନୂଆ ଟେକ୍ନୋଲୋଜିର ନିଆଯିବ ସହାୟତା ।

ଆକାଉଣ୍ଟାଣ୍ଟ ଜେନେରାଲ ଅଫିସରେ ଆୟୋଜିତ ରାଜ୍ୟସ୍ତରୀୟ ସ୍ବତନ୍ତ୍ର ପେନସନ୍ ଅଦାଲତରେ ସରକାରୀ ଚାକିରିରୁ ଅବସର ନେଇଥିବା ଲୋକଙ୍କ ଭିଡ଼। କିଏ ୨୦୦୫ରୁ ଅବସର ନେଲେଣି ତ କିଏ ୧୯୮୫ରୁ । କିନ୍ତୁ ଏଯାଏଁ ପେନସନ ସମସ୍ୟାର ସମାଧାନ ହୋଇନାହିଁ । କିଏ ପ୍ରୋଭିଜନାଲ ପେନସନ୍ ପାଉଛନ୍ତି ତ କିଏ ଫାମିଲି ପେନସନକୁ ଅପେକ୍ଷା କରିଛନ୍ତି। କାହାକୁ ସପ୍ତମ ବେତନ କମିଶନ ଅନୁସାରେ ପେନସନ ମିଳୁନି ତ ପୁଣି କିଏ ଏ ଅଫିସରୁ ସେ ଅଫିସକୁ ଦୌଡ଼ି ଦୌଡ଼ି ହତାଶ ହେଲେଣି ।

ଯିଏ ଯେଉଁ ବିଭାଗରେ ଥିଲେ ବି ଅବସର ପରେ ତାଙ୍କୁ ପେନସନ୍ ଦେବା ଦାୟିତ୍ବ ମହା-ଲେଖାଗାରଙ୍କର । ରାଜ୍ୟ ସରକାର ହୁଅନ୍ତୁ କି କେନ୍ଦ୍ର ସରକାର, ଅବସରର ସୂଚନା ମିଳିବା ମାତ୍ରେ ପେନସନ୍ ଦେବା ବ୍ୟବସ୍ଥା ହେବା କଥା । ଅବସର ନେବାର ମାସକ ମଧ୍ୟରେ ପେନସନ୍ ପାଇବାକୁ କର୍ମଚାରୀ ହକଦାର । ହେଲେ ଏହା ଠିକ୍ ସମୟରେ ହେଉନାହିଁ । ସମସ୍ୟାକୁ ମହା-ଲେଖାଗାର ସ୍ବୀକାର କରିଛନ୍ତି । ବିଭାଗୀୟ ତଥ୍ୟ ବିନିମୟରେ ଥିବା ସମସ୍ୟାରେ ସୁଧାର ସହ ଟେକ୍ନୋଲୋଜିର ବ୍ୟବହାର କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଏଜି ଅନନ୍ତ ବେହେରା ।

ଖୋର୍ଦ୍ଧା ଜିଲ୍ଲାରେ ପେନସନ ସମସ୍ୟା ମାମଲା ଅଢ଼େଇ ହଜାର ଉପରେ । ଅନ୍ୟ ଜିଲ୍ଲାରେ ବି ଏଭଳି ମାମଲା କିଛି କମ୍ ନାହିଁ । ଆଗକୁ ସବୁ ଜିଲ୍ଲା ସ୍ତରରେ ପେନସନ ଅଦାଲତ କରି ସମସ୍ୟା ସମାଧାନ ପାଇଁ ଉଦ୍ୟମ କରାଯିବ ।

Leave A Reply

Your email address will not be published.