ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତ୍ରିରଙ୍ଗା ପାଇଁ ଆହାର ଉପରେ ପ୍ରହାର, ପତାକା ନ କିଣିଲେ ରାସନ ମନା

ନୂଆଦିଲ୍ଲୀ : ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସରକାର ‘ହର ଘର ତ୍ରିରଙ୍ଗା’ ଅଭିଯାନ ଚଳାଇଛନ୍ତି। ତେବେ ଏହି ଅଭିଯାନ ଦିନକୁ ଦି ମୁଠା ଖାଇବାକୁ ପାଉ ନ ଥିବା ଗରିବ ଲୋକଙ୍କ ପାଇଁ ବୋଝ ପାଲଟି ଯାଇଛି। ଲୋକଙ୍କ ଆହାର ଉପରେ ପ୍ରହାର ଦିଆଯାଉଛି। ଖାଇବାକୁ ଟଙ୍କା ନ ଥିବାବଳେ ଲୋକଙ୍କୁ ‘ତ୍ରିରଙ୍ଗା’ କିଣିବାକୁ ବାଧ୍ୟ କରାଯାଉଛି। ଜାତୀୟ ପତାକା ନ କିଣିଲେ ଲୋକଙ୍କୁ ରାସନ ଦିଆଯାଉ ନାହିଁ କିମ୍ବା ତାଙ୍କ ଭାଗର ରାସନ କାଟି ଦିଆଯାଉଛି। ଲୋକଙ୍କୁ ଅପମାନିତ କରାଯାଉଛି। ଏହାକୁ ବିରୋଧ କରୁଥିବା ଲୋକଙ୍କୁ ଖରାପ ବ୍ୟବହାର କରାଯାଉଛି।

ହରିୟାଣା କରନାଲ୍‌ର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ବିଜେପି ସାଂସଦ ବରୁଣ ଗାନ୍ଧୀ ରିଟ୍ବିଟ କରିଛନ୍ତି। ସେ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଏବଂ ‘ହର ଘର ତ୍ରିରଙ୍ଗା’ ଅଭିଯାନ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଲୋକଙ୍କ ଉପରେ ବୋଝ ଲଦିଦେବା ଦୁର୍ଭାଗ୍ୟଜନକ। ଦେଶର ରାସନା କାର୍ଡ ଧାରକଙ୍କୁ ତ୍ରିରଙ୍ଗା କିଣିବା ପାଇଁ ବାଧ୍ୟ କରାଯାଉଛି। ତ୍ରିରଙ୍ଗା ନ କିଣିଲେ ତାଙ୍କ ଭାଗର ରାସନ କାଟି ଦିଆଯାଉଛି। ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଥିବା ତ୍ରିରଙ୍ଗାର ମୂଲ୍ୟ ଗରିବଙ୍କ ଖାଦ୍ୟ ଛଡାଇ ଆଦାୟ କରିବା ଲଜ୍ଜାଜନକ।

ସେ ସେୟାର କରିଥିବା ଭିଡିଓରେ କିଛି ଲୋକ କହୁଛନ୍ତି ଯେ ରାସନ କିଣିବାକୁ ତାଙ୍କ ପାଖରେ ପଇସା ନାହିଁ। ତ୍ରିରଙ୍ଗା କିଣିବାକୁ ସେମାନେ ୨୦ ଟଙ୍କା କୋଉଠୁ ଆଣିବେ। ଏପରି କରିବା ପାଇଁ ଉପରୁ ନିର୍ଦ୍ଦେଶ ଆସିଛି ବୋଲି ରାସନ ଡିଲର କହୁଛନ୍ତି। ୨୦ ଟଙ୍କା ଦେଇ ପତାକା ନ କିଣିଲେ ଅଗଷ୍ଟ ମାସର ରାସନ ଦିଆଯିବ ନାହିଁ ବୋଲି କୁହାଯାଇଛି। ଏହି ଭିଡିଓକୁ ନେଇ ବିରୋଧୀ ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। ବିଜେପି ଜାତୀୟତାବାଦ ବିକ୍ରି କରୁଛି ଏବଂ ଲୋକଙ୍କ ଆତ୍ମ ସମ୍ମାନ ପ୍ରତି ଆଞ୍ଚ ଆଣୁଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.