ମିଳୁନି ବିଦେଶ ଫେରନ୍ତାଙ୍କ ହିସାବ, ନିଜଆଡୁ ପ୍ରଶାସନକୁ ତଥ୍ୟଦେବାକୁ ସରକାରଙ୍କ ଅନୁରୋଧ

ଭୁବନେଶ୍ୱର : ରାଜ୍ୟର କୋଭିଡ୍‍ ହଟସ୍ପଟ୍‍ ଖୋର୍ଦ୍ଧାରେ ସଂକ୍ରମଣ କମୁଛି। କିନ୍ତୁ ବେଶ୍‍ କିଛି ଦିନ ଧରି କମ୍‍ ଆକ୍ରାନ୍ତ ଚିହ୍ନଟ ହେଉଥିବା ଜିଲ୍ଲାରେ ସଂକ୍ରିୟ ମାମଲା ଧୀରେ ଧୀରେ ବୃଦ୍ଧି ପାଉଛି। ସେପଟେ ଦେଶରେ ଆଜି ସଂଧ୍ୟା ସୁଦ୍ଧା ୧୨ ଜଣ ଓମ୍ରିକନ୍‍ ସଂକ୍ରମିତ ଚିହ୍ନଟ ହେଲେଣି। ପ୍ରତି ଲହରରେ ବିଦେଶ ଫେରନ୍ତା ଓ ପ୍ରବାସୀଙ୍କ ପାଇଁ ଓଡ଼ିଶାବାସୀ ବିପଦରେ ପଡ଼ିଥିଲେ। ଲକ୍‍ଡାଉନ୍‍ ସଟ୍‍ଡାଉନ୍‍ ଭଳି ପରିସ୍ଥିତିର ସମ୍ମୁଖୀନ ହୋବକୁ ପଡ଼ିଥିଲା। ଅନେକ ଲୋକ ରୋଜଗାର ହରାଇଛନ୍ତି ଆଉ ନିଜ ଆତ୍ମୀୟ ସ୍ୱଜନଙ୍କୁ ମଧ୍ୟ। ଏବେ ବିଦେଶ ଫେରନ୍ତା କିମ୍ବା ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ସମାନ ବିପଦ ସୃଷ୍ଟି ହେବା ଆଶଙ୍କା ଦେଖା ଦେଇଛି। ଉଚ୍ଚଶିକ୍ଷିତ ଲୋକ, ବିଦେଶରେ ରହୁଛନ୍ତି, କିନ୍ତୁ ଓଡ଼ିଶାକୁ ଆସି ନିଜ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସରକାରଙ୍କୁ ସୂଚନା ଦେବା ଜରୁରୀ ବୋଲି ଭାବୁ ନାହାନ୍ତି। ଅଧିକାଂଶ ବିଦେଶ ଫେରନ୍ତା ପ୍ରଶାସନକୁ ଧରା ଛୁଆଁ ଦେଉ ନଥିବା କଥା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମଧ୍ୟ ସ୍ୱିକାର କରିଛନ୍ତି।

ବିଭିନ୍ନ ରାଜ୍ୟରୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଓଡ଼ିଶାରେ ଏଯାଏ ଠାବ ହୋଇ ନାହାନ୍ତି ଜଣେ ବି ଆକ୍ରାନ୍ତ । ହେଲେ ରାଜ୍ୟକୁ ଆସିଥିବା ବିଦେଶ ଫେରନ୍ତାଙ୍କ ମଧ୍ୟରୁ ୪୦%ଙ୍କୁ ଠାବ କରାଯାଇପାରୁନି। ସେମାନେ ଦେଇଥିବା ଠିକଣା ଭୁଲ୍‌ ବୋଲି ଜଣାପଡ଼ିବା ପରେ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏବେ ସୁଦ୍ଧା ଓମିକ୍ରନ ଆକ୍ରାନ୍ତ ରାଷ୍ଟ୍ର ଗୁଡ଼ିକରୁ ଓଡ଼ିଶାକୁ ଆସିଛନ୍ତି ୮୦୦ରୁ ଅଧିକ ଯାତ୍ରୀ । ହେଲେ ସେମାନଙ୍କ ମଧ୍ୟରୁ ୪୦%ଙ୍କୁ ଠାବ କରାଯାଇପାରୁନି । ଏହି ବ୍ୟକ୍ତିମାନେ ଏୟାର ସୁବିଧା ପୋର୍ଟାଲରେ ଭୁଲ ଫୋନ ନମ୍ବର ଓ ଭୁଲ ଠିକଣା ଦେଇଥିବା କାରଣରୁ ସେମାନଙ୍କୁ ଠାବ କରିବା ସମ୍ଭବ ହେଉନି । ଅନେକ ଯାତ୍ରୀ ଅନ୍ୟ ରାଜ୍ୟର ଠିକଣା ମଧ୍ୟ ଦେଉଛନ୍ତି । ଏହା ବିଦେଶ ଫେରନ୍ତାଙ୍କ ଟ୍ରେସିଂରେ ସମସ୍ୟା ସୃଷ୍ଟି କରୁଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଆକ୍ରାନ୍ତ ଫେରନ୍ତା ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡ଼ିନି ।

ଅନ୍ୟପଟେ  ପୂର୍ବାପେକ୍ଷା ଦୈନିକ ସଂକ୍ରମଣ ଦୁଇ ଦିନ ହେଲା କମିଛି। କିନ୍ତୁ ରାଜ୍ୟକୁ ନଭେମ୍ବର ୨୪ ପରେ ପ୍ରଭାବିତ ଦେଶରୁ ରାଜ୍ୟକୁ ଫେରିଥିବା  ୨୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସମସ୍ତ ନମୁନା ଜେନମ ସିକ୍ବେନ୍ସିଂ ଲାଗି ଆଇଏଲଏସକୁ ଆସିଛି। ଏ ସଂପର୍କରେ ଆଇଏଲଏସ ନିର୍ଦେଶକ ଡକ୍ଟର ଅଜୟ ପରିଡ଼ା ସୂଚନା ଦେଇଛନ୍ତି। ଏହାପୂର୍ବରୁ ନଭେମ୍ବର ମାସରେ ରାଜ୍ୟକୁ ଆସିଥିବା ୧୪୧ ପଜିଟିଭ ନମୁନାର ଜିନମ ସିକ୍ୱେନ୍ସିଂ ହୋଇଥିଲା। ସେସବୁ ନମୁନାରେ ଓମିକ୍ରନ ଚିହ୍ନଟ ହୋଇନାହିଁ ।

ସେପଟେ ବଲାଙ୍ଗିର, ବରଗଡ଼଼, ବାଲେଶ୍ୱର, କେନ୍ଦ୍ରାପଡ଼ା, ପୁରୀ, ଢ଼େଙ୍କାନାଳରେ ସଂକ୍ରମିତଙ୍କ ସଂଖ୍ୟା ବଢ଼଼ୁଛି। ମିଳିଥିବା ସୂଚନା ଅନୁସାରେ ବିଦେଶରୁ ଫେରୁଥିବା ଲୋକଙ୍କର ସଠିକ୍‍ ତଥ୍ୟ ସ୍ୱାସ୍ଥ୍ୟ ବିଭାଗକୁ ମିଳୁ ନାହିଁ। ଏଥିପାଇଁ ଏକ ପୋର୍ଟାଲ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ରକୁ ସ୍ୱାସ୍ଥ୍ୟ ବିଭାଗ ଅନୁରୋଧ କରିଥିବା ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଥିଲେ। ଓଡ଼ିଶାକୁ କେତେ ବିଦେଶୀ ଫେରିଛନ୍ତି ତାହାର ସଠିକ୍‍ ସୂଚନା ଏପର୍ଯ୍ୟନ୍ତ ବିଭାଗ ପାଖରେ ପହଞ୍ଚି ନଥିବା ଖୋଦ୍‍ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଏହା ସ୍ୱିକାର କରିଛନ୍ତି। କେନ୍ଦ୍ର ସରକାର ଦେଇଥିବା ବିଦେଶାଗତ ଲୋକଙ୍କ ତଥ୍ୟ ଆମେ ତର୍ଜମା କରୁଛୁ ବୋଲି କହି ପ୍ରଶ୍ନକୁ ଟାଳି ଦେଇଛନ୍ତି। ଆମ ରାଜ୍ୟରେ ଓମିକ୍ରନ୍‍ ସଂକ୍ରମିତ ଆସିଥିବାର ସୂଚନା ଏପର୍ଯ୍ୟନ୍ତ ମିଳି ନାହିଁ। ବିଦେଶରୁ ଭାରତ ଆସୁଥିବା ଲୋକ ଟ୍ରେନ୍‍ କିମ୍ବା ବସ୍‍ ଯୋଗେ ଓଡ଼ିଶାରେ ପ୍ରବେଶ କରୁଛନ୍ତି। ତେଣୁ ନିୟମ ଅନୁସାରେ ସେମାନେ ସ୍ଥାନୀୟ ପ୍ରଶାସନକୁ ନିଜ ସମ୍ପର୍କରେ ସୂଚନା ଦେବା ସହ ନିଶ୍ଚିତ ଭାବେ ସଙ୍ଗରୋଧରେ ରୁହନ୍ତୁ। ନଚେତ ଓମିକ୍ରନ୍‍ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହିଛି। ସାମାନ୍ୟ କିଛି ଲକ୍ଷଣ ଥିଲେ ତୁରନ୍ତ ପରୀକ୍ଷା କରିବା ଆବଶ୍ୟକ। ଓମିକ୍ରନ୍‍ର ସଂକ୍ରମଣ କ୍ଷମତା ଢ଼େର ଅଧିକ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି।

ଓମିକ୍ରନ୍‍ ଭୟ ଭିତରେ ଦୁଇ ଦିନ ହେଲା ବିଏମ୍‍ସି ପକ୍ଷରୁ ବିମାନବନ୍ଦରରେ ଟେଷ୍ଟିଂ ବ୍ୟବସ୍ଥା ଆରମ୍ଭ ହୋଇଛି। ଟର୍ମିନାଲ-୧ରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ଉପସ୍ଥିତ ରହି ଯାତ୍ରୀଙ୍କ ରିପୋର୍ଟ ଏବଂ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି। କିନ୍ତୁ ସମସ୍ତଙ୍କୁ ନୁହେଁ। ଦେଶର ଅନ୍ୟ ବିମାନବନ୍ଦର ଦେଇ ଭୁବନେଶ୍ୱର ଆସୁଥିବା ଲୋକଙ୍କର ଯଦି ନେଗେଟିଭ୍‍ ରିପୋର୍ଟ ନଥାଏ ତା ହେଲେ ସେହି ମାନଙ୍କୁ ପରୀକ୍ଷା କରାଯାଉଛି। ଏପରିସ୍ଥଳେ ବିନା ଯାଞ୍ଚରେ ଅନେକ ଲୋକ ଖସି ଯିବାର ସମ୍ଭାବନା ରହିଛି। ଅପରପକ୍ଷେ ଯାତ୍ରୀମାନେ ଘରକୁ ଯିବା ପରେ କେତେ ଦୂର ସଙ୍ଗରୋଧ ନିୟମର ପାଳନ କରୁଛନ୍ତି ତାହା ବିତର୍କର ବିଷୟ। ଏବେ ବିବାହ ଋତୁ ଚାଲିଥିବାରୁ ଅନେକ ଲୋକ ନିଜର କିମ୍ବା ସମ୍ପର୍କିୟଙ୍କ ବିବାହରେ ଯୋଗ ଦେବା ଲାଗି ଆସୁଛନ୍ତି। ତେଣୁ ସେମାନେ ସାତ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବାକୁ କେତେଦୂର ଗୁରୁତ୍ୱ ଦେଉଥିବେ ତାହା ଅନୁସନ୍ଧାନ ସାପେକ୍ଷ।

Leave a comment